କରୋନା ଆଣିବ ବଡ଼ ମାନ୍ଦାବସ୍ଥା, ସାରା ବିଶ୍ବ ଏହା କବଳରେ ପଡ଼ିବ

୪ ଦିନରେ ନିବେଶକଙ୍କ ୫.୫୦ ଲକ୍ଷ କୋଟି କ୍ଷତି

ନୂଆଦିଲ୍ଲୀ : କରୋନା ଭୂତାଣୁକୁ ନେଇ ରେଟିଂ ଏଜେନ୍ସି ମୁଡିସ୍‌ ବଡ଼ ଆକଳନ କରିଛି। ଏହା ଜଣାଇଛି ଯେ ଯଦି କରୋନା ମହାମାରୀର ରୂପ ନେବ ତେବେ ସମଗ୍ର ବିଶ୍ବ ମାନ୍ଦାବସ୍ଥା କବଳରେ ପଡ଼ିଯିବ। ‌ଶେଷ ଥର ଲାଗି ୨୦୦୮ରେ ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇଥିଲା। କରୋନାର ପ୍ରଭାବ ଏବେ ଚୀନ୍ ଅର୍ଥନୀତି ପର୍ଯ୍ୟନ୍ତ ସୀମିତ ରହିଛି। ମାତ୍ର କିଛି ଦିନ ଭିତରେ ଏହି ଭୂତାଣୁ କୋରିଆ, ଇରାନ ଓ ଇଟାଲିରେ ଦ୍ରୁତ ଗତିରେ ବ୍ୟାପୀବାରେ ଲାଗିଛି। ‌ତେଣୁ ଏହା ମହାମାରୀର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହା ଏବେ ସାରା ବିଶ୍ବର ଅର୍ଥନୀତି ପାଇଁ ବିପଦରେ ପରିଣତ ହୋଇଗଲାଣି। କରୋନା ପ୍ରଭାବରେ ଚୀନ୍‌ରେ ବ୍ୟବସାୟ ଓ ପର୍ଯ୍ୟଟନ ଜଗତ ଠପ୍ ହୋଇଯାଇଛି। ବିଶ୍ବର କୌଣସି ଦେଶର ବ୍ୟକ୍ତି ଚୀନ୍‌ ଯିବାକୁ ଚାହୁନାହାନ୍ତି। ‌ଚୀନ୍‌ର ନାଗରିକମାନେ ମଧ୍ୟ ଅ‌ନ୍ୟ ଦେଶକୁ ଯାଇପାରୁନାହାନ୍ତି। ଏହା ଦ୍ବାରା ଆମେରିକା ଓ ୟୁରୋପର ଅର୍ଥନୀତି ପ୍ରଭାବିତ ହେବା ଆରମ୍ଭ ହୋଇଗଲାଣି। ଆମେରିକାର ସର୍ବାଧିକ ବିଦେଶୀ ପର୍ଯ୍ୟଟକ ଚୀନ୍‌ରୁ ଆସିଥାନ୍ତି। ‌ଆମେରିକୀୟ ପ୍ରଯୁକ୍ତି କଂପାନି ଆପଲ୍‌ ପାଇଁ ଉତ୍ପାଦ ନିର୍ମାଣ କରୁଥିବା ସଂସ୍ଥା ଫକ୍ସକନ୍ ମଧ୍ୟ ଚୀନ୍‌ରେ ରହିଛି। ସେଠାରେ କାରଖାନା ବନ୍ଦ ରହିଥିବାରୁ ଆପଲ୍‌କୁ ବଡ଼ ଝଟ୍‌କା ଲାଗିଛି। ‌କ୍ରୀଡ଼ା ଉପକରଣ ନିର୍ମାତା ନାଇକ୍ ଓ କାର୍ କଂପାନି ଜେନେରାଲ୍ ମୋଟର୍ସକୁ ମଧ୍ୟ ଝଟ୍‌କା ଲାଗିଛି। ଗତ ଜାନୁଆରି ୩ରୁ ଫେବ୍ରୁଆରି ୨ ପର୍ଯ୍ୟନ୍ତ ଚୀନ୍‌ରେ କରୋନାର ତାଣ୍ଡବ ଉଚ୍ଚ ସ୍ତରରେ ଥିଲା। ଏହା ପରେ ସେଠାରେ ନୂଆ କରୋନା ଭୂତାଣୁ ମାମଲା ସଂଖ୍ୟା କମିବାରେ ଲାଗିଛି। ମାତ୍ର ଅନ୍ୟ ଦେଶଗୁଡ଼ିକରେ ଏହି ଭୂତାଣୁ ଜନିତ ମାମଲାରେ ଘଟୁଥିବା ବୃଦ୍ଧି ଅର୍ଥନୀତିଜ୍ଞମାନଙ୍କୁ ଚିନ୍ତାରେ ପକାଇ ଦେଇଛି।

୪ ଦିନରେ ନିବେଶକଙ୍କ ୫.୫୦ ଲକ୍ଷ କୋଟି କ୍ଷତି
ମୁମ୍ବାଇ : କରୋନା ଭୂତାଣୁ ପ୍ରଭାବରେ ବମ୍ବେ ଷ୍ଟକ ବଜାରରେ ଚତୁର୍ଥ ଦିନ ପାଇଁ କାରବାର ମାନ୍ଦା ରହିଛି। ଏହାର ପ୍ରଭାବରେ ଆଜି ସେନ୍‌ସେକ୍ସ ୩୯୨ ପଏଣ୍ଟ୍‌ ହ୍ରାସ ପାଇ ୩୯,୮୮୮ ପଏଣ୍ଟ୍‌ରେ ବନ୍ଦ ହୋଇଛଛି। ବିଗତ ଚାରି ଦିନ ଭିତରେ ସେନ୍‌ସେକ୍ସରେ ଘଟିଥିବା ହ୍ରାସ ଯୋଗୁଁ ନିବେଶକମାନେ ୫ ଲକ୍ଷ ୫୦ ହଜାର କୋଟି ଟଙ୍କାର କ୍ଷତି ସହିଲେଣି। ଏହି ଚାରି ଦିନରେ ସେନ୍‌ସେକ୍ସରେ ୧୪୦୦ ପଏଣ୍ଟ୍‌ର ହ୍ରାସ ଘଟିଛି। ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଇଟାଲି ଓ ଇରାନରେ ଦ୍ରୁତ ଗତିରେ ବ୍ୟାପୁଛି। ଏହା ମହାମାରିର ରୂପ ନେଇପା‌ରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସେଥିପାଇଁ ନ୍ୟୁୟର୍କ ଠାରୁ ଆରମ୍ଭ କରି ଟୋକିଓ ପର୍ଯ୍ୟନ୍ତ ପ୍ରାୟ ସବୁ ପ୍ରମୁଖ ଦେଶର ଷ୍ଟକ ବଜାରରେ ହଇଚଇ ସୃଷ୍ଟି ହୋଇଛି। ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ମଧ୍ୟପଡ଼ିଛି।

ସମ୍ବନ୍ଧିତ ଖବର