ରେଳ ଷ୍ଟେସନରେ ମିଳିବ ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ: ଉତ୍ସବ ଋତୁ ପାଖେଇ ଆସିଥିବା ବେଳେ ରେଳ ଯାତ୍ରୀଙ୍କ ପାଇଁ ଏକ ଆଶ୍ବସ୍ତିର ଖବର ଆସିଛି। ରେଳ ଷ୍ଟେସନରେ ରନ୍ଧା ଖାଦ୍ୟ ବିକ୍ରି କରିବା ଲାଗି କ୍ୟାଟରିଂ ଓ ଭେଣ୍ଡିଂ ୟୁନିଟ୍‌ଗୁଡ଼ିକୁ ଆଇଆର୍‌ସିଟିସି ଅନୁମତି ପ୍ରଦାନ କରିଛି। କରୋନା ମହାମାରୀ ବ୍ୟାପିବା ପରେ ପ୍ରଥମ ଥର ଲାଗି ଏଭଳି ଅନୁମତି ପ୍ରଦାନ କରାଯାଇଛି। ତେବେ ଫୁଡ୍‌ ପ୍ଲାଜା, ଜନ ଆହାର କେନ୍ଦ୍ର, ସେଲ୍‌ କିଚେନ୍ ଓ ରିଫ୍ରେସ୍‌ମେଣ୍ଟ୍‌ ରୁମ୍‌ଗୁଡ଼ିକରେ କେବଳ ବାହାରକୁ ନେବା ଲାଗି ରନ୍ଧା ଖାଦ୍ୟ ଉପଲବ୍ଧ ହେବ। କୌଣସି ୟୁନିଟ୍‌ରେ ଯାତ୍ରୀଙ୍କୁ ବସାଇ ଖାଇବାକୁ ଦିଆଯାଇପାରିବ ନାହିଁ। ଆଇଆର୍‌ସିଟିସି ପକ୍ଷରୁ ଏନେଇ ‌ଗତ ସେପ୍ଟେମ୍ବର ୩୦ରେ ଏକ ନିର୍ଦେଶନାମା ଜାରି କରାଯାଇଛି। ଏହି ୟୁନିଟ୍‌ଗୁଡ଼ିକ ପୂର୍ବରୁ କେବଳ ପ୍ୟାକେଟ୍‌ରେ ଭର୍ତି ଥିବା ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିଲେ। ଲକ୍‌ଡାଉନ୍ ସମୟରେ ‌ଷ୍ଟେସନଗୁଡ଼ିକରେ ଥିବା ଷ୍ଟଲ୍‌ଗୁଡ଼ିକ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର