ପେଟ୍ରୋଲ, ଡିଜେଲ ଉପରେ କରୋନା ମାଡ଼, ବିକ୍ରି ୯.୧ ପ୍ରତିଶତ କମିଲା, ୨୦ ବର୍ଷରେ ପ୍ରଥମ

ନୂଆଦିଲ୍ଲୀ : ଗତବର୍ଷ ମାର୍ଚ୍ଚରୁ ଦେଶରେ ‌କରୋନା ପାଇଁ ଲକଡାଉନ୍ ଏବଂ ବିଭିନ୍ନ ପ୍ରକାର କଟକଣା ଆରମ୍ଭ ହୋଇଯାଇଥିଲା। ଏହାର ବଡ଼ ଧରଣର ପ୍ରଭାବ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ଉପରେ ପଡ଼ିଛି। ୨୦୨୦-୨୧ ବର୍ଷରେ ଏଥିପାଇଁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ୯.୧ ପ୍ରତିଶତ କମିଯାଇଛି। ଗତ ଦୁଇ ଦଶନ୍ଧିରୁ ଅଧିକ ସମୟରେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ପ୍ରଥମ ଥର ପାଇଁ ‌ସଂକୁଚିତ ହୋଇଛି। ଦେଶରେ ୨୦୧୯-୨୦ ଆର୍ଥିକ ବର୍ଷରେ ୨୧୪.୧୨ ନିୟୁତ ଟନ୍ ପେଟ୍ରୋଲିୟମ ସାମଗ୍ରୀ ବ୍ୟବହାର ହୋଇଥିଲା। କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧୯୪.୬୩ ନିୟୁତ ଟନ୍‌କୁ ହ୍ରାସ ପାଇଛି ବୋଲି ପେଟ୍ରୋଲିୟମ ମନ୍ତ୍ରାଳୟର ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ୍ ଆନାଲିସିସ୍‌ ସେଲ୍‌ (ପିପିଏସି) ସୂତ୍ରରୁ ଜଣାଯାଇଛି।

୧୯୯୮-୯୯ ମସିହା ଠାରୁ ପ୍ରଥମ ଥର ପାଇଁ ହ୍ରାସ ଘଟିଛି ବୋଲି ଜଣାଯାଇଛି। ଡିଜେଲ ଉପଯୋଗ ୧୨ ପ୍ରତିଶତ ହ୍ରାସ ଘଟି ୭୨.୭୨ ନିୟୁତ ଟନ୍‌ ରହିଥିବାବେଳେ ପେଟ୍ରୋଲ ଉପଯୋଗ ୬.୭ ପ୍ରତିଶତ ହ୍ରାସ ଘଟି ୨୭.୯୫ ନିୟୁତ ଟନ ରହିଛି।

ଅନ୍ୟପକ୍ଷରେ ଘରୋଇ ରନ୍ଧନ ଗ୍ୟାସ ମଧ୍ୟରେ ଏଲ୍‌ପିଜିର ବ୍ୟବହାର ବଢ଼ିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୨୬.୩୩ ନିୟୁତ ଟନ୍‌ ଏଲ୍‌ପିଜି ଦେଶରେ ଉପଯୋଗ ହୋଇଥିବାବେଳେ ୨୦୨୦-୨୧ରେ ଏହା ୨୭.୫୯ ନିୟୁତ ଟନକୁ ବୃଦ୍ଧି ପାଇଛି। ବିମାନ ସେବା ଦୀର୍ଘଦିନ ଧରି ବନ୍ଦ ରହିବା କାରଣରୁ ଏଟିଏଫ୍‌ ବ୍ୟବହାର ମଧ୍ୟ ଗତ ଆର୍ଥିକ ବର୍ଷରେ ୫୩.୬ ପ୍ରତିଶତ ହ୍ରାସ ଘଟି ୩.୭ ନିୟୁତ ଟନ୍ ରହିଛି।

ଅନ୍ୟପକ୍ଷରେ ନାପ୍‌ଥାର ବିକ୍ରି ପ୍ରାୟତଃ ୧୪.୨ ନିୟୁତ ଟନ୍‌ରେ ସ୍ଥିର ରହିଛି। କିନ୍ତୁ ପିଚୁ ରାସ୍ତା ନିର୍ମାଣରେ ବ୍ୟବହୃତ ବିଟୁ‌ମେନ୍‌ର ବ୍ୟବହାର ୬ ପ୍ରତିଶତ ବୃଦ୍ଧି ଘଟି ୭.୧୧ ନିୟୁତ ଟନ୍ ରହିଛି। ଗତବର୍ଷ ଏପ୍ରିଲରେ ଇନ୍ଧନର ବ୍ୟବହାର ପାଖାପାଖି ଅଧାକୁ ହ୍ରାସ ପାଇଥିଲା। ପରେ ଲକଡାଉନ୍‌ ହଟିବା ପରେ ଏଥିରେ ଧୀରେ ଧୀରେ ସୁଧାର ଆସିଥିଲା। ସେପ୍ଟେମ୍ବର ବେଳକୁ ପେଟ୍ରୋଲ ବିକ୍ରି କରୋନାର ପୂର୍ବ ସ୍ଥିତିକୁ ଫେରିଥିଲା। ପାର୍ବଣ ପାଇଁ ଏହାର ପରବର୍ତ୍ତୀ ମାସ ଗୁଡ଼ିକରେ ଡିଜେଲ ବିକ୍ରିରେ ସୁଧାର ଆସିଥିଲା।

ସମ୍ବନ୍ଧିତ ଖବର