ଲୋକଙ୍କ ଅଭ୍ୟାସ ବଦଳାଇଦେଲା କରୋନା: ଦାମ୍ ନପଚାରି ପରିବା କିଣୁଛନ୍ତି, ଟିଭି ଦେଖିବା ସମୟ ବହୁତ ବଢ଼ିଛି

ମନୋରଞ୍ଜନ ନୁହେଁ, ଖବର ଅଧିକ ପସନ୍ଦ

ନୂଆଦିଲ୍ଲୀ: କରୋନା ବିଶ୍ବ ମହାମାରୀ ଭାରତୀୟମାନଙ୍କ କିଣାକିଣି ଅଭ୍ୟାସକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଏକ ସର୍ଭେର ରିପୋର୍ଟକୁ ଯଦି ବିଶ୍ବାସ କରାଯିବ ତେବେ ଲୋକଙ୍କ କିଣିବା ଅଭ୍ୟାସରେ ବଡ଼ ଧରଣର ପରିବର୍ତ୍ତନ ହୋଇଥିବା ଆଭାସ ମିଳୁଛି। ପନିପରିବା କିଣିବା ବେଳେ ଲୋକମାନେ ଆଉ ଦାମ୍ ପଚାରୁନାହାନ୍ତି। ଏହା ବିଶ୍ବାସ ହେଉନଥିଲେ ମଧ୍ୟ କିଛି ସହରରେ ସତରେ ପରିଣତ ହୋଇଛି। ବିଶେଷ କରି ଯେଉଁ ଲୋକମାନେ ଲକ୍‌ଡାଉନ୍ ଯୋଗୁଁ ଘରୁ ବାହାରି ପାରୁନାହାନ୍ତି ସେମାନେ ପନିପରିବା କିଣିବା ବେଳେ ଆଉ ଦାମ୍ ପଚାରୁନାହାନ୍ତି। ଏନରମସ୍‌ ବ୍ରାଣ୍ଡ୍‌ସ୍‌ ନାମକ ଏକ ସଂସ୍ଥା ତରଫରୁ ବିଭିନ୍ନ ସହରର ୩୭୩୭ ଜଣ ଲୋକଙ୍କୁ ନେଇ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ସାଧାରଣତଃ, ପନିପରିବା କିଣିବା ବେଳେ ଲୋକମାନେ ପ୍ରତିଟି ପରିବାର ଦାମ୍ ପଚାରିଥାନ୍ତି। ସେଥିରେ ମୁଲଚାଲ ମଧ୍ୟ କରନ୍ତି। କିଣାକିଣି ‌ଶେଷ କରିବା ପରେ ଧନିଆପତ୍ର, ଲେମ୍ବୁ କିମ୍ବା ଲଙ୍କା କିଛି ମାଗଣରେ ଦେବାକୁ ମଧ୍ୟ ବେପାରି ନିକଟ‌ରେ ଦାବି କରନ୍ତି। ନିଜ ଟଙ୍କାକୁ ନେଇ ବେଶ ଯତ୍ନବାନ ରହୁଥିବା ଭାରତୀୟମାନେ ଆଉ ପନିପରିବା କିଣିବା ବେଳେ ଦାମ୍ ପଚାରୁନଥିବା ବିଷୟ ଜାଣିବା ପରେ ସହଜରେ ବିଶ୍ବାସ ହେଉନାହିଁ।

ଏହି ସର୍ଭେରୁ ଜଣାପଡ଼ିଛି ଯେ, କିଣାକିଣି ପାଇଁ ଡିଜିଟାଲ୍‌ ମାଧ୍ୟମକୁ ଲୋକମାନେ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ଏଭଳିକି ବୟସ୍କ ଲୋକମାନେ ମଧ୍ୟ ଦୁଗ୍ଧ, ଗ୍ରୋସରି ସାମଗ୍ରୀ ଏବଂ ଘର ଚଳାଇବା ପାଇଁ ଦରକାର ଅନ୍ୟାନ୍ୟ ସାମଗ୍ରୀକୁ ଅନ୍‌ଲାଇନ୍‌ରେ ମଗାଉଛନ୍ତି। ପେମେଣ୍ଟ୍ ପାଇଁ ୱାଲେଟ୍ ଓ ୟୁପିଆଇ ଆପ୍ ବ୍ୟବହାର କରୁଛନ୍ତି। ଏହି ସର୍ଭେରେ ଭାଗ ନେଇଥିବା କିଛି ଲୋକ ‘ମେକ୍ ଇନ୍ ଇଣ୍ଡିଆ’ ସପକ୍ଷରେ ଯୁକ୍ତି ବାଢ଼ିଥିବା ବେଳେ ଚୀନ୍‌ ଜାଣିଶୁଣି ଏହି ଭୂତାଣଉ ସାରା ବିଶ୍ବରେ ପହଞ୍ଚାଇଥିବା ସେମାନେ କହିଛନ୍ତି। ସର୍ଭେରେ ଭାଗ ନେଇଥିବା ୪୨ ପ୍ରତିଶତ ଲୋକ କହିଛନ୍ତି ଯେ ପନିପରିବା କିଣିବା‌ ବେଳେ ସେମାନେ ଆଉ ଦାମ୍ ପଚାରୁନାହାନ୍ତି। ସେହିପରି ୫୫-୬୫ ବର୍ଷ ବୟସ ବର୍ଗର ଲୋକଙ୍କ ମଧ୍ୟରୁ ୪୭ ପ୍ରତିଶତ ଡିଜିଟାଲ୍ ପେମେଣ୍ଟ୍‌ ବ୍ୟବସ୍ଥା ବ୍ୟବହାର କରୁଛନ୍ତି। ଲକ୍‌ଡାଉନ୍ ସମୟରେ ଟିଭି ଦେଖୁଥିବା ଲୋକଙ୍କ ସଂଖ୍ୟା ବହୁତ ବଢ଼ିଛି। ପ୍ରାୟ ୪୭ ପ୍ରତିଶତ ଲୋକ କେବୁଲ ଟିଭି ଦେଖୁଥିବା ବେଳେ ୧୩ ପ୍ରତିଶତ ଡିଟିଏଚ୍‌ ଜରିଆରେ ଟିଭି ଦେଖୁଛନ୍ତି। ଲୋକମାନେ ମନୋରଞ୍ଜନ ଚ୍ୟାନେଲ୍ ତୁଳନା‌ରେ ଖବର ପରିବେଷଣ କରୁଥିବା ଚ୍ୟାନେଲ୍‌ଗୁଡ଼ିକୁ ଅଧିକ ଦେଖୁଛନ୍ତି। ଟିଭି ଦେଖାର ୬୪ ପ୍ରତିଶତ ସମୟ ଖବର ଦେଖିବାରେ କଟୁଛି। ସର୍ଭେରେ ଭାଗ ନେଇଥିବା ୪୩ ପ୍ରତିଶତ ଲୋକ କହିଛନ୍ତି ଯେ ଖବର ପରିବେଷଣରେ ବିଶେଷ ପାତରଅନ୍ତର ରହୁନି। କିନ୍ତୁ ୨୭ ପ୍ରତିଶତ ଲୋକ କହିଛନ୍ତି ଯେ ଖବର ପରିବେଷଣ କରୁଥିବା କିଛି ସଂସ୍ଥା ଏକ ନିର୍ଦିଷ୍ଟ ରାଜନୈତିକ ଦଳକୁ ସୁହାଇବା ଭଳି ଖବର ପରିବେଷଣ କରୁଛନ୍ତି। ସେହିପରି, ୨୭ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଖବରକାଗଜକୁ ସର୍ବାଧିକ ଖୋଜୁଛନ୍ତି। ତେ‌ବେ ୨୯ ପ୍ରତିଶତ ଲୋକ ଅନଲାଇନ୍‌ରେ ଖବର ପଢ଼ିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର