କରୋନା ପ୍ରଭାବ: ମହଙ୍ଗା ହେବ ସ୍ମାର୍ଟଫୋନ୍, ଅଭାବ ପଡ଼ିବ ଔଷଧ !

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ଭାଇରସ୍ ଯୋଗୁ ମୋବାଇଲ ଉତ୍ପାଦନ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ଆସନ୍ତା ୬ ମାସ ପର୍ଯ୍ୟନ୍ତ ଚୀନର କାରଖାନାରେ ଉତ୍ପାଦନ ବନ୍ଦ ରହିବା ଆଶଙ୍କା ରହିଛି। ଆଉ ଏହାର ପ୍ରଭାବ ଆସନ୍ତା ୧୫ ଦିନ ଭିତରେ ଭାରତ ବଜାରରେ ପଡ଼ିବାକୁ ଯାଉଛି। ଫଳରେ ଭାରତରେ ସ୍ମାର୍ଟଫୋନ୍ ଦର ୬ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ ‌ବୋଲି ଆଶଙ୍କା ପ୍ରକାଶ ପାଇଛି। ଫୋନ୍ ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିମାନଙ୍କ କହିବାନୁଯାୟୀ, କମ୍‌ ଦାମିଆ ସ୍ମାର୍ଟଫୋନ୍ ଏବଂ ଫିଚର୍‌ ଫୋନ୍‌ ଦର ସବୁଠୁ ଅଧିକ ପ୍ରଭାବିତ ହେବ।

ଫିଚର୍‌ ଫୋନ୍ ନିର୍ମାତା ମେଗ୍ ୟୁଏସ୍ ମୋବାଇଲ୍‌ର ମୁଖ୍ୟ ବିକ୍ରି ଅଧିକାରୀ ନିଖିଲ ଚୋପ୍ରା କହିଛନ୍ତି, ଭାରତରେ ଫିଚର ଫୋନ୍ ସବୁଠୁ ଅଧିକ ପ୍ରଭାବିତ ହେବ। ଫିଚର ଫୋନ ଦର ୧୦ ପ୍ରତିଶତ ପର୍ଯ୍ୟନ୍ତ ଏବଂ ସ୍ମାର୍ଟଫୋନ୍ ଦର ୬ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ । ଆସନ୍ତା ୧୫ରୁ ୨୦ ଦିନ ଭିତରେ ଏହା ଦେଖିବାକୁ ମିଳିବ ବୋଲି ସେ ମତ ଦେଇଛି। ଚୀନରୁ ସମ୍ପୂର୍ଣ୍ଣ ନିର୍ମାଣ ହୋଇ ଆମଦାନି ହେଉଥିବା ଆପଲ୍ ଆଇଫୋନ୍ ଭଳି ଫୋନ ମୂଲ୍ୟ ଅଧିକ ବଢ଼ିଯିବ ବୋଲି କାନାଲିସର ଗବେଷକ ଅଦ୍ବୈତ ମାର୍ଡିକର୍ କହିଛନ୍ତି। କରୋନା ଭାଇରସ ବ୍ୟାପିକା କାରଣରୁ ଚୀନରେ ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ତାହାର ପ୍ରଭାବ ଆସନ୍ତା ୬ ମାସ ପର୍ଯ୍ୟନ୍ତ କଳ କାରଖାନା ଉପରେ ପଡ଼ିବ। ଚୀନରେ ଫୋନ ନିର୍ମାଣରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣର ଦର ବଢ଼ିଯାଇଛି। କେତେକ ଅରିଜିନାଲ ଇକ୍ବିପମେଣ୍ଟ ମ୍ୟାନୁଫାକଚର ଦର ବଢ଼ାଇ ସାରିଲେଣି। ଭାରତରେ ସବୁଠୁ ଅଧିକ ସ୍ମାର୍ଟଫୋନ ବିକ୍ରି କରୁଥିବା ସାଓମି ଗତ ସପ୍ତାହରେ ଏହାର ଲୋକପ୍ରିୟ ମଡେଲ ରେଡମି ‌ନୋଟ୍ ୮ର ଦର ବଢ଼ାଇ ସାରିଛି। ଗୁରଗାଓଁ ଭିତ୍ତିକ ସାମସଙ୍ଗର ଜଣେ ଡିଷ୍ଟ୍ରିବ୍ୟୁଟର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ମାର୍ଚ୍ଚ ବେଳକୁ ଫୋନ ମହଜୁଦ ଶେଷ ହୋଇଯିବ। ତେଣୁ ଏହାର ପ୍ରଭାବ ଦର ଉପରେ ପଡ଼ିବ।

୧୫ ଦିନ ଭିତରେ ପଡ଼ିବ ପ୍ରଭାବ, ୬-୭% ପର୍ଯ୍ୟନ୍ତ ବଢ଼ିଯିବ ଦର
ବିଶ୍ବ ଅଭିବୃଦ୍ଧିକୁ ପ୍ରଭାବିତ କରିବ କରୋନା: ଆଇଏମ୍ଏଫ୍‌

ଦୁବାଇ: କରୋନା ଭାଇରସ ଯୋଗୁଁ ୨୦୨୦ରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହୋଇପାରେ। ଏହା କହିଛନ୍ତି ଆଇଏମ୍‌ଏଫ୍ ଏମଡି କ୍ରିଷ୍ଟିଲିନା ଜର୍ଜିଏଭା। ଅଭିବୃଦ୍ଧି ୦.୧ ପ୍ରତିଶତରୁ ୦.୨ ପ୍ରତିଶତ ପର୍ଯ୍ୟନ୍ତ କମିପାରେ। କିନ୍ତୁ ଏହାପରେ ଅଭିବୃଦ୍ଧିରେ ଦ୍ରୁତ ସୁଧାର ଆସିବ ବୋଲି ସେ କହିଛନ୍ତି। ତେବେ ଏବେଠୁ ଏ ‌ନେଇ ଆକଳନ କରିବା ଆଗୁଆ ହୋଇଯିବ ବୋଲି ଦୁବାଇଠାରେ ଆୟୋଜିତ ବିଶ୍ବ ମହିଳା ଫୋରମ୍‌ରେ ଯୋଗଦେଇ ଆଇଏମ୍ଏଫ୍‌ ଏମ୍‌ଡି କହିଛନ୍ତି।

ଔଷଧ ଅଭାବ ପଡ଼ିବ!
ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସ୍ ଯୋଗୁ ଭାରତରେ କେବଳ ମୋବାଇଲ ଫୋନ୍ କିମ୍ବା ସୋଲାର୍‌ ପ୍ୟାନେଲ୍‌ର ଅଭାବ ଓ ମୂଲ୍ୟବୃଦ୍ଧି ଘଟିବ ନାହିଁ କେତେକ ଗୁରୁତ୍ବପୂର୍ଣ୍ଣ ଔ‌ଷଧର ଅଭାବ ସହିତ ମୂଲ୍ୟବୃଦ୍ଧିର ଆଶଙ୍କା ବି ରହିଛି। ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ସଂଘ ଫିକି ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାଯାଇଛି। ଭାରତରେ ବହୁଳଭାବେ ବ୍ୟବହୃତ ହେଉଥିବା ଔଷଧ ଯଥା ପାରାସିଟାମଲ, ଆଇବ୍ରୁଫେନ, କେତେକ ଆଣ୍ଟିବାୟୋଟିକ୍ ଏବଂ ମଧୁମେହ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଔଷଧର ଅଭାବ ଦେଖାଦେବ। କରୋନା ଭାଇରସ୍ ପ୍ରଭାବରେ ଚୀନରୁ ଏସବୁ ଔଷଧ ପ୍ରସ୍ତୁତି ପାଇଁ ଆସୁଥିବା ଉପାଦାନ ଯୋଗାଣ ଯଦି ଦୁଇମାସରୁ ଅଧିକ ସମୟ ପ୍ରଭାବିତ ହେବ ତା’ହେଲେ ଭାରତରେ ଉପରୋକ୍ତ ସମସ୍ୟା ଉପୁଜିବ। କାରଣ ପ୍ରାୟ ଅଧିକାଂଶ ଔଷଧର ୭୦ ପ୍ରତିଶତ ଉପାଦାନ ଭାରତ ଚୀନରୁ ଆମଦାନି କରିଥାଏ। ଶିଳ୍ପଗୁଡ଼ିକର ମତାମତ ସଂଗ୍ରହ ପରେ ଫିକି ଏଭଳି ଆକଳନ କରିଛି। କେତେକ କ୍ଷେତ୍ରରେ ଭାରତୀୟ ଔଷଧ ନିର୍ମାତାଙ୍କ ନିକଟରେ ଦୁଇରୁ ତିନିମାସ ପର୍ଯ୍ୟନ୍ତ ଔଷଧ ନିର୍ମାଣ ପାଇଁ ଆବଶ୍ୟକ ଉପାଦାନ ମହଜୁଦ ରହିଛି। ତେଣୁ ତୁରନ୍ତ ଏହାର ଅସୁବିଧା ଦେଖାଯିବ ନାହିଁ। କିନ୍ତୁ ଯଦି ସମସ୍ୟା ଦୁଇମାସରୁ ଅଧିକ ସମୟ ଲାଗିରହେ ଏବଂ ଚୀନରେ କଳକାରଖାନା ଫେବ୍ରୁଆରି ପରେ ବି ବନ୍ଦ ରହେ ତା’ହେଲେ ଭାରତରେ ‌କେତେକ ଔଷଧର ଦାମ୍ ବଢ଼ଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର