କରୋନା ପାଇଁ ବିପୁଳ କ୍ଷତି: ପଡ଼ିଲା, ଉଠିଲା ସେନ୍‌ସେକ୍ସ, ୧୨ ବର୍ଷ ପରେ ପ୍ରଥମ ଥର ଅଟକିଲା କାରବାର

୩୩୦୦ ପଏଣ୍ଟ୍‌ ଖସିଥିଲା, ୧୩୨୫ ପଏଣ୍ଟ୍‌ ବୃଦ୍ଧି ସହ ବନ୍ଦ

କରୋନାକୁ ନେଇ ଶିଳ୍ପ ଜଗତରେ ଭୟ ସୃଷ୍ଟି ହୋଇଛି। ଏହାର ପ୍ରଭାବ ଷ୍ଟକ୍‌ ବଜାର ଠାରୁ ଆରମ୍ଭ କରି ସୁନା ଦର ପର୍ଯ୍ୟନ୍ତ ସବୁଥିରେ ପ୍ରତିଫଳିତ ହୋଇଛି। ଷ୍ଟକ୍‌ ବଜ‌ାର ନିବେଶକମାନେ ଚିନ୍ତିତ ଅଛନ୍ତି। ସେୟାର ଦାମ୍ ହ୍ରାସ ପାଉଥିବାରୁ ଦେଶର ଧନୀ ବ୍ୟକ୍ତିମାନେ ବିପୁଳ କ୍ଷତି ସହିଲେଣି। ସିନେମା ପାଇଁ ସୁଟିଂ ଠପ୍ ହୋଇଯାଇଛି। ସବୁ ପ୍ରକାର ପ୍ରଚାର କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ସହର ଭିତରେ ବିଭିନ୍ନ ବ୍ୟାବସାୟିକ ସଂସ୍ଥା ତରଫରୁ ଆୟୋଜନ କରାଯିବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ କରାଯାଉଛି। ଜାତୀୟ ସ୍ତରରେ ପର୍ଯ୍ୟଟକମାନେ କରିଥିବା ବିଭିନ୍ନ ପ୍ରକାର ବୁକିଙ୍ଗ୍‌କୁ ବାତିଲ କରୁଛନ୍ତି

ମୁମ୍ବାଇ: ବମ୍ବେ ଷ୍ଟକ ବଜାର କାରବାର ଆଜି ଅତ୍ୟଧିକ ଅସ୍ଥିର ରହିଥିଲା। ଷ୍ଟକ ବଜାର ଖୋଲିବାର କିଛି ସମୟ ଭିତରେ ସେନ୍‌ସେକ୍ସ ତିନି ହଜାର ପଏଣ୍ଟ୍‌ ତଳକୁ ଖସିଯାଇଥିଲା। ‘ଲୋୟର ସର୍କିଟ୍‌’ରେ କାରବାର ପହଞ୍ଚିଯିବା ଯୋଗୁଁ ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ଲାଗି ୪୫ ମିନିଟ୍‌ ପର୍ଯ୍ୟନ୍ତ ବଜାର ବନ୍ଦ ରହିଥିଲା। ବଜାର ଖୋଲିବା ପରେ ସେନ୍‌ସେକ୍ସରେ ହ୍ରାସର ଧାରା ଜାରି ରହିବା ପରେ ସେଥିରେ ଦ୍ରୁତ ସୁଧାର ଦେଖିବାକୁ ମିଳିଥିଲା। ଏକ ସମୟରେ ଗତକାଲିର ବନ୍ଦ ତୁଳନାରେ ସେନ୍‌ସେକ୍ସ ୪୭୧୫ ପଏଣ୍ଟ୍‌ ତଳକୁ ଖସିଯାଇଥିଲା। ଏହା ନିବେଶକମାନଙ୍କୁ ସାଂଘାତିକ ଭାବେ ଡରାଇ ଦେଇଥିଲା। କିନ୍ତୁ କିଛି ସମୟ ପରେ ସେଥିରେ ଅବିଶ୍ବସନୀୟ ସୁଧାର ଘଟିଥିଲା। ଯେଉଁ ସେନ୍‌ସେକ୍ସ ବଜାର ଖୋଲିବା ମାତ୍ରେ ୩୩୦୦ ପଏଣ୍ଟ୍‌ ତଳକୁ ଖସିଯାଇଥିଲା ସେଥିରେ ୫୩୮୧ ପଏଣ୍ଟ୍‌ର ବୃଦ୍ଧି ହୋଇଥିଲା। ଜାତୀୟ ଷ୍ଟକ ବଜାରର ନିଫ୍‌ଟିରେ ମଧ୍ୟ ୧୬୦୪ ପଏଣ୍ଟ୍‌ର ବୃଦ୍ଧି ଘଟିଥିଲା। କାରବାର ଶେଷ ବେଳକୁ ସେନ୍‌ସେକ୍ସ ୧୩୨୫ ପଏଣ୍ଟ୍‌ର ବୃଦ୍ଧି ସହ ୩୪, ୧୦୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନିଫ୍‌ଟି ୪୩୩ ପଏଣ୍ଟ୍‌ ବୃଦ୍ଧି ପାଇ ୧୦,୦୦୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଆଜି ଘଟିଥିବା ବୃଦ୍ଧି ଯୋଗୁଁ ନିବେଶକମାନଙ୍କ ସମ୍ପତ୍ତିରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି। ସେନ୍‌ସେକ୍ସ ଇତିହାସରେ ପ୍ରଥମ ଥର ଲାଗି ଗୋଟିଏ ଦିନ ଭିତରେ ୪୭୧୫ ପଏଣ୍ଟ୍‌ ଭଳି ବଡ଼ ଧରଣର ସୁଧାର ଘଟିଛି। ୪୫ ମିନିଟ୍ ପର୍ଯ୍ୟନ୍ତ କାରବାର ବନ୍ଦ ରଖିବା ପରେ ୧୩୦୦ରୁ ଅଧିକ ପଏଣ୍ଟ୍‌ର ବୃଦ୍ଧି ସହ ସେନ୍‌ସେକ୍ସ ବନ୍ଦ ହେବା ଅତ୍ୟନ୍ତ ବିରଳ। ଗତକାଲି ଆମେରିକାର ଡାଓ ଜୋନ୍ସ ୧୦୦୦ରୁ ଅଧିକ ପଏଣ୍ଟ୍‌ ତଳକୁ ଖସିଥିବାରୁ ଆଜି ଭାରତୀୟ ଷ୍ଟକ ବଜାରରେ ପୁଣି ହ୍ରାସ ଘଟିବ ବୋଲି ଅନୁମାନ କରାଯାଉଥିଲା। ଗତକାଲି ସେନ୍‌ସେକ୍ସରେ ପ୍ରାୟ ୩୦୦୦ ପଏଣ୍ଟ୍‌ର ହ୍ରାସ ଘଟିଥିଲା। ଫଳରେ ନିବେଶକମାନେ ୧୧ ଲକ୍ଷ କୋଟି ଟଙ୍କା ହରାଇଥିଲେ।

ପର୍ଯ୍ୟଟକ ବାତିଲ୍ କରୁଛନ୍ତି ବୁକିଂ
ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ଯୋଗୁଁ ପର୍ଯ୍ୟଟକମାନେ ଦିଲ୍ଲୀ ଆସିବାର ସେମାନଙ୍କର ଆଗୁଆ ଯୋଜନାକୁ ବହୁ ସଂଖ୍ୟାରେ ବାତିଲ କରିଦେଇଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଟୁର୍ ଅପରେଟରମାନଙ୍କ ସୂତ୍ରରୁ ଏଭଳି ସୂଚନା ମିଳୁଛି। ଇଣ୍ଡିଆନ ଆସୋସିଏସନ ଅଫ୍ ଟୁର୍ ଅପରେଟର୍ସ କହିଛି, ପର୍ଯ୍ୟଟନ କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହେଲାଣି। ଏଥିରେ ସବୁଠାରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ ସହିତ ଅନ୍ୟ କିଛି ଦେଶର ପର୍ଯ୍ୟଟକ ମାନେ ସେମାନଙ୍କର ବୁକିଂକୁ ବାତିଲ କରିଦେଇଛନ୍ତି। ଏଥିସହିତ ଓଡ଼ିଶା ସମେତ କିଛି ଅନ୍ୟ ରାଜ୍ୟର ଘରୋଇ ପର୍ଯ୍ୟଟକ ମାନେ ବର୍ତ୍ତମାନ ସ୍ଥିତିରେ ଦିଲ୍ଲୀ ଆସିବା ଉଚିତ ମନେ ନକରି ସେମାନଙ୍କର ଟୁର୍ ପ୍ଲାନକୁ ରଦ୍ଦ କରିଦେଇଛନ୍ତି। ପାଖାପାଖି ୬୦ ପ୍ରତିଶତରୁ ଅଧିକ ଘରୋଇ ପର୍ଯ୍ୟଟକ ମାନେ ଦିଲ୍ଲୀ ଟୁର୍ ପ୍ଲାନକୁ ବାତିଲ କରିଦେଇଥିବା ଜଣାପଡ଼ିଛି। ଦିଲ୍ଲୀରେ ପାଖାପାଖି ୩ ହଜାରରୁ ଅଧିକ ପଞ୍ଜୀକୃତ ଗେଷ୍ଟହାଉସ ଓ ହୋଟେଲ ରହିଛି।

ସମ୍ବନ୍ଧିତ ଖବର