କରୋନା ମାଡ଼, ମୁଣ୍ଡପିଛା ଆୟ କମିଲା

ସରକାରଙ୍କୁ ଚିଦମ୍ବରମ୍‌ଙ୍କ ସମାଲୋଚନା

ନୂଆଦିଲ୍ଲୀ: କରୋନା ମହାମାରୀ କେବଳ ଅର୍ଥନୀତିକୁ ନୁହେଁ ସାଧାରଣ ଲୋକଙ୍କୁ ମଧ୍ୟ ବଡ଼ ଧରଣର ଝଟ୍‌କା ଦେଇଛି। ୨୦୨୦-୨୧ରେ ଲୋକମାନଙ୍କ ମୁଣ୍ଡପିଛା ଆୟ ୯୯,୯୬୪ ଟଙ୍କାକୁ ହ୍ରାସ ପାଇଛି। ନିଯୁକ୍ତି ହରାଇବା ଓ ଆୟ କମ୍ ରହିବା ଯୋଗୁଁ ଲୋକମାନେ ବ୍ୟୟ କମ୍ କରିବାକୁ ବାଧ୍ୟ ହୋଇଛନ୍ତି। ସେଥିପାଇଁ ମୁଣ୍ଡପିଛା ବ୍ୟୟ ୫୫,୭୮୩ ଟଙ୍କା ରହିଛି। ସରକାର ଜାରି ରଖିଥିବା ଜିଡିପି ତଥ୍ୟରୁ ଏହା ଜଣାପଡ଼ିଛି।

ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୩ ପ୍ରତିଶତ ହ୍ରାସ ପାଇବା ପରେ ସରକାରଙ୍କୁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ କଡ଼‌‌ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ୨୦୨୦-୨୧ ହେଉଛି ବିଗତ ଚାରି ଦଶନ୍ଧୀ ମଧ୍ୟରେ ସବୁଠୁ ଅନ୍ଧକାରମୟ ବର୍ଷ। ଲୋକମାନଙ୍କ ଆର୍ଥିକ ସ୍ଥିତି ଦୁଇ ବର୍ଷ ଭିତରେ ବହୁତ ଖରାପ ହୋଇଛି। ଭାରତୀୟମାନେ ଗରିବ ହୋଇଛନ୍ତି। ଲୋକମାନଙ୍କୁ ସରକାର ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ମହାମାରୀର ପ୍ରଥମ ଲହର ଶୀର୍ଷ ଛୁଇଁବା ପରେ ସରକାର କହିଥିଲେ ଅର୍ଥନୀତିରେ ଦ୍ରୁତ ସୁଧାର ହେଉଛି। ପ୍ରତ୍ୟକ୍ଷ ଭାବେ ଲୋକମାନଙ୍କ ନିକଟରେ ଟଙ୍କା ପହଞ୍ଚାଇବାକୁ କଂଗ୍ରେସ ସରକାରଙ୍କ ପ୍ରସ୍ତାବ ଦେଇଥିଲା।

ତାହା କିନ୍ତୁ ଗ୍ରହଣୀୟ ହୋଇନଥିଲା। ଚିଦମ୍ବରମ୍ କହିଛନ୍ତି ଯେ ଅର୍ଥନୀତି ‌କେତେ କ୍ଷତି ସହିଛି ତାହା ଜିଡିପି ତଥ୍ୟରୁ ଜଣାପଡ଼ୁଛି। ଦେଶର ଅଭିବୃଦ୍ଧି ୨୦୨୦-୨୧ର ପ୍ରଥମ ତ୍ରୟମାସରେ ୨୪.୪ ପ୍ରତିଶତ ଓ ଦ୍ବିତୀୟ ତ୍ରୟମାସରେ ୭.୪ ପ୍ରତିଶତ ହ୍ରାସ ପାଇଥିଲା। ଏହାର ପରବର୍ତୀ ଦୁଇଟି ତ୍ରୟମାସରେ ଅଭିବୃଦ୍ଧି ଯଥାକ୍ରମେ ୦.୫% ଓ ୧.୬% ହୋଇଛି। ଅର୍ଥନୀତିରେ ବାସ୍ତବରେ ସେଭଳି କିଛି ସୁଧାର ‌େହାଇନାହିଁ। ୨୦୧୯-୨୦ରେ ଅଭିବୃଦ୍ଧି କମ୍ ରହିଥିବାରୁ ଏଭଳି ମନେ ହେଉଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ)ର ତଥ୍ୟକୁ ଉଦ୍ଧାର କରି ସେ କହିଛନ୍ତି ଯେ କରୋନା ମହାମାରୀର ଦ୍ବିତୀୟ ଲହରରେ ଏକ କୋଟିରୁ ଅଧିକ ଲୋକ ଚାକିରି ହରାଇଛନ୍ତି ଓ ୯୭% ଭାରତୀୟଙ୍କ ଆୟ କମିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଅର୍ଥନୀତି ଉପରେ ନିଶ୍ଚିତ ରୂପେ ମହାମାରୀର ପ୍ରଭାବ ରହିଛି। କିନ୍ତୁ ଅର୍ଥନୀତି ପରିଚାଳନାରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ଅପାରଗତା ସ୍ଥିତିକୁ ଆହୁରି ଖରାପ କରିଛି। ସରକାର ଏବେ ନିଜ ଦୋଷ ସ୍ବୀକାର କରି ଅର୍ଥନୀତିଜ୍ଞ ଓ ବିରୋଧୀମାନଙ୍କ କଥାକୁ ଗୁରୁତ୍ବ ଦେଇ ନୀତି ନିୟମରେ ପରିବର୍ତ୍ତନ ଆଣିବା ଦରକାର ବୋଲି ଚିଦମ୍ବରମ୍ କହିଛନ୍ତି।

ଭାରତୀୟ ଅର୍ଥନୀତିରେ ଅବନତିର ଧାରା ୨୦୧୬-୧୭ରୁ ଆରମ୍ଭ ହୋଇଥିଲା। ଏକଦା ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରର ମୁକୁଟ ହାସଲ କରିଥିବା ଭାରତ ଏବେ ମୁ୍ଣ୍ଡପିଛା ଆୟରେ ବାଲାଂଦେଶ ଠାରୁ ପଛୁଆ ରହିଛି। ଦେଶ ଏବେ ବେକାରି, ଉଚ୍ଚ ମୁଦ୍ରାସ୍ଫୀତି, ଚଢ଼ା ତୈଳ ଦର ଭଳି ସମସ୍ୟା ଦେଇ ଗତି କରୁଛି। ବିତ୍ତୀୟ ନିଅଣ୍ଟ ମଧ୍ୟ ବେଲଗାମ ରହିଛି। ସରକାର ଯେତିକି ବ୍ୟୟ କରୁଛନ୍ତି ସେହି ଅନୁସାରେ ଆୟ କରିପାରୁନାହାନ୍ତି। ୨୦୧୪ରେ ଯେତେବେଳେ ଏନ୍‌ଡିଏ ସରକାର ଶ‌ାସନ ଭାର ଗ୍ରହଣ କରିଥିଲା ସେତେବେଳେ ଡଲାର ତୁଳନାରେ ଟଙ୍କା ଦାମ୍ ୫୯ ଟଙ୍କା ଥିଲା। ଏବେ ୭୫ ଟଙ୍କା ପାଖାପାଖି ରହିଛି।

ସମ୍ବନ୍ଧିତ ଖବର