ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କର୍ମଚାରୀମାନଙ୍କ ଦରମା କମିଯାଇଛି। କର୍ମଚାରୀମାନେ ନିଜ ପାଖରେ କିମ୍ବା ବ୍ୟାଙ୍କ ଆଦିରେ ରଖିଥିବା ସଂଚୟ ମଧ୍ୟ ସରିଗଲାଣି। ଅନ୍ୟପକ୍ଷରେ ଖର୍ଚ୍ଚ କମୁନାହିଁ। ତେଣୁ ସେମାନେ ଏବେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫଓ)ରେ ଭବିଷ୍ୟତ ପାଇଁ ରଖିଥିବା ଟଙ୍କା ଉପରେ ଭରସା କରିଛନ୍ତି। ଇପିଏଫ୍ ଖାତାରୁ ସେମାନେ ଟଙ୍କା ଉଠାଇ ଚାଲିଛନ୍ତି। ଗତ ଏପ୍ରିଲରୁ ଜୁଲାଇ ମଧ୍ୟରେ କର୍ମଚାରୀମାନେ ସେମାନଙ୍କ ଇପିଏଫ ଖାତାରୁ ୩୦ ହଜାର କୋଟି ଟଙ୍କା ଉଠାଇନେଲେଣି। ପାଖାପାଖି ୮୦ ଲକ୍ଷ ସଦସ୍ୟ ଏହି ପରିମାଣର ଟଙ୍କା ଉଠାଇଛନ୍ତି ବୋଲି ଏକ ରିପୋର୍ଟରୁ ଜଣାଯାଇଛି। କୋଭିଡ୍-୧୯ ପାଇଁ ଇପିଏଫଓ ପକ୍ଷରୁ ଯୋଗାଇ ଦିଆଯାଇଥିବା ଟଙ୍କା ଉଠାଣ ସୁବିଧା ମାଧ୍ୟମରେ ପାଖାପାଖି ୩୦ ଲକ୍ଷ ସଦସ୍ୟ ୮ ହଜାର କୋଟି ଟଙ୍କା ଉଠାଇଥିବାବେଳେ ୫୦ ଲକ୍ଷ ସଦସ୍ୟ ସାଧାରଣଭାବେ ପ୍ରାୟ ୨୨ ହଜାର କୋଟି ଟଙ୍କା ଉଠାଇଛନ୍ତି।
ସଦସ୍ୟମାନେ ବହୁମାତ୍ରାରେ ଟଙ୍କା ଉଠାଇ ନେଉଥିବାରୁ ଇପିଏଫଓର ଆୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। କର୍ମଚାରୀମାନଙ୍କର ଚାକିରି ଚାଲିଯିବା, ଦରମା କଟିବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ିଯିବା ଆଦି କାରଣରୁ ସଦସ୍ୟମାନେ ଏହି ଟଙ୍କା ଉଠାଉଛନ୍ତି। ଉଲ୍ଲେଖଯୋଗ୍ୟ, କରୋନା ମହାମାରୀକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଘୋଷଣା ହେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇପିଏଫଓର ସଦସ୍ୟଙ୍କୁ ଟଙ୍କା ଉଠାଣ ସୁବିଧା ପ୍ରଦାନ ନିମନ୍ତେ ସ୍ବତନ୍ତ୍ର ସୁବିଧା ଘୋଷଣା କରିଥିଲେ। ଏହାପରେ ଇପିଏଫଓ ପକ୍ଷରୁ ସଦସ୍ୟଙ୍କ ପାଇଁ କୋଭିଡ୍- ୱିଣ୍ଡୋ ଆରମ୍ଭ କରାଯାଇଥିଲା। ଇପିଏଫଓର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ପରେ ଲୋକମାନେ ଅଧିକରୁ ଅଧିକ ସଂଖ୍ୟାରେ ଟଙ୍କା ଉଠାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/epf.jpeg)