ଚିଙ୍ଗୁଡ଼ି ରପ୍ତାନି ଗୁରୁତର ପ୍ରଭାବିତ, ଚାଷୀ, ବ୍ୟବସାୟୀ ହତାଶ

ଭୁବନେଶ୍ବର : କରୋନା ସଙ୍କଟ ପ୍ରଭାବରେ ରାଜ୍ୟର ଚିଙ୍ଗୁଡ଼ି ରପ୍ତାନି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚଳିତ ବର୍ଷ ରପ୍ତାନି ବହୁ ପରିମାଣରେ ହ୍ରାସ ପାଇବ ବୋଲି ଜଳଜଳ ହୋଇ ଦିଶିଗଲାଣି। ରପ୍ତାନି ପାଇଁ ବିଦେଶରୁ ବରାଦ ଆସୁନାହିଁ। ତେଣୁ ଉତ୍ପାଦିତ ଚିଙ୍ଗୁଡ଼ିର ସଂରକ୍ଷଣଜନିତ କ୍ଷତି ପାଇଁ ବ୍ୟବସାୟୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚିଙ୍ଗୁଡ଼ି କାରବାର ସହିତ ଜଡ଼ିତ ବ୍ୟବସାୟୀ ଓ ମତ୍ସ୍ୟଜୀବୀ ଗୁରୁତର ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଆୟ ହ୍ରାସ ପାଇଛି। ଚିଙ୍ଗୁଡ଼ି ବ୍ୟବସାୟକୁ ତୁରନ୍ତ ସରକାରୀ ସହାୟତା ଦରକାର ବୋଲି ବ୍ୟବସାୟୀ ଓ ଚାଷୀ ମହଲରେ ଦାବି ହେଉଛି।

ଓଡ଼ିଶା ସିଫୁଡ୍‌ ରପ୍ତାନିକାରୀ ସଂଘ ପକ୍ଷରୁ ଚିଙ୍ଗୁଡ଼ି(୬୦ କାଉଣ୍ଟର୍‌)ର ଧାର୍ଯ୍ୟ ମୂଲ୍ୟ ଥିଲା କିଲୋ ପ୍ରତି ୩୮୦ ଟଙ୍କା। ମାତ୍ର ଏବେ ୨୮୦ଟଙ୍କାରେ ବିକ୍ରି ହେଉଛି। ତେଣୁ ଚାଷୀମାନେ ପୂର୍ବଭଳି ପରିଶ୍ରମ କରି ମଧ୍ୟ କମ୍ ଅର୍ଥ ପାଉଛନ୍ତି। ବିଦେଶ ବଜାରରେ ଓଡ଼ିଶା ଉତ୍ପାଦିତ ଭେନାମାଇ ଚିଙ୍ଗୁଡ଼ିର ଭଲ ଚାହିଦା ରହିଛି। ସରକାରୀ ତଥ୍ୟାନୁସାରେ, ଭାରତ ୨୦୧୬-୧୭ ଆର୍ଥିକ ବର୍ଷରେ ୩୭ ହଜାର ୮୭୦ କୋଟି ଟଙ୍କା, ୨୦୧୭-୧୮ରେ ୪୫ ହଜାର ୧୦୬ କୋଟି ଟଙ୍କା ଏବଂ ୨୦୧୮-୧୯ ରେ ୫୫ ହଜାର କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି କରିଥିଲା। କରୋନା ସଙ୍କଟ ଦୁଇ ମାସରୁ ଅଧିକ ସମୟ ଲାଗି ରହିଥିବାରୁ ଏବଂ ଏହି ସ୍ଥିତିରେ କେବେ ସୁଧାର ହେବ ତାହାର ଆକଳନ କରାଯାଇପାରୁନଥିବାରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଚିଙ୍ଗୁଡ଼ି ରପ୍ତାନି ଗୁରୁତର ପ୍ରଭାବିତ ହେବ ବୋଲି ଆକଳନ କରାଯାଉଛି।

Wiktionary

ଏ ସମ୍ପର୍କରେ ରାଜ୍ୟର ପ୍ରମୁଖ ଚିଙ୍ଗୁଡ଼ି ରପ୍ତାନିକାରୀ ସଂସ୍ଥା ଫାଲ୍‌କନ୍ ମେରାଇନ୍‌ର ପ୍ରତିଷ୍ଠାତା ତାରା ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଲକ୍‌ଡାଉନ୍ ପ୍ରଭାବରେ ଚିଙ୍ଗୁଡ଼ି ଚାଷ ହ୍ରାସ ପାଇଛି। ସାରା ବିଶ୍ବର ବଜାର ଏବେ ଅନିଶ୍ଚିତତା ଦେଇ ଗତିି କରୁଛି। ବିଦେଶରେ ଥିବା କ୍ରେତାଙ୍କ ଠାରୁ ପେମେଣ୍ଟ୍‌ ମିିଳିବା ନେଇ ଅସୁବିଧା ରହୁଛି। ରପ୍ତାନି ପାଇଁ କୌଣସି ପ୍ରୋତ୍ସାହନ ମିଳୁନାହିଁ। ଏବାବଦରେ ରାଜ୍ୟ ସରକାରଙ୍କ ଭୂମିକା ସୀମିତ ରହିଛି। କିନ୍ତୁ, ସରକାର ଅଧିକ ସୁବିଧା ଦେବା ଦରକାର। ଚିଙ୍ଗୁଡ଼ି ରପ୍ତାନି କ୍ଷେତ୍ର ପାଇଁ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ସୁଧ ଉପରେ ରିହାତି ଦିଆଯିବାର ଆବଶ୍ୟକତା ରହିଛି। ଚାଷୀ ଭୟରେ ଚାଷ କରୁନଥିବାରୁ ଉତ୍ପାଦନ କମ୍ ରହିଛି। କିନ୍ତୁ କାରଖାନାକୁ ଚାଲୁ ରଖିବାକୁ ପଡ଼ୁଛି। ଯାଆଁଳକୁ ନେଇ ଯେଉଁ ସମସ୍ୟା ରହିଛି ତାହା ତୁରନ୍ତ ସମାଧାନ ହେ‌ଲେ ଚିଙ୍ଗୁଡ଼ି ରପ୍ତାନି କ୍ଷେତ୍ରରେ ଶୀଘ୍ର ସୁଧାର ହୋଇପାରିବ। ଭଲ ଯାଆଁଳ ରାଜ୍ୟ ବାହାରୁ ଏବଂ ବି‌େଶଷ ପରିସ୍ଥିତିରେ ବିଦେଶରୁ ଆସିଥାଏ। ଏହାର ଆମଦାନି ଉପରେ ସରକାର କଟକଣା ଲଗାଇବା ପରେ ଅସୁବିଧା ହୋଇଥିଲା। ଯାହା ହେଉ ଏହି କଟକଣା ହଟାଇ ନିଆଗଲାଣି। କିଛିଦିନ ଭିତରେ ଯାଆଁଳ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି। ଶ୍ରମିକ ନମିଳିବା ମଧ୍ୟ ଏହି କ୍ଷେତ୍ର ଲାଗି ଏକ ବଡ଼ ସମସ୍ୟା ବୋଲି ସେକହିଛନ୍ତି। କରୋନା ସଙ୍କଟ ଲାଗି କେତେ କ୍ଷତି ହେବ ତାହା ଏବେଠାରୁ ଆକଳନ କରିବା କଷ୍ଟକର ବୋଲି ସେ କହିଛନ୍ତି।

ସେହିପରି, ସୋଲିଡାରିଡାଡ୍‌ ଏସିଆର ପରାମର୍ଶଦାତା ଅଭିଷେକ ଦ୍ବିବେଦୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଦେଶୀ ବଜାରରୁ ୨୦ ହଜାର ଟନ୍‌ ଚିଙ୍ଗୁଡ଼ି ନେବାର ବରାଦ ଆସିଯିବା କଥା। କିଛି ହାତଗଣତି ବ୍ୟବସାୟୀଙ୍କୁ ବରାଦ ମିଳିଛି। କିନ୍ତୁ କେତେ ପରିମାଣର ଚିଙ୍ଗୁଡ଼ି ପାଇଁ ବରାଦ ଆସିଛି ତାହା ଜଣାପଡ଼ିନାହିଁ। ଅନ୍ୟ କିଛି ସଂସ୍ଥା ପୂର୍ବରୁ ଦେଇଥିବା ବରାଦକୁ ବାତିଲ କରୁଛନ୍ତି। ତେଣୁ ଚାଷୀଙ୍କଠାରୁ କିଣା ସରିଥିବା ଚିଙ୍ଗୁଡ଼ିକୁ ସଂରକ୍ଷିତ ରଖିବା ପାଇଁ କମ୍ପାନିମାନେ ପ୍ରକ୍ରିୟାକରଣବାବଦରେ ଅଧିକ ବ୍ୟୟ କରୁଛନ୍ତି। ଏବବାଦରେ କଂପାନିଗୁଡ଼ିକ ବର୍ତ୍ତମାନ ସୁଦ୍ଧା ୯୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିସାରିଲେଣି ବୋଲି ସେ କହିଛନ୍ତି।

ଚିଙ୍ଗୁଡ଼ି କାରବାରରେ ଓଡ଼ିଶାର ସିଂହ ଭାଗ ଅବଦାନ ରହିଥିଲେ ମଧ୍ୟ ଏଠାରେ ଚିଙ୍ଗୁଡ଼ି ଚାଷୀଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ନାହିଁ। ସେହିପରି ଯାଆଁଳ ରଖିବା ଏବଂ ସିଫୁଡ୍‌ର ପରୀକ୍ଷଣ ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ନାହିଁ। ସେମାନଙ୍କୁ ବିଶେଷଜ୍ଞ ପରାମର୍ଶ ମଧ୍ୟ ମିଳୁନାହିଁ। ଚାଷୀମାନେ ସମସ୍ୟାରେ ପଡ଼ିଲେ। ଏହି ଚାଷ ଏବଂ ସଂରକ୍ଷଣ ସଂପର୍କିତ ପ୍ରଶିକ୍ଷଣ ପାଇଁ ରାଜ୍ୟରେ କୌଣସି ଅନୁଷ୍ଠାନ ନାହିଁ। ମାଟି ଏବଂ ପାଣିର ଗୁଣବତ୍ତା ଯାଞ୍ଚ କୌଣସି ଯାନ୍ତ୍ରିକ ଉପକରଣ ବିକ୍ରି କରାଯାଉ ନାହିଁ। ଏଭଳି ଅନେକ ସମସ୍ୟା ଦେଇ ରାଚ୍ୟର ଚିଙ୍ଗୁଡ଼ି ଚାଷ ଓ ଶିଳ୍ପ ଗତି କରୁଛି।

ସମ୍ବନ୍ଧିତ ଖବର