ଟ୍ରେନ୍‌ରେ ପୁଣି ମିଳିବ ରନ୍ଧା ଖାଦ୍ୟ

ରେଡି-ଟୁ-ଇଟ୍‌ ପ୍ୟାକେଟ୍‌ ବି ମିଳିବ, ଆଇଆର୍‌ସିଟିସିକୁ ଅନୁମତି ଦେଲା ରେଳ ବୋର୍ଡ

ନୂଆଦିଲ୍ଲୀ: ଟ୍ରେନ୍‌‌ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପୁଣି ଆରମ୍ଭ କରାଯିବ। ରେଳ ବୋର୍ଡ ଏନେଇ ନିଷ୍ପତ୍ତି ନେଇଛି। କୋଭିଡ୍ ମହାମାରୀ ପ୍ରଭାବ ଯୋଗୁଁ ରନ୍ଧା ଖାଦ୍ୟ ଯୋଗାଣ ଉପରେ କଟକଣା ଲଗାଯାଇଥିଲା। ଏବେ ସ୍ଥିତିରେ ସୁଧାର ହେଉଥିବାରୁ ଏହି କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଛି। ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ କରିବାକୁ ରେଳ ବୋର୍ଡ ପକ୍ଷରୁ ଆଇଆରସିଟିସିକୁ ନିର୍ଦେଶ ଦିଆଯାଇଛି।

ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ରେଡି-ଟୁ-ଇଟ୍ ‌ମିଲ୍‌ ମଧ୍ୟ ପୂର୍ବଭଳି ଦିଆଯିବ। ରେଳ ବୋର୍ଡ ପକ୍ଷରୁ କୁହାଯାଇଛି ଯେ କୋଭିଡ୍ ସ୍ଥିତିରେ ସୁଧାର ହେବା ପରେ ହୋଟେଲ୍‌ ଓ ରେସ୍ତୋରାଁଗୁଡ଼ିକ ଉପରେ ଲଗାଯାଇଥିବା କଟକଣା କୋହଳ ହୋଇଛି। ସେଥିପାଇଁ ଟ୍ରେନ୍‌ରେ ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଟ୍ରେନ୍ ଭି୍ତରେ କେବଳ ଚା’ ଓ କଫି, ସ୍ନାକ୍ସ ଓ ପ୍ୟାକେଟ୍‌ରେ ଭର୍ତ୍ତି ରହିଥିବା ରେଡି-ଟୁ-ଇଟ୍‌ ମିଲ୍‌ ଦିଆଯାଉଛି। ରେଡି-ଟୁ-ଇଟ୍‌ ମିଲ୍ ମଧ୍ୟରେ ମିଳୁଛି ନୁଡୁଲ୍‌ସ, ରାଜ୍‌ମା-ଚାୱଲ୍ ଓ ସୁପ୍। କେବଳ ଦୂରଗାମୀ ଟ୍ରେନ୍‌ରେ ଏହି ଭୋଜନ ମିଳୁଛି।

ଧାର୍ମିକ ସ୍ଥଳଗୁଡ଼ିକୁ ଯୋଡ଼ୁଥିବା ଟ୍ରେନ୍‌ରେ ସାତ୍ତ୍ବିକ ଭୋଜନ ବ୍ୟବସ୍ଥା ଆରମ୍ଭ କରିବା ଲାଗି ନିକଟରେ ଆଇଆର୍‌ସିଟିସି ପକ୍ଷରୁ ଭାରତୀୟ ସାତ୍ତ୍ବିକ ପରିଷଦ ସହ ବୁଝାମଣା ସ୍ବାକ୍ଷର କରାଯାଇଛି। ଭୋଜନ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ପରିବହନ, ଯୋଗାଣ ଏବଂ ସଂରକ୍ଷଣ ଆଦି ସବୁ କ୍ଷେତ୍ରରେ ସାତ୍ତ୍ବିକ ମାନ ନିଶ୍ଚିତ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯିବ। ‌ସାତ୍ତ୍ବିକ ଭୋଜନର ତୃତୀୟ ପକ୍ଷ ଅଡିଟ୍ ମଧ୍ୟ କରାଯିବ। ଫଳରେ ଧାର୍ମିକ ସ୍ଥଳ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରେ ସାତ୍ତ୍ବିକ ଭୋଜନକୁ ନେଇ ବିଶ୍ବାସ ସୃଷ୍ଟି କରାଯାଇପାରିବ।

କୋଭିଡ୍‌ ମହାମାରୀ ବ୍ୟାପିବା ପରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଉପରେ କଟକଣା ଲଗାଯାଇଥିଲା। କେବଳ କୋଭିଡ୍ ସ୍ବତନ୍ତ୍ର ଓ ଛୁଟି ଦିନ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। କୋଭିଡ୍ ସ୍ଥିତିରେ ସୁଧାର ହେଉଥିବାରୁ ଟ୍ରେନ୍ ଚଳାଚଳ ସ୍ବାଭାବିକ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏବେ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯାଇଛି। ଗତବର୍ଷ ମହାମାରୀ ବ୍ୟାପିବା ପରେ ରେଳବାଇ ପକ୍ଷରୁ ଟ୍ରେନ୍‌ରେ ଖାଦ୍ୟ ଯୋଗାଣ, ବେଡ୍‌ରୋଲ୍, କମ୍ବଳ ଆଦି ଯୋଗାଣ ଉପରେ କଟକଣା ଜାରି କରାଯାଇଥିଲା। ଖାଦ୍ୟ ଯୋଗାଣ ଉପରେ କଟକଣା ଲାଗିବା ପରେ ସେହି ବ୍ୟବସ୍ଥା ସହ ଜଡ଼ିତ ଥିବା ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଥିଲେ।

ସମ୍ବନ୍ଧିତ ଖବର