ଷ୍ଟକ୍‌ ବଜ‌ାରରୁ କରୋନା ଭୟ ଦୂର କଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: କରୋନା ଭୂତାଣୁର ପ୍ରଭାବକୁ ନେଇ ଅତ୍ୟନ୍ତ ବିଚଳିତ ହୋଇପଡ଼ିଥିବା ନିବେଶକମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ନିର୍ଭର ପ୍ରତିଶ୍ରୁତି ଦେଇଛି। ସାରା ବିଶ୍ବ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଯେତେବେ‌ଳେ ଯେଉଁ ପଦକ୍ଷେପ ଦରକାର ହେବ ତାହା ଗ୍ରହଣ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ କହିବା ପରେ ନିବେଶକମାନଙ୍କ ମନରୁ ଭୟ ଦୂର ହୋଇଛି। ପ୍ରାୟ ସାତ ଦିନ ପରେ ନିବେଶକମାନେ ଆଜି ଅଧିକ ମାତ୍ରାରେ ସେୟାର କିଣିଥିଲେ। ସେଥିପାଇଁ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ ଆଜି ୪୮୦ ପଏଣ୍ଟ୍‌ ବୃଦ୍ଧି ସହ ୩୮,୬୨୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୧୭୦ ପଏଣ୍ଟ୍‌ ବୃଦ୍ଧି ସହ ୧୧,୩୦୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ସପ୍ତାହରେ ଷ୍ଟକ ବଜାର ସମ୍ପୂର୍ଣ୍ଣ ଅସ୍ଥିର ରହିଥିଲା। ଗତକାଲି ମଧ୍ୟ ସେନ୍‌ସେକ୍ସ ୧୩୦୦ ପଏଣ୍ଟ୍‌ ଉପରକୁ ଉଠିବା ପରେ ୧୫୩ ପଏଣ୍ଟ୍‌ ହ୍ରାସ ସହ ବନ୍ଦ ହୋଇଥିଲା। ମାତ୍ର ଆଜି ଷ୍ଟକ ବଜାରରେ କାରବାର ଆରମ୍ଭ ହେବା ବେଳକୁ ସ୍ଥିତି ଭିନ୍ନ ଥିଲା। ବମ୍ବେ ଷ୍ଟକ ବଜାର ଖୋଲିବା ପୂର୍ବରୁ ବିଶ୍ବର ଅନ୍ୟ ଯେଉଁ ଦେଶଗୁଡ଼ିକର ଷ୍ଟକ ବଜାର ଖୋଲିସାରିଥିଲା। ସେଠାରେ କାରବାର ସ୍ବାଭାବିକ ରହିଥିଲା। ତାହାର ପ୍ରଭାବରେ ଭାରତରେ ମଧ୍ୟ ଷ୍ଟକ ବଜାର କାରବାର ଉନ୍ନତ ରହିଥିଲା। କିଛି ସମୟ ପରେ କରୋନାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ମନ୍ତବ୍ୟ ଓ ଅତ୍ୟାବଶ୍ୟକୀୟ ଔଷଧ ଉପରେ ସରକାର ଲଗାଇଥିବା କଟକଣାର ଖବର ପ୍ରଚାରିତ ହେବା ପରେ ନିବେଶକମାନେ ଅଧିକ ସେୟାର କିଣିଥିଲେ।

ସମ୍ବନ୍ଧିତ ଖବର