କରୋନା ପ୍ରଭାବ: ସରକାରଙ୍କ ନିର୍ଦ୍ଦେଶ ପରେ ସାନିଟାଇଜର୍ ଦାମ୍ କମାଇଲେ କମ୍ପାନି

ନୂଆଦିଲ୍ଲୀ: ଏଫ୍‌ଏମ୍‌ସିଜି କମ୍ପାନି ଗୁଡ଼ିକ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହ୍ୟାଣ୍ଡ ସାନିଟାଇଜର ଦାମ୍ ହ୍ରାସ କରିଛନ୍ତି। ଚାହିଦା ପୂରଣ ପାଇଁ ଉତ୍ପାଦନ ମଧ୍ୟ ବୃଦ୍ଧି କରିଛନ୍ତି। ଦେଶରେ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ କମ୍ପାନି ଗୁଡ଼ିକ କେବଳ ସାନିଟାଇଜରର ମୂଲ୍ୟ ସ୍ଥିର ରଖିବା କଥା ଚିନ୍ତା କରୁନାହାନ୍ତି ବରଂ ଦେଶ ସହିତ ଛିଡ଼ା ହୋଇଛନ୍ତି ବୋଲି କହିଛନ୍ତି। ସାନିଟାଇଜର୍‌ ଠିକ୍ ଭାବେ ଯେଭଳି ଦୋକନରେ ପହଞ୍ଚେ ସେଥିପାଇଁ ସେମାନେ ପଦକ୍ଷେପ ନେଉଛନ୍ତି। ଉଲ୍ଲେଖଯୋଗ୍ୟ, ସରକାର ଗତକାଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ହ୍ୟାଣ୍ଡ ସାନିଟାଇଜରର ସର୍ବାଧିକ ଖୁଚୁରା ମୂଲ୍ୟ ଉପରେ କଟକଣା ଲଗାଇଥିଲା। ୨୦୦ ମିଲିଲିଟର ହ୍ୟାଣ୍ଡ ସାନିଟାଇଜରର ଏମ୍‌ଆର୍‌ପି ୧୦୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ ବୋଲି ମନ୍ତ୍ରାଳୟ କହିଥିଲା। ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡର ଜଣେ ପ୍ରବକ୍ତାଙ୍କ କହିବାନୁଯାୟୀ, ଏକ ଦାୟିତ୍ବସମ୍ପନ୍ନ କମ୍ପାନି ହିସାବରେ ପୂର୍ବରୁ ଘୋଷଣା ହୋଇଥିବା ମୂଲ୍ୟ ହ୍ରାସ ସହିତ ଆମେ ସାନିଟାଇଜର ମୂଲ୍ୟ ପୁଣି ମଧ୍ୟ ହ୍ରାସ କରିବୁ। ଏହି କମ୍ପାନି ଲାଇଫବଏ ବ୍ରାଣ୍ଡ୍‌ରେ ହ୍ୟାଣ୍ଡ ସାନିଟାଇଜର ବିକ୍ରି କରିଥାଏ। ଆଇଟିସିର ପ୍ରବକ୍ତାଙ୍କ କହିବାନୁଯାୟୀ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆମେ କମ୍ ମୂଲ୍ୟ ଲେଖାଥିବା ସାଭଲନ ସାନିଟାଇଜର ଉତ୍ପାଦନ ଆରମ୍ଭ କରିଦେଇଛୁ। ସେହିଭଳି ଡେଟଲ ବ୍ରାଣ୍ଡ୍‌ର ସାନିଟାଇଜର ଉତ୍ପାଦନ କରୁଥିବା ଆର୍‌ବି ଇଣ୍ଡିଆ କମ୍ପାନି କହିଛି, ସରକାରୀ ନିର୍ଦ୍ଦେଶନାମାକୁ ଆମେ ପାଳନ କରିବୁ। ପ୍ରୋଟେକ୍ଟ ବ୍ରାଣ୍ଡ୍‌ର ସାନିଟାଇଜର ମୂଲ୍ୟ କମାଯାଇ ସାରିଛି ‌ବୋଲି ଏହାର ନିର୍ମାତା ଗୋଦରେଜ୍‌ ପକ୍ଷରୁ କୁହାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଏବଂ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମେ ପ୍ରୋଟେକ୍ସ ସାନିଟାଇଜର (୫୦ ମିଲିଲିଟର) ଦାମ୍ ୭୫ ଟଙ୍କାରୁ ୨୫ ଟଙ୍କାକୁ କମାଇଛୁ ବୋଲି ଗୋଦରେଜ୍‌ର ସିଇଓ (ଭାରତ ଏବଂ ସାର୍କ) ସୁନୀଲ କଟାରିଆ କହିଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିବା ସେ କହିଛନ୍ତି। ଅନଲାଇନ୍‌ ବିକ୍ରିରେ ଡାବର ମଧ୍ୟ ସାନିଟାଇଜର ଉପରେ ରିହାତି ଦେଉଛି।

ସମ୍ବନ୍ଧିତ ଖବର