ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରିରେ ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ବିଶ୍ବର ଅନେକ ଦେଶକୁ ବ୍ୟାପୀ ଗଲାଣି। ଚୀନ୍ ସମେତ ଦକ୍ଷିଣ କୋରିଆ, ଇରାନ ଓ ଇଟାଲି ଭଳି ଦେଶରେ କରୋନା ରୋଗୀଙ୍କ ସଂଖ୍ୟ‌ା ବଢ଼ିବାରେ ଲାଗିଛି। ଭାରତରେ ଆଜି ଦୁଇ ଜଣ କରୋନା ଭୂତାଣୁର ଶିକାର ହୋଇଥିବା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ମହାମାରୀ ଆଡ଼କୁ ଅଗ୍ରସର ହେଉଥିବା କରୋନା ସାରା ବିଶ୍ବର ଅର୍ଥନୀତି ପ୍ରତି ବିପଦ ସୃଷ୍ଟି କରିଛି। ଏହାର କିଭଳି ମୁକାବିଲା କରାଯିବ ତାହାକୁ ନେଇ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାର ଚିନ୍ତିତ ହୋଇପଡ଼ିଛନ୍ତି। ବିଶ୍ବ ସ୍ତରୀୟ ସଂସ୍ଥା ଓଇସିଡି ପକ୍ଷରୁ ଆକଳନ କରାଯାଇଛି ଯେ, କରୋନା ପ୍ରଭାବରେ ପୁଣି ବିଶ୍ବ ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିବ। ୨୦୦୮ର ମାନ୍ଦାବସ୍ଥା ଭଳି ଏହା ପ୍ରଭାବ ପକାଇବ। ଏହି ଭୂତାଣୁରେ ପ୍ରଭାବିତ ଲୋକଙ୍କ ସଂଖ୍ୟା ବଢ଼ିବା ସହିତ ବିଶ୍ବର ବିଭିନ୍ନ ସ୍ଥାନରେ ଚାହିଦା ଓ ଯୋଗାଣ ପ୍ରଭାବିତ ହୋଇଛି। ଅଧିକ ଦିନ ଏହି ସ୍ଥିତି ଜାରି ରହିଲେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ହାର ୨.୪% ଭଳି ନିମ୍ନ ସ୍ତରକୁ ଖସିଯିବ। ୨୦୦୯ ପରେ ଏଭଳି ସ୍ଥିତି ପ୍ରଥମ ଥର ଲାଗି ସୃଷ୍ଟି ହେବାର ଆଶଙ୍କା ରହିଛି। ଯଦି ଆଉ ଏକ ବିଶ୍ବ ମାନ୍ଦାବସ୍ଥା ଦେଖାଦେବ ତେବେ ଏହାର ପ୍ରଭାବରୁ ଗରିବ ଏବଂ ଉପେକ୍ଷୀତ ବର୍ଗର ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ବିଭିନ୍ନ ଦେଶକୁ ସ୍ବାସ୍ଥ୍ୟ ସେବା ଉପରେ ଖର୍ଚ୍ଚ ବଢ଼ାଇବାକୁ ପଡ଼ିବ। ଏହା ବ୍ୟତୀତ ଅର୍ଥନୀତିକୁ ସୁଧାରିବା ଲାଗି ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବାକୁ ପଡ଼ିବ ବୋଲି ଓଇସିଡି କହିଛି। କରୋନାର ପ୍ରଭାବରେ ଷ୍ଟକ ବଜାର ଅସ୍ଥିର ହୋଇପଡ଼ିଛି। ସମ୍ଭାବ୍ୟ ବିପଦ ସ୍ଥିତିର ମୁକାବିଲା କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିଜକୁ ପ୍ରସ୍ତୁତ କରିସାରିଲାଣି। ବ୍ୟାଙ୍କ ଅଫ୍‌ ଜାପାନ ଓ ବ୍ୟାଙ୍କ ଅଫ୍ ଇଂଲଣ୍ଡ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ଆହୁରି କମ୍ କରିବା ଉପରେ ବିଚାର କରୁଛି। କରୋନାକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତି ବିଷୟରେ ଆଲୋଚନା କରିବା ଲାଗି ଆସନ୍ତା ସପ୍ତାହରେ ଜି-୭ ରାଷ୍ଟ୍ର ସମୂହର ଅର୍ଥମନ୍ତ୍ରୀମାନଙ୍କ ଏକ ଟେଲିଫୋନ୍ ବାର୍ତାଳାପ ଅନୁଷ୍ଠିତ ହେବ। କରୋନା ପ୍ରଭାବରେ ବିଶ୍ବର ଅନେକ ବ୍ୟସ୍ତବହୁଳ ବିମାନ ବନ୍ଦର ଖାଁ ଖାଁ ଲାଗୁଛି। ଶିକ୍ଷାନୁଷ୍ଠାନଗୁଡ଼ିକୁ ବାଧ୍ୟ ହୋଇ ବନ୍ଦ କରାଯାଉଛି। ଗମନାଗମନ କଟକଣା ଲାଗୁ ଥିବାରୁ ବ୍ୟବସାୟ କାରବାର ଓ ପର୍ଯ୍ୟଟନ ଉଭୟ କ୍ଷେତ୍ର ପ୍ରଭାବିତ ହୋଇଛି। ଓଇସିଡିର ମୁଖ୍ୟ ଅର୍ଥନୀତିଜ୍ଞ ଲରେନ୍ସ ବୋନି କହିଛନ୍ତି, କରୋନାକୁ ନେଇ ଯେଉଁ ସ୍ଥିତି ସୃଷ୍ଟି ହୋଇଛି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ତାହାର ମୁକାବିଲା କରିବାକୁ ସମର୍ଥ ନୁହନ୍ତି। ବଜାରରେ ଚାହିଦା କମିଛି, ନିବେଶକମାନଙ୍କ ବିଶ୍ବାସ ସ୍ତର ହ୍ରାସ ପାଇଛି ଏବଂ ସାମଗ୍ରୀଗୁଡ଼ିକର ଯୋଗାଣ ପ୍ରଭାବିତ ହୋଇଛି। ଏଭଳି ସମସ୍ୟାର ମୁକାବିଲା କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପାଖରେ କୌଣସି ସାଧନ ନାହିଁ। କ‌େରୋନା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା କରିବା ଲାଗି ସ୍ବାସ୍ଥ୍ୟ ସେବା କ୍ଷେତ୍ର ପ୍ରତି ଅଧିକ ଧ୍ୟାନ ଦେବା, କର୍ମଚାରୀମାନଙ୍କୁ କାର୍ଯ୍ୟ କରିବାରେ ସ୍ବାଧୀନତା ପ୍ରଦାନ କରିବା, ଆର୍ଥିକ କ୍ଷେତ୍ରକୁ ଅଧିକ ପାଣ୍ଠି ଯୋଗାଇବା ଏବଂ ପର୍ଯ୍ୟଟନ ଭଳି ପ୍ରଭାବିତ ‌ହୋଇଥିବା କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲାଗି ଓଇସିଡି ପରାମର୍ଶ ଦେଇଛି।

Advertisment

ତେଲ, ଡଲାର ଦାମ୍ କମିଲା
ମୁମ୍ବାଇ: କରୋନା ପ୍ରଭାବରେ ବିଶ୍ବ ବଜାରରେ ଆମେରିକୀୟ ଡଲାରର ଚାହିଦା କମିଛି। ଆଜି ମୁଦ୍ରା ବିନିମୟ ବଜାରରେ ଏକ ଡଲାର ମୂଲ୍ୟ ୭୨ ଟଙ୍କା ୪ ପଇସା ସ୍ତରକୁ ଖସିଛି। ବିଗତ ଏକ ବର୍ଷ ଭିତରେ ଟଙ୍କା ଏହାର ସବୁଠୁ ସୁଦୃଢ଼ ସ୍ଥିତିରେ ପହଞ୍ଚିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ୍ ହ୍ରାସ ପାଉଥିବାରୁ ଡଲାର ଚାହିଦା କମିଛି। କାରଣ ତେଲ କିଣିବା ଲାଗି ପୂର୍ବାପେକ୍ଷା କମ୍ ଡଲାର ଗଣିବାକୁ ପଡ଼ୁଛି। ଏକ ବ୍ୟ‌ାରେଲ ଅଶୋଧିତ ତେଲର ଦାମ୍ ୫୧.୩୯ ଡଲାର ସ୍ତରରେ ରହିଛି। ୟୁଏସ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦର ୪୪.୭୬ ଡଲାରକୁ ହ୍ରାସ ପାଇଛି।

ବହୁ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ବାତିଲ
ନୂଆଦିଲ୍ଲୀ: କରୋନା ଭୂତାଣୁ ୭୦ଟିକୁ ଦେଶକୁ ବ୍ୟାପୀ ଥିବାରୁ ଅନେକ ଆନ୍ତର୍ଜାତିକ କାର୍ଯ୍ୟକ୍ରମକୁ ବାଧ୍ୟ ହୋଇ ବାତିଲ କରାଯାଇଛି। ଆସନ୍ତା ଏପ୍ରିଲ୍‌ରେ ଆମେରିକାର କାଲିଫର୍ଣ୍ଣିଆ ସହରରେ ଆୟୋଜନ କରାଯିବାକୁ ଥିବା ଗୁଗୁଲ୍ ନିଉଜ୍ ଇନିସିଏଟିଭ୍ ସମିଟ୍‌କୁ ରଦ୍ଦ କରାଯାଇଛି। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା‌ ବିଶ୍ବର ସର୍ବବୃହତ ମୋଟର ସୋ’ ଜେନେଭା ଇଣ୍ଟରନ୍ୟାସନାଲ୍ ‌ଅଟୋ ସୋ’କୁ ବାତିଲ କରାଯାଇଛି। ଫେସବୁକ୍‌ର ଏଫ୍‌୮ ଡେଭେଲପର ସମ୍ମିଳନୀ, ବାର୍ସିଲୋନା ଠାରେ ହେବାକୁ ଥିବା ମୋବାଇଲ୍ ୱାର୍ଲଡ୍ କଂଗ୍ରେସ, ସାଂଘାଇ ଫେସନ ୱିକ, ପ୍ୟାରିସ ଓ ମିଲାନ ଫେସନ ୱିକ୍‌ ଓ ମିଲାନ ଫର୍ଣ୍ଣିଚର ଫେୟାରକୁ ବାତିଲ କରାଯାଇଛି।

ବ୍ୟବସାୟ ପ୍ରଭାବିତ ହେବ: ଡବ୍ଲୁଟିଓ
ଜେନେଭା: ବିଶ୍ବ ବାଣିଜ୍ୟ ସଂଗଠନର ମୁଖ୍ୟ ରବର୍ଟ ଆଜଭେଡୋ କହିଛନ୍ତି ଯେ କରୋନା ଭୂତାଣୁ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ମାତ୍ର ଆସନ୍ତା ଜୁନ୍‌ରେ କାଜାଖସ୍ତାନରେ ହେବାକୁ ଥିବା ମନ୍ତ୍ରୀ ସ୍ତରୀୟ ବୈଠକରେ ସୂଚୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ସେ କହିଛନ୍ତି। ଆସନ୍ତା କିଛି ସପ୍ତାହ ଭିତରେ ବ୍ୟବସାୟ ତଥ୍ୟରେ କରୋନା ପ୍ରଭାବ ପ୍ରତିଫଳିତ ହେବ ବୋଲି ସେ କହିଛନ୍ତି।