ନୂଆଦିଲ୍ଲୀ: ଗତ ଏକ ବର୍ଷ ଭିତରେ ଭାରତରେ ଖାଇବା ତେଲ ମୂଲ୍ୟରେ ୬୪% ବୃଦ୍ଧି ହୋଇଛି। ସାଧାରଣ ଜନତାଙ୍କୁ ଏହି ମୂଲ୍ୟ ବେଶ ବାଧୁଛି। ଏଭଳିକି ମଧ୍ୟବିତ୍ତ ବର୍ଗର ଲୋକମାନେ ମଧ୍ୟ ଖାଇବା ତେଲ କିଣିବା ବେଳେ କଷ୍ଟ ଅନୁଭବ କରୁଛନ୍ତି। ତେବେ ଖୁବ ଶୀଘ୍ର ଖାଇବା ତେଲ ମୂଲ୍ୟ ଶସ୍ତା ହୋଇପାରେ | କାରଣ ପାମୋଲିନ ତେଲ, ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଭଳି ଖାଇବା ତେଲର ଆମଦାନୀ ଉପରେ କେନ୍ଦ୍ର ଆମଦାନୀ ଶୁଳ୍କକୁ କେନ୍ଦ୍ର ସରକାର ୨.୫ ପ୍ରତିଶତକୁ ହ୍ରାସ କରିଛନ୍ତି । ପୂର୍ବରୁ ଅଶୋଧିତ ପାମୋଲିନ ତେଲ ଉପରେ ୧୦ ପ୍ରତିଶତ ଓ ଅଶୋଧିତ ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ୭.୫ ପ୍ରତିଶତ ଆମଦାନୀ ଶୁଳ୍କ ଥିଲା।
ଏଥି ସହିତ ବିଶୋଧିତ ଗ୍ରେଡ୍ ପାମୋଲିନ ତେଲ, ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ମୂଳ ଆମଦାନୀ ଶୁଳ୍କ ୩୭.୫ ପ୍ରତିଶତରୁ ୩୨.୫ ପ୍ରତିଶତକୁ ଖସି ଆସିଛି। ଆମଦାନୀ ଶୁଳ୍କ ହ୍ରାସ ପରେ ଅଶୋଧିତ ପାମୋଲିନ ତେଲ, ଅଶୋଧିତ ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ସମୁଦାୟ ୨୪.୭୫ ପ୍ରତିଶତ ଶତକଡ଼ା ଟିକସ ଲାଗୁ ହେବ। ଏଥିରେ ୨.୫ ପ୍ରତିଶତ ବେସ୍ ଆମଦାନୀ ଶୁଳ୍କ ରହିଥିଵାବେଳେ ଅନ୍ୟାନ୍ୟ ଟ୍ୟାକ୍ସ ଅନ୍ତର୍ଭୁକ୍ତ ରହିଛି | ତେବେ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଖାଇବା ତେଲ ମୂଲ୍ୟ ହ୍ରାସ ହେବ ବୋଲି ଅନୁମାନ କରାଯାଉଛି |
ଉଲ୍ଲେଖନୀୟ କଥା ହେଉଛି, ଆମଦାନୀ ମାଧ୍ୟମରେ ଦେଶରେ ଖାଇବା ତେଲର ଦୁଇ ତୃତୀୟାଂଶ ଚାହିଦା ପୂରଣ ହୁଏ | ଭାରତ ଏହାର ଘରୋଇ ବ୍ୟବହାର ପାଇଁ ଇଣ୍ଡୋନେସିଆ ଏବଂ ମାଲେସିଆରୁ ପାମୋଲିନ ତେଲ ଆମଦାନୀ କରେ | ସୂଚନା ଥାଉ କି ପୂର୍ବରୁ ସୋରିଷ ତେଲ କେଜି ୮୯ଟଙ୍କା ଥିବାବେଳେ ଏବେ ୧୯୧ଟଙ୍କା, ପାମୋଲିନ ତେଲ ୬୭ଟଙ୍କା ଥିବାବେଳେ ଏବେ ୧୫୦ଟଙ୍କା, ସୂର୍ଯ୍ୟମୁଖୀ ତେଲ ୮୬ଟଙ୍କା ଥିବାବେଳେ ଏବେ ୧୭୦ଟଙ୍କା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/veg-oil1.jpg)