ବ୍ରିଟେନ୍ ଅର୍ଥନୀତି ଉପରେ କରୋନା ମାଡ଼, ଅଭିବୃଦ୍ଧିରେ ୩୦୦ ବର୍ଷର ବଡ଼ ହ୍ରାସ

୨୦୨୦ରେ ଅଭିବୃଦ୍ଧି ଖସିଛି ୯.୯%, ୧୭୦୯ରେ ହୋଇଥିଲା ବଡ଼ ବିପର୍ଯ୍ୟୟ

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ବ ଅର୍ଥନୀତିକୁ ଭୟଙ୍କର ଭାବେ କ୍ଷତି ପହଞ୍ଚାଇଛି। ଦୋକାନ ବଜାରଠାରୁ ଆରମ୍ଭ କରି କଳ କାରଖାନାର ଉତ୍ପାଦନ ଏଥିଯୋଗୁ ଗୁରୁତର ମାତ୍ରାରେ ପ୍ରଭାବିତ ହୋଇଛି। ହୋଟେଲ, ରେସ୍ତୋରାଁ, ପର୍ଯ୍ୟଟନ ଏବଂ ପରିବହନ ସେବା ମଧ୍ୟ କ୍ଷତି ସହିଛି। ଏହାର ଭୟଙ୍କର ପ୍ରଭାବ ଜିଡିପି ବା ମୋଟ ଘରୋଇ ଉତ୍ପାଦ ଉପରେ ପଡ଼ିଛି। ନିକଟରେ ବ୍ରିଟେନ ଅର୍ଥନୀତିର ୨୦୨୦ ମସିହାର ଅଭିବୃଦ୍ଧି ସଂପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଏହି ବର୍ଷରେ ବ୍ରିଟେନ ଅର୍ଥନୀତି ୯.୯ ପ୍ରତିଶତ ସଙ୍କୁଚିତ ହୋଇଛି। ବ୍ରିଟେନ ଅର୍ଥନୀତିରେ ଏଭଳି ହ୍ରାସ ଗତ ପ୍ରାୟ ୩୦୦ ବର୍ଷ ଭିତରେ କେବେ ଦେଖାଦେଇ ନଥିଲା।

ଏପରିକି ଗତ ୨୦୦୮ ମସିହାରେ ଆମେରିକାର ସବ୍‌ ପ୍ରାଇମ୍‌ ଲେଣ୍ଡିଂ ସଙ୍କଟ କାରଣରୁ ୨୦୦୯ରେ ବ୍ରିଟେନ ଅର୍ଥନୀତିରେ ଯେଉଁ ସଂକୋଚନ ହୋଇଥିଲା ତାହା ତୁଳନାରେ ୨୦୨୦ର ଅଭିବୃଦ୍ଧି ଦୁଇଗୁଣ ଅଧିକ ରହିଛି।ବ୍ରିଟେନର ଓଏନଏସ ବା ଅଫିସ୍ ଫର୍ ନ୍ୟାସନାଲ ଷ୍ଟାଟିଷ୍ଟିକ୍ସ ପକ୍ଷରୁ ଗତ ଶୁକ୍ରବାର ପ୍ରକାଶ ପାଇଥିବା ରିପୋର୍ଟରେ ଏହି ବିଷୟ ପଦାକୁ ଆସିଛି।ପୂର୍ବରୁ ୧୭୦୯ ମସିହାରେ ବ୍ରିଟେନରେ ପ୍ରବଳ ଥଣ୍ଡା ପଡ଼ିଥିଲା। ସେହି ସମୟରେ ବ୍ରିଟେନ ଏକ କୃଷିଭିତ୍ତିକ ଅର୍ଥନୀତି ଥିଲା। ଏଥିଯୋଗୁ ସେତେବେଳେ ବ୍ରିଟେନ ଅର୍ଥନୀତିରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଥିଲା। ୧୭୦୯ ମସିହାର ସେହି ଘଟଣା ‘ଗ୍ରେଟ୍‌ ଫ୍ରଷ୍ଟ’ ଭାବେ ପରିଚିତ।କିନ୍ତୁ ୨୦୨୦ ମସିହାରେ ‌ବ୍ରିଟେନର ଅର୍ଥନୈତିକ ଅଭିବୃଦ୍ଧିରେ ଯେଉଁ ହ୍ରାସ ଘଟିଛି ତାହା କରୋନା ମହାମାରୀ ଓ ଏଥିଜନିତ ଲକ୍‌ଡାଉନ୍ କାରଣରୁ ହୋଇଛି। ୨୦୨୦ ମସିହାର ଚତୁର୍ଥ ତ୍ରୟମାସରେ ବ୍ରିଟେନ ଅର୍ଥନୀତିରେ ଯଦିଓ କିଛିଟା ସୁଧାର ଆସିଥିଲା କିନ୍ତୁ ସରକାରଙ୍କ ପକ୍ଷରୁ ଜାରି ତୃତୀୟ ଲକ୍‌ଡାଉନ୍ ତାହାର ଗତିକୁ ପୁଣି ରୋକିଦେଇଥିଲା। ସାମ୍ନାକୁ ଆସିଥିବା ନୂଆ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ମହାମାରୀ ପ୍ରଭାବରେ ଅର୍ଥନୀତି ଗୁରୁତର ମାତ୍ରାରେ ପ୍ରଭାବିତ ହୋଇଛି ବୋଲି ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକ୍ କହିଛନ୍ତି। ତେବେ ବ୍ରିଟେନ ସଂସଦରେ ଆସନ୍ତା ମାସ ୩ ତାରିଖରେ ସେ ଯେଉଁ ବଜେଟ୍ ଆଗତ କରିବେ ସେଥିରେ ନିଯୁକ୍ତି ସୁରକ୍ଷା ଏବଂ ଅର୍ଥନୀତିରେ ସୁଧାର ଆଣିବା ଲାଗି କେତେକ ପଦକ୍ଷେପ ଘୋଷଣା କରିବେ ବୋଲି କହିଛନ୍ତି। ଅନ୍ୟ ଶିଳ୍ପ ସମୃଦ୍ଧ ରାଷ୍ଟ୍ର ତୁଳନାରେ କରୋନା ମହାମାରୀ ବ୍ରିଟେନ ଅର୍ଥନୀତିକୁ ଅଧିକ ମାତ୍ରାରେ କ୍ଷତି ପହଞ୍ଚାଇଛି।

୨୦୨୦ରେ ଫ୍ରାନ୍ସ ଅର୍ଥନୀତି ୮.୩ ପ୍ରତିଶତ ସଂକୁଚିତ ହୋଇଥିବାବେଳେ ଜର୍ମାନୀ ୫ ପ୍ରତିଶତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଅଭିବୃଦ୍ଧି ୩.୫ ପ୍ରତିଶତ ହ୍ରାସ ପାଇଛି। ବ୍ରିଟେନ ଅର୍ଥନୀତିରେ ସେବା କ୍ଷେତ୍ରର ଯୋଗଦାନ ପ୍ରାୟ ୮୦ ପ୍ରତିଶତ ହୋଇଥିବାବେଳେ ଏହି କ୍ଷେତ୍ର ୮.୯ ପ୍ରତିଶତ ତଳକୁ ଖସିଛି। ମାନୁଫାକ୍‌ଚରିଂ କ୍ଷେତ୍ରର ଅଭିବୃଦ୍ଧି ୮.୬ ପ୍ରତିଶତ ଏବଂ କନଷ୍ଟ୍ରକସନ କ୍ଷେତ୍ରର ଅଭିବୃଦ୍ଧି ୧୨.୫ ପ୍ରତିଶତ ହ୍ରାସ ପାଇଛି। ଅର୍ଥନୀତିରେ ସ୍ବାଭାବିକତା ଫେରାଇ ଆଣିବା ଲାଗି ବ୍ରିଟେନ ଏବେ ଲୋକଙ୍କୁ କରୋନା ଟିକା ଦେଉଛି। ୧୩.୫ ନିୟୁତ ଲୋକ (ବ୍ରିଟେନ ଜନସଂଖ୍ୟାର ପ୍ରାୟ ୨୦ ପ୍ରତିଶତ)ଙ୍କୁ ବୁଧବାର ସୁଧା ଅତିକମ୍‌ରେ ଗୋଟିଏ ଡୋଜ୍‌ ଟିକା ଦିଆଯାଇ ସାରିଛି।

ସମ୍ବନ୍ଧିତ ଖବର