ଆଜିଠୁ ପୁଣି ଚଳାଚଳ କରିବ ଭୟାବହ ଦୁର୍ଘଟଣାଗ୍ରସ୍ତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ: ଗତ ଶୁକ୍ରବାର ଦିନ ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଭୟାବହ ଦୁର୍ଘଟଣାଗ୍ରସ୍ତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଆଜିଠାରୁ ପୁଣି ଚଳାଚଳ ଆରମ୍ଭ କରିବ ବୋଲି ରେଳବାଇ ସୂତ୍ରରୁ ଉଦ୍ଧାର କରି ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର ଚୌଧୁରୀ କହିଛନ୍ତି: ବୁଧବାରଠାରୁ ପୁଣି ସେବା ଆରମ୍ଭ କରିବା ପାଇଁ କରମଣ୍ଡଳ ଏକ୍ସ୍‌ପ୍ରେସ୍‌ ପ୍ରସ୍ତୁତ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ବେଳେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗା ବଜାର ଷ୍ଟେସନ୍‌ ନିକଟରେ ଶାଲିମାର୍‌-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ଠିଆ ହୋଇଥିବା ଗୋଟାଏ ମାଲ୍‌ଗାଡ଼ି ସହିତ ଧକ୍କା ଖାଇବାରୁ ତା’ର ୧୦/୧୨ ଡବା ଧାରଣାଚ୍ୟୁତ ହୋଇ ଅନ୍ୟ ଧାରଣା ଉପରକୁ ଛିଟିକି ପଡ଼ିଥିଲା। ଫଳତଃ, ସେହି ସମୟରେ ଉକ୍ତ ଟ୍ରାକ୍‌ରେ ୟେଶବନ୍ତପୁରରୁ ହାୱଡ଼ାକୁ ଦ୍ରୁତ ଗତିରେ ଆସୁଥିବା ହାୱଡ଼ା ଏକ୍ସ୍‌ପ୍ରେସ୍‌ ଉକ୍ତ ଡବାଗୁଡ଼ିକ ଉପରେ ଧକ୍କା ଖାଇଥିଲା। ଏହି ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

Image Courtesy of ABP

‘ଇଲେକ୍ଟ୍ରୋନିକ୍‌ ଇଣ୍ଟର୍‌ଲକିଙ୍ଗ୍‌’ରେ ପରିବର୍ତ୍ତନ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କଥା ରବିବାର ଦିନ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ କହିଥିଲେ।

ଏହି ରେଳ ଦୁର୍ଘଟଣା ଯୋଗୁଁ ବାଲେଶ୍ବରରେ ରେଳ ଚଳାଚଳ ଭୀଷଣ ପ୍ରଭାବିତ ହୋଇଥିଲା। ଏହାର ୫୧ ଘଣ୍ଟା ପରେ ଉକ୍ତ ରେଳପଥରେ ପୁଣି ରେଳ ଚଳାଚଳ ଆରମ୍ଭ କରାଯାଇଥିଲା। ରବିବାର ଦିନ ଭାଇଜାଗ୍‌ ବନ୍ଦରରୁ କୋଇଲା ନେଇ ଗୋଟାଏ ମାଲ୍‌ଗାଡ଼ି ଏହି ରେଳପଥରେ ରାଉରକେଲା ଇସ୍ପାତ କାରଖାନା ଅଭିମୁଖେ ଯାଇଥିଲା।

ସେହିପରି, ସୋମବାର ଦିନ ଏହି ରେଳପଥ ଦେଇ ହାୱାଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଯାତ୍ରା ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର