କରୋନା ଭୂତାଣୁ ପ୍ରଭାବ, ଉଡ଼ିଯିବ ମୋଦୀଙ୍କ ଅମଳର ସବୁ ଲାଭ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ଲାଗି ୨୦୧୪ ମେ’ ୨୬ରେ ଶାସନ ଭାର ଗ୍ରହଣ କରିବା ପରେ ଷ୍ଟକ ବଜାରରେ ନିବେଶକମାନେ ବିପୁଳ ଲାଭ କରିଥିଲେ। ବିଗତ ଛଅ ବର୍ଷ ଭିତରେ ନିବେଶକମାନେ ‌ନିଜର ସମ୍ପତ୍ତିରେ ଯେତିକି ବୃଦ୍ଧି କରିଥିଲେ ତାହା ସମ୍ପୂର୍ଣ୍ଣ ଧୋଇଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ଚଳିତ ମାସରେ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ ଯେଉଁଭଳି ଭାବେ ତଳକୁ ଖସୁଛି ତାହା ଏହି ସଙ୍କେତ ଦେଉଛି। କରୋନା ଭୂତାଣୁ ପ୍ରଭାବରେ ବମ୍ବେ ଷ୍ଟକ ବଜାରରେ ନିୟମିତ ଭାବେ ସେନ୍‌ସେକ୍ସ ତଳକୁ ଖସୁଛି। ଏହାର ପ୍ରଭାବରେ ମାସକ ଭିତରେ ନିବେଶକମାନେ ୫୨ ଲକ୍ଷ କୋଟି ଟଙ୍କା ହରାଇସାରିଲେଣି। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ କରିବା ଦିନ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୭୩୫୯ ପଏଣ୍ଟ୍‌ ସ୍ତରରେ ଥିଲା। ଏହା ପରେ ପ୍ରତିବର୍ଷ ସେଥିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା ଓ ଗତ ଜାନୁଆରି ୨୦ରେ ନିଫ୍‌ଟି ୧୨,୪୩୦ ପଏଣ୍ଟ୍‌ ଭଳି ଉଚ୍ଚ ସ୍ତରରେ ପହଞ୍ଚିଥିଲା। ଏହା ପରେ କରୋନା ପ୍ରଭାବ କାରଣରୁ ନିଫ୍‌ଟିରେ ଦ୍ରୁତ ହ୍ରାସ ଘଟିଥିଲା। ଆଜି ତାହା ୭୮୧୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଅର୍ଥାତ ମୋଦୀ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସମୟରେ ଏହା ଯେଉଁ ସ୍ତରରେ ଥିଲା ତା’ଠାରୁ ମାତ୍ର ୪୦୦-୫୦୦ ପଏଣ୍ଟ୍‌ ଉପରେ ରହିଛି।

ସମ୍ବନ୍ଧିତ ଖବର