ଭୁବନେଶ୍ବର: କରୋନା ଭୂତାଣୁ ଠାରୁ ଦୂରେଇ ରହିବା ଲାଗି ଲୋକମାନେ ଘର ଭିତରେ ରହିବାକୁ ଅଧିକ ସପନ୍ଦ କରୁଛନ୍ତି। ସେମାନେ ଏଭଳି କିଛି ସମାଧାନ ସନ୍ଧାନରେ ରହୁଛନ୍ତି ଯାହା କରୋନାକୁ ଦୂରେଇ ରଖିବାରେ ସହାୟକ ହେବ। ଲୋକମାନଙ୍କ ସେହି ଭାବନାକୁ ଭଲ ଭାବେ ବୁଝିପାରିଥିବା କିଛି ସଂସ୍ଥା ଏବେ ସ୍ବତନ୍ତ୍ର ଧରଣର ଉତ୍ପାଦ ଓଡ଼ିଶା ବଜାରକୁ ଆଣିଛନ୍ତି। ଲକ୍ଷ୍ୟ ଟେକ୍ନୋକ୍ରାଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥା ତରଫରୁ ବିଭିନ୍ନ ପ୍ରକାର ୟୁଭିସି ଲାଇଟ୍ ଉନ୍ମୋଚନ କରାଯାଇଛି। କଂପାନି ଦାବି କରୁଛି ଯେ, ଏହି ଲାଇଟ୍କୁ ବ୍ୟବହାର କଲେ କୋଭିଡ୍-୧୯ ଭୂତାଣୁ ନଷ୍ଟ ହୋଇପାରିବ। ଏହି ଲାଇଟ୍କୁ ସାଧାରଣତଃ ଅପରେସନ ଥିଏଟର, ଜଳ ବିଶୋଧନ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବ୍ୟବହାର କରାଯାଉଛି। ଡିଆର୍ଡିଓର ପ୍ରଯୁକ୍ତିକୁ ବ୍ୟବହାର କରି କଂପାନି ଏହି ଲାଇଟ୍ଗୁଡ଼ିକୁ ପ୍ରସ୍ତୁତ କରିଛି। ମଲ୍, ବଡ଼ ଘର, ହୋଟେଲ୍ ଲବି ଆଦି ସ୍ଥାନକୁ ସାନିଟାଇଜ୍ କରିବା ଲାଗି କଂପାନି ୟୁଭିସି ବ୍ଲାଷ୍ଟର୍ ଆଣିଥିବା ବେଳେ ଏକ ସ୍ବତନ୍ତ୍ର ପ୍ରକାର କ୍ୟାବିନେଟ୍ ମଧ୍ୟ ଆଣିଛି ଯେଉଁଥିରେ ମୋବାଇଲ୍ ଫୋନ୍, ଲାପ୍ଟପ୍, ପନିପରିବା ଆଦିକୁ ରଖି ସାନିଟାଇଜ୍ କରାଯାଇପାରିବ।
ସେହିପରି, କ୍ରିସ୍ ଏଲ୍ଇଡି ନାମକ ସଂସ୍ଥା ତରଫରୁ ଏକ ମିନି ଅଟା ମିଲ୍କୁ ଉନ୍ମୋଚନ କରାଯାଇଛି। ଏହା ଆକାରରେ ବହୁତ ଛୋଟ ହୋଇଥିବା ବେଳେ ଘରେ ଅତି ସହଜରେ ବ୍ୟବହାର କରାଯାଇପାରିବ। ଲୋକମାନେ ଘର ଭିତରେ ଅଟା, ବେସନ, ସୁଜି ଆଦି ଅନେକ ପ୍ରକାର ସାମଗ୍ରୀ ଏହା ଜରିଆରେ ତିଆରି କରିପାରିବେ। ଏହି ଅଟା ମିଲ୍ର ଦାମ୍ ୧୧ ହଜାର ଟଙ୍କା ରହିଛି। ଏହା ବ୍ୟତୀତ ଏହି କଂପାନି ସ୍ବୟଂଚାଳିତ ସାନିଟାଇଜର୍ ମେସିନ୍ ଓ ମୋବାଇଲ୍ ଫୋନ୍ ଏବଂ ଚାବି ଆଦିକୁ ସାନିଟାଇଜ୍ କରିବା ଲାଗି ଛୋଟ ଆକୃତିର ମେସିନ୍ ମଧ୍ୟ ତିଆରି କରୁଛି।
ଚଳିତ ମାସ ଶେଷ ସୁଦ୍ଧା ଏହି ସବୁ ସାମଗ୍ରୀ ବଜାରକୁ ଆସିବ ବୋଲି କଂପାନିର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି। ନିକଟରେ ତାଙ୍କ କଂପାନି ସୁଲଭ ମୂଲ୍ୟର ଏଲ୍ଇଡି ସ୍ମାର୍ଟ ଟିଭି ମଧ୍ୟ ଉନ୍ମୋଚନ କରିଛି। ୩୨ ଓ ୪୦ ଇଞ୍ଚ ଆକାରରେ ତାହା ଉପଲବ୍ଧ ହେଉଛି। ୩୨ ଇଞ୍ଚ୍ ସ୍ମାର୍ଟ ଟିଭିର ଦାମ୍ ୧୧ ହଜାର ଟଙ୍କା ରହିଛି। ଟିଭି ଉପରେ କଂପାନି ତିନି ବର୍ଷର ୱାରେଣ୍ଟି ଦେଉଛି।