ଅର୍ଥନୀତିକୁ କରୋନାର ଶକ୍ତ ପ୍ରହାର, ଦେଶର ବିକାଶ ହାର ୨୩.୯% କମିଲା

୧୯୯୬ ପରେ ସବୁଠୁ ଖରାପ ସ୍ଥିତି, କୃଷି ଅଭିବୃଦ୍ଧି ୩.୪%, ଏକମାତ୍ର ଭଲ ଖବର

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ଲକ୍‌ଡାଉନ୍ ଅର୍ଥନୀତିକୁ ଏକ ପ୍ରକାର ପଙ୍ଗୁ କରିଦେଇଛି। ଲକ୍‌ଡାଉନ୍‌ର ଶକ୍ତ ପ୍ରହାରରେ ଅର୍ଥନୀତିର ଗତି ଠପ୍‌ ହୋଇଯାଇଛି। ଆଜି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଚଳିତ ଆର୍ଥିକ ବର୍ଷ ପ୍ରଥମ ତିନି ମାସ (ଏପ୍ରିଲ୍-ଜୁନ୍‌)ର ଅଭିବୃଦ୍ଧି ତଥ୍ୟରେ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଏହି ତିନି ମାସରେ ଅଭିବୃଦ୍ଧି ୨୩.୯ ପ୍ରତିଶତ ହ୍ରାସ ପାଇଛି। ୧୯୯୬ରେ ସରକାର ଜିଡିପି ତଥ୍ୟ ଜାରି କରିବା ପ୍ରକ୍ରିୟା ଆରମ୍ଭ କରିବା ପରଠାରୁ ଅର୍ଥନୀତିର ଏହା ସବୁଠୁ ଖରାପ ସ୍ଥିତି ବୋଲି କୁହାଯାଉଛି।

ଲକ୍‌ଡାଉନ୍ ସମୟରେ ଶିଳ୍ପ କାରଖାନା ବନ୍ଦ ହୋଇଥିବା ବେଳେ କୋଟି କୋଟି ଲୋକ ଜୀବିକା ହରାଇ ହନ୍ତସନ୍ତ ହେଉଛନ୍ତି। ଅଭିବୃଦ୍ଧି ହାର ୨୩.୯ ପ୍ରତିଶତ ହ୍ରାସ ପାଇଥିବାରୁ ଭାରତୀୟ ଅର୍ଥନୀତି ଗଭୀର ମାନ୍ଦାବସ୍ଥା କବଳରେ ପଡ଼ିଥିବା ଆଶଙ୍କା କରାଯାଉଛି। କରୋନା ସଂକ୍ରମଣ ଜାରି ରହିଥିବାରୁ ଆଗକୁ ମଧ୍ୟ ଏହାର ପ୍ରଭାବ ଜାରି ରହିବ। କ୍ରମାଗତ ଛଅ ମାସ ପାଇଁ ଅଭିବୃଦ୍ଧିରେ ବଡ଼ ଧରଣର ହ୍ରାସ ଘଟିଲେ ତାହା ମାନ୍ଦାବସ୍ଥା କବଳରେ ପଡ଼ିଛି ବୋଲି ବିଚାର କରାଯାଏ। ଆର୍ଥିକ ସେବା କ୍ଷେତ୍ରର ଅଭିବୃଦ୍ଧି ହାର ଗତବର୍ଷର ଏପ୍ରିଲ୍-ଜୁନ୍‌ ତୁଳନାରେ ୫.୩ ପ୍ରତିଶତ ହ୍ରାସ ପାଇଛି। ମାନୁଫାକ୍‌ଚରିଂ ଓ ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହାର ୩୯.୩ ପ୍ରତିଶତ କମିଛି। ଏହି ସମୟରେ ଏକମାତ୍ର ଭଲ ଖବର ହେଉଛି, କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୩.୪ ପ୍ରତିଶତ ହୋଇଛି। ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ କରୋନା ମୁକାବିଲା ପାଇଁ ଲାଗୁ କରାଯାଇଥିବା ବିଭିନ୍ନ ପ୍ରକାର କଟକଣାକୁ ଧୀରେ ଧୀରେ ପ୍ରତ୍ୟାହାର କରାଯାଉଛି। ଏହାର ପ୍ରଭାବ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ପଡ଼ିଛି। ଜିଡିପି ହିସାବ ଲାଗି ତଥ୍ୟ ସଂଗ୍ରହ କରିବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଶିଳ୍ପ କାରଖାନାରେ ହେଉଥିବା ଉତ୍ପାଦନ ଓ ଉପଭୋକ୍ତା ମୁଦ୍ରାସ୍ଫୀତିକୁ ନେଇ ସମସ୍ୟା ରହିଛି। ତେଣୁ, ଜାରି କରାଯାଇଥିବା ଜିଡିପି ତଥ୍ୟରେ ଆଗାମୀ ଦିନରେ ସଂଶୋଧନ ହେବାର ସମ୍ଭାବନା ରହିଛି ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଗତ ମାର୍ଚ୍ଚ ୨୫ରେ ସରକାର ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରିବାରୁ ହଜାର ହଜାର ଲୋକ ଜୀବିକା ହରାଇବା ସହ କର୍ମ କ୍ଷେତ୍ରରେ ସକ୍ରିୟ ଥିବା ଲୋକମାନେ ଘର ଭିତରେ ବାନ୍ଧି ହୋଇ ରହିବାକୁ ବାଧ୍ୟ ହୋଇଥିଲେ। ତାହାର ଦେଶର ଅର୍ଥନୀତିକୁ ଶକ୍ତ ଧକ୍କା ଦେଇଛି। ଅର୍ଥନୀତିର ଇଞ୍ଜିନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ଯାହାକୁ ପୁଣି ଥରେ ଚାଲୁ କରି ଆଗକୁ ବଢ଼ାଇବା ଲାଗି ଏବେ ଉଦ୍ୟମ କରାଯାଉଛି।

ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ କହିଛନ୍ତି ଯେ ଲକ୍‌ଡାଉନ୍ ପ୍ରଭାବ ଯୋଗୁଁ ଜିଡିପି ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଥିଲା। ତେବେ ଅର୍ଥନୀତିରେ ଦ୍ରୁତ ‌ସୁଧାର ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ମାତ୍ର ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ କରୋନା ସଂକ୍ରମଣ ବଢ଼ୁଥିବାରୁ ସରକାରୀ ବ୍ୟୟ ପ୍ରଭାବିତ ହୋଇଥିବା ବେଳେ ମୁଦ୍ରାସ୍ଫୀତି ହାର ବଢ଼ୁଛି।‌ ତେଣୁ ଅର୍ଥନୀତିରେ ସୁଧାର ହେବାର ବହୁତ ସମ୍ଭାବନା ରହିଛି। ୨୦୨୦-୨୧ ବର୍ଷ ସାରାର ଅଭିବୃଦ୍ଧି ୧୦ ପ୍ରତିଶତ କମିବ ବୋଲି ସେମାନେ ଆକଳନ କରିଛନ୍ତି। ଲକ୍‌ଡାଉନ୍ ଦ୍ବାରା ଆଘାତ ପାଇଥିବା ଅର୍ଥନୀତିକୁ ବଳ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଗରିବ ଓ ପ୍ରବାସୀ ଶ୍ରମିକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଠାରୁ ଆରମ୍ଭ କରି ଏମ୍ଏସ୍‌ଏମ୍ଇକୁ ଜରୁରୀକାଳୀନ ଋଣ ସହାୟତା ଭଳି ସୁବିଧା ଏହି ପ୍ୟାକେଜ୍‌ରେ ସାମିଲ ରହିଛି। ଏହା ସତ୍ତ୍ବେ ବିଭିନ୍ନ ସାମଗ୍ରୀର ଚାହିଦା ବଢ଼ୁନଥିବା ବେଳେ ମାନୁଫାକ୍‌ଚରିଂରେ ସୁଧାର ହେଉନାହିଁ। ୨୦୨୪ ସୁଦ୍ଧା ଦେଶକୁ ୫ ଲକ୍ଷ କୋଟି ଡଲାରରେ ପରିଣତ କରିବା ଲାଗି ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ ସେଥିପ୍ରତି କରୋନା ମହାମାରୀ ଶକ୍ତ ଧକ୍କା ସାବ୍ୟସ୍ତ ହୋଇଛି। ଏହି ଲକ୍ଷ୍ୟ ହାସଲ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର