ଭୁବନେଶ୍ବର: ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କର କଠୋର ପ୍ରମ୍ପଟ୍ କରେକ୍ଟିଭ୍ ଆକ୍ସନ (ପିସିଏ) କବ୍ଜାରୁ ମୁକୁଳିଥିବା କର୍ପୋରେସନ ବ୍ୟାଙ୍କ ଋଣ ଆବଣ୍ଟନ କ୍ଷେତ୍ରରେ ଚଳିତ ବର୍ଷ ୧୦-୧୫% ବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ବିରୁପାକ୍ଷ ମିଶ୍ର କହିଛନ୍ତି ଯେ, ୨୦୧୮-୧୯ରେ ଆମ ଅଗ୍ରୀମ ପରିମାଣ ୧ ଲକ୍ଷ ୨୧ ହଜାର କୋଟି ଟଙ୍କା ଥିଲା। ଚଳିତ ବର୍ଷ ଆମେ ଏଥିରେ ୧୫% ଭଳି ବୃଦ୍ଧି ଆଣିବା ଉପରେ ଗୁରୁତ୍ବ ଦେଉଛୁ। ବଡ଼ କର୍ପୋରେଟ୍ ସଂସ୍ଥାକୁ ଋଣ ଦେବାର ଆମର କୌଣସି ଅଭିପ୍ରାୟ ନାହିଁ। କୃଷି, ଏସ୍ଏମ୍ଇ ଓ ଖୁଚୁରା କ୍ଷେତ୍ରକୁ ଅଧିକ ଋଣ ଆବଣ୍ଟନ କରିବୁ। ଏହି କ୍ଷେତ୍ରକୁ ଦିଆଯାଉଥିବା ଋଣର ପରିମାଣ କମ୍ ରହିଥାଏ ଏବଂ ଏକସଙ୍ଗେ ବିପୁଳ ପରିମାଣର ଟଙ୍କା ବୁଡ଼ିବାର ବିପଦ ମଧ୍ୟ ନଥାଏ। ସେଥିପାଇଁ ଅତି ସତର୍କତାର ସହିତ ଆମେ ଋଣ ଆବଣ୍ଟନ କରିବୁ ବୋଲି ସେ କହିଛନ୍ତି।ଓଡ଼ିଶାରେ କର୍ପୋରେସନ୍ ବ୍ୟାଙ୍କର ମୋଟ କାରବାର ୫୦୦୦ କୋଟି ଟଙ୍କା ଥିବା ବେଳେ ସେଥି ମଧ୍ୟରୁ ଜମା ପରିମାଣ ୩୦୦୦ କୋଟି ଟଙ୍କା ଓ ଅଗ୍ରୀମ ୨୦୦୦ କୋଟି ଟଙ୍କା ରହିଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ବର ଜୋନ୍ ଆଞ୍ଚଳିକ ମୁଖ୍ୟ ଏ ଆର୍ ରାଘବେନ୍ଦ୍ର ଉପସ୍ଥିତ ଥିଲେ। ଏହା ପୂର୍ବରୁ ବ୍ୟାଙ୍କର ଏମ୍ଡି ଓ ସିଇଓ ପି ଭି ଭାରତୀ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଫନି ବାତ୍ୟା ସହାୟତା ବାବଦରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୩୮ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ବ୍ୟାଙ୍କର ସବୁ କର୍ମଚାରୀ ନିଜର ଗୋଟିଏ ଦିନର ଦରମା ଏଥିପାଇଁ ଦାନ କରିଛନ୍ତି।
ଏ ବର୍ଷ ଅଧିକ ଋଣ ଦେବ କର୍ପୋରେସନ ବ୍ୟାଙ୍କ
/sambad/media/post_attachments/wp-content/uploads/2019/06/sbi-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)