ଖଣି ଶିଳ୍ପ ଉପରେ କରୋନା ମାଡ଼: ନିଲାମ ୨୧ ଖଣି ଖନନ କାର୍ଯ୍ୟ ବ୍ୟାହତ ହୋଇପାରେ

ଭୁବ‌ନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ନିଲାମ ହୋଇଥିବା ୨୧ଟି ଖଣିର ଉତ୍ପାଦନ ବ୍ୟାହତ ହୋଇପାରେ। ଏସବୁ ଖଣିର ନିଲାମ ଅବଧି ଚଳିତ ମାସ ୩୧ ‌ତାରିଖରେ ସରୁଥିବାରୁ ପୂର୍ବରୁ ଏଗୁଡ଼ିକର ନିଲାମ କରାଯାଇଥିଲା। ତେବେ ବର୍ତ୍ତମାନ ସାରା ବିଶ୍ବରେ କରୋନା ମହାମାରୀ ପାଇଁ ବିଭିନ୍ନ ପ୍ରକାର କଟକଣା ଜାରି ହୋଇଥିବାରୁ ନିଲାମ‌ରେ ଖଣି ହାସଲ କରିଥିବା କମ୍ପାନି ଗୁଡ଼ିକ ଖଣିରୁ ଲୁହାପଥର, ମାଙ୍ଗାନିଜ ଏବଂ ଚୂନପଥର ଆଦିର ଉତ୍ପାଦନ ଜାରି ରହିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଖଣି ନିଲାମ ଅବଧି ଶେଷ ହେବା ପୂର୍ବରୁ ନିଲାମ କାର୍ଯ୍ୟ କରିପାରିଥିବାରୁ ରାଜ୍ୟ ସରକାର ଏହାକୁ ନେଇ ଖୁସି ଥିଲେ। ସେହିଭଳି ଖଣିର ମାଲିକାନାସ୍ବତ୍ବ ଏବଂ ଖନନ କାର୍ଯ୍ୟ ଯେଭଳି ସ୍ବାଭାବିକ ରହିବ ସେଥିପାଇଁ ସରକାର ଏକ ଅଧ୍ୟାଦେଶ ମାଧ୍ୟମରେ ସମସ୍ତ ପ୍ରକାର ବୈଧାନିକ ଅନୁମତିକୁ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କିନ୍ତୁ ବର୍ତ୍ତମାନ କରୋନା ମହାମାରୀ ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା ହୋଇଛି। ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍ ଜାରି ରହିବ। ଫଳରେ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ସରକାରୀ କାଗଜପତ୍ର ପ୍ରସ୍ତୁତ ହେବା ସହିତ ଖଣିରୁ ପୁଣି ଥରେ‌ ଖନନ ଆରମ୍ଭ ହେବା କାର୍ଯ୍ୟ ବିଳମ୍ବ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଖଣି ଖନନ କାର୍ଯ୍ୟ ଅତିକମ୍‌ରେ ମାସେ ବିଳମ୍ବ ହୋଇଯାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଲକଡାଉନ୍ ଯୋଗୁଁ ଏବେ ଇସ୍ପାତ ଓ ଖଣି ବିଭାଗ ବନ୍ଦ ରହିଛି। ତେଣୁ ଖଣିର ନୂଆ ଲିଜ୍‌ଧାରୀମାନଙ୍କୁ ଏହି ବିଭାଗରୁ ଆବଶ୍ୟକ ଅନୁମତି ହାସଲ କରିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଖଣି ଖନନ କରିବା ପୂର୍ବରୁ ନୂଆ ମାଲିକମାନଙ୍କୁ ବିଭାଗଠାରୁ ଆଗୁଆ ଅନୁମତି ହାସଲ କରିବାକୁ ହେବ।

ଏହି ଖଣି ଖନନ କାର୍ଯ୍ୟ ବିଳମ୍ବ ହେଲେ ରାଜ୍ୟରେ ବିଭିନ୍ନ ପ୍ରକାର ଖଣିଜ ସାମଗ୍ରୀର ଯୋଗାଣ ଏବଂ ଚାହିଦା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏହି ୨୧ଟି ଖଣି ମିଶି ବାର୍ଷିକ ୭୦ ନିୟୁତ ଟନ୍ ଖଣିଜ ସାମଗ୍ରୀ ଉତ୍ତୋଳନ ପାଇଁ ଅନୁମତି ପାଇଛନ୍ତି। ଅଧିକାଂଶ ଛୋଟ ଏବଂ ମଧ୍ୟମ ଧରଣର ଇସ୍ପାତ କାରଖାନା, ସ୍ପଞ୍ଜ ଆଇରନ୍‌ କାରଖାନା ଏବଂ ପେଲେ‌ଟ ନିର୍ମାତାମାନେ ଏଭଳି ଖଣି ମାଲିକଙ୍କ ଉପରେ ସେମାନଙ୍କ କଞ୍ଚାମାଲ ଆବଶ୍ୟକତା ପୂରଣ ପାଇଁ ନିର୍ଭର କରିଥାନ୍ତି। ତେଣୁ ଏସବୁ କମ୍ପାନି ଗୁଡ଼ିକରେ କଞ୍ଚାମାଲର ଅଭାବ ଦେଖାଦେଇପାରେ। ଏତଦ୍‌ବ୍ୟତୀତ କରୋନା ପାଇଁ କଟକଣା ଜାରି ହେବା ପରେ ଏବେ ରାଜ୍ୟରେ ଟ୍ରକ୍ ଡ୍ରାଇଭରଙ୍କ ଘୋର ଅଭାବ ଦେଖାଦେଇଛି। ଖଣି କାମ ପାଇଁ ମଧ୍ୟ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଓ ଶ୍ରମିକ ମିଳୁନାହାନ୍ତି। ଏହା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଲକ୍‌ଡାଉନ୍ ନିୟମକୁ କୋହଳ କରିବା ପାଇଁ କେନ୍ଦ୍ର ଇସ୍ପାତ ସଚିବ ସବୁ ରାଜ୍ୟଗୁଡ଼ିକୁ ଚିଠି ଲେଖିଛନ୍ତି। ଖଣି, ଇସ୍ପାତ କାରଖାନାରେ ଉତ୍ପାଦନ ଯେଭଳି ବ୍ୟାହତ ନହେବ ତାହାକୁ ଦୃଷ୍ଟିରେ ରଖି ଏହି ଚିଠି ଦିଆଯାଇଛି। କିନ୍ତୁ ଏହା ଖଣି ମାଲିକମାନଙ୍କୁ ପୂର୍ଣ୍ଣ ମାତ୍ରାରେ ଆଶ୍ବସ୍ତ କରିପାରିନାହିଁ। ନିୟମ କୋହଳ କରାଯାଇଥିଲେ ମଧ୍ୟ କର୍ମଚାରୀ ମିଳିବା କଷ୍ଟ ହେ‌ବ ବୋଲି ଖଣି ମାଲିକମାନେ ମତ ଦେଇଛନ୍ତି। ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଏବଂ ଦୈତାରୀ ଖଣିରେ ଯଦିଓ ଏବେ ଉତ୍ପାଦନ ସ୍ବାଭାବିକ ରହିଛି ତଥାପି ମାଲ ପରିବହନ ବେଳେ ନିଗମଙ୍କୁ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଥିବା ଜଣାଯାଇଛି। ରାଜ୍ୟ ସରକାର ନିଲାମ କରିଥିବା ୨୧ଟି ଖଣି ମଧ୍ୟରୁ ଜେଏସଡବ୍ଲ୍ୟୁ ୪ଟି ଖଣି ହାତେଇ ନେଇଥିବାବେଳେ ଆର୍ସେଲର ମିତ୍ତଲ ଠାକୁରାଣୀ ଏବଂ ଜେଏସପିଏଲ ଗୁଆଳି ଖଣିକୁ ପାଇ ପାରିଛନ୍ତି।

ସମ୍ବନ୍ଧିତ ଖବର