ଅର୍ଥନୀତିକୁ କରୋନା ମାଡ଼, ୩୮ଟି କେନ୍ଦ୍ରୀୟ ବ୍ୟାଙ୍କ କମାଇଲେଣି ସୁଧ

ମୁମ୍ବାଇ: କରୋନା ଭୂତାଣୁ ବ୍ୟାପୁଥିବାରୁ ବିଶ୍ବ ଅର୍ଥନୀତି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଛି। ଅର୍ଥନୀତିକୁ କରେନା ପ୍ରଭାବରୁ ରକ୍ଷା କରିବା ପାଇଁ ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ଆଗେଇ ଆସିଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ବିଶ୍ବର ୩୮ଟି କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କ ସୁଧ ହାର ହ୍ରାସ ଘୋଷଣା କରିସାରିଲେଣି। ଆଗାମୀ ଦିନରେ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁଧ ହାର କମାଇବା ସମ୍ଭାବନା ରହିଛି। ଗତ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅତିରିକ୍ତ ୩୦ ହଜାର କୋଟି ଟଙ୍କାର ସରକାରୀ ବଣ୍ଡ କିଣିବା ପାଇଁ ଘୋଷଣା କରିଛି। ଏହି ବଣ୍ଡ୍‌ ମାର୍ଚ୍ଚ ୨୪ ଏବଂ ୩୦ ତାରିଖରେ କିଣାଯିବ। ଅର୍ଥନୀତି ଉପରେ ଭୟଙ୍କର ଚାପ ରହିଥିବା କାରଣରୁ ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛି। ତେବେ ସୁଧ ହାର ହ୍ରାସ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ। କିନ୍ତୁ କେୟାର ରେଟିଂସ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନବିସ୍‌ ମତ ଦେଇଛନ୍ତି, ଦେଶରେ କରୋନା ଭୂତାଣୁ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ସରକାର ଦୋକାନ ବଜାର ସମେତ କଳ କାରଖାନା ବନ୍ଦ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ଉତ୍ପାଦନ ହ୍ରାସ ପାଉଛି। ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଏହାଦ୍ବାରା ପ୍ରଭାବିତ ହୋଇଛି। ଦେଶରେ ବିଭିନ୍ନ ସାମଗ୍ରୀର ଉତ୍ପାଦନ ଏବଂ ନିଯୁକ୍ତି ଉପରେ ଗୁରୁତର ପ୍ରଭାବ ପଡ଼ିଛି।

ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ସୁଧ ହାରରେ ୫୦ ବେସିସ୍ ପଏଣ୍ଟ ସୁଧ ହାର ହ୍ରାସ ଘୋଷଣା କରିବା ସମ୍ଭାବନା ରହିଛି। ଆସନ୍ତା ଏପ୍ରିଲ ୨ ତାରିଖରେ ହେବାକୁ ଥିବା ମୁଦ୍ରାନୀତି କମିଟି ବୈଠକ ପୂର୍ବରୁ କିମ୍ବା ବୈଠକ ସମୟରେ ସୁଧ ହାରରେ ଏହି ‌ହ୍ରାସ ଘୋଷଣା କରାଯାଇପାରେ ବୋଲି ସେ କହିଛନ୍ତି। ବ୍ୟାଙ୍କ ଗୁଡ଼ିକ ଠାରୁ ବଣ୍ଡ୍ କିଣି ସେମାନଙ୍କୁ ଅର୍ଥ ପ୍ରଦାନର ଲକ୍ଷ୍ୟ ହେଲା ସେମାନେ ଲୋକ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନକୁ ଅଧିକରୁ ଅଧିକ ଋଣ ପ୍ରଦାନ କରିବେ। ସୁଧ ହାର ହ୍ରାସ କରିଥିବା କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ୧୧ଟି କେନ୍ଦ୍ରୀୟ ବ୍ୟାଙ୍କ ଗତ ୧୫ ଦିନ ମଧ୍ୟରେ ଦୁଇ ଥର ସୁଧ ହାର କମାଇଛନ୍ତି। ସେହି ଦେଶଗୁଡ଼ିକ ହେଲେ ଅଷ୍ଟ୍ରେଲିଆ, ବାହାରିନ, କାନାଡ଼ା, ହଂକଂ, ଆଇସଲାଣ୍ଡ, କୁଏତ୍‌, ମାକାଉ, କାତାର, ସଂଯୁକ୍ତ ଆରବ ଏମିରେଟ୍‌ସ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସାଉଦି ଆରବ ବୋଲି କେୟାର ରେଟିଂସ୍‌ ରିପୋର୍ଟରେ କୁହରାଯାଇଛି। ସୁଧ ହାର ହ୍ରାସ କରିବା କରିବା ସହିତ କେତେକ ‌ କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥନୀତିରେ ନଗଦ ପୁଞ୍ଜି ପ୍ରବାହ ମଧ୍ୟ କରାଇଛନ୍ତି। ଏଥିସହିତ ‌ ସ୍ବିଡେନ, ଜାପାନ, ୟୁରୋପୀୟ ସଂଘ ଆଦିର ବ୍ୟାଙ୍କ ଗୁଡ଼ିକ ବଣ୍ଡ୍ କ୍ରୟ କରିଥିବାବେଳେ ବ୍ରିଟେନ, ହଂକଂ, କାନାଡ଼ା ଭଳି କେନ୍ଦ୍ରୀୟ ବ୍ୟାଙ୍କ କୋହଳ ମୁଦ୍ରାନୀତି ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର