ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସମଗ୍ର ବିଶ୍ବ ଅନେକ କ୍ଷତି ସହିଛନ୍ତି। ଉଭୟ ଧନ ଓ ଜୀବନ ହାନି ହୋଇଛି। ଅର୍ଥନୀତି ଦୃଷ୍ଟିରୁ ଦେଖିଲେ ମହାମାରୀ ବେଳେ ବିଭିନ୍ନ ସାମଗ୍ରୀର ଦରଦାମ ବଢ଼ିଛି। ବିଶେଷକରି ତୈଳ, ଧାତବ ଏବଂ ଖାଦ୍ୟ ସାମଗ୍ରୀ ମୂଲ୍ୟ ବହୁମାତ୍ରାରେ ବଢ଼ିଯାଇଛି। ଫଳରେ ରପ୍ତାନିକାରୀ ଦେଶଗୁଡ଼ିକ ଲାଭବାନ ହୋଇଥିବା‌ବେଳେ ଭାରତ ଭଳି ଆମଦାନିକାରୀ ଦେଶ କ୍ଷତି ସହିଛନ୍ତି। ଚଳିତବର୍ଷ ଅଶୋଧିତ ତେଲ ଦର ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୦ ପ୍ରତିଶତ ବଢ଼ିଛି। ଜାତିସଂଘର ହିସାବ ଅନୁଯାୟୀ ଗତ ୧୩ ମାସ ମଧ୍ୟରେ ଖାଦ୍ୟସାମଗ୍ରୀର ଦର ଲଗାତାର ବଢ଼ିଛି। ୨୦୧୧ ମସିହା ଠାରୁ ଖାଦ୍ୟ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ରହିଛି।

Advertisment

ଏଥିସହିତ ବ୍ଲୁମବର୍ଗ କମୋଡିଟି ସ୍ପଟ୍ ଇଣ୍ଡେକ୍ସ ଗତ ଦଶନ୍ଧି ମଧ୍ୟରେ ପାଖାପାଖି ସର୍ବୋଚ୍ଚ ସ୍ତରରେ ରହିଛି। ଗତ ୪ ମାସ ହେଲା ଏଥିରେ ଲଗାତାର ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି। ଫଳରେ ରୁଷିଆ ଏବଂ ସାଉଦି ଆରବ ଭଳି ତେଲ ଏବଂ ଗ୍ୟାସ ରପ୍ତାନିକାରୀ ଦେଶଗୁଡ଼ିକ ଅତ୍ୟଧିକ ଲାଭରେ ରହିଛନ୍ତି। ଅନ୍ୟପକ୍ଷରେ ଭାରତ ଭଳି ଆମଦାନିକାରୀ ଦେଶ କ୍ଷତି ସହିଛନ୍ତି। ବ୍ଲୁମବର୍ଗ ଇକୋନୋମିକ୍ସର ଆକଳନ ଅନୁଯାୟୀ ଚଳିତବର୍ଷ ପାଖାପାଖି ୫୫୦ ବିଲିଅନ ଡଲାର (ପ୍ରାୟ ୪୦.୩୯ ଲକ୍ଷ କୋଟି ଟଙ୍କା) ଆମଦାନିକାରୀ ଦେଶଙ୍କ ନିକଟରୁ ରପ୍ତାନିକାରୀ ଦେଶଙ୍କ ନିକଟକୁ ସ୍ଥାନାନ୍ତର ହେବ। ଗତବର୍ଷ ସାମଗ୍ରୀ ଆମଦାନି ବାବଦରେ ଆମଦାନିକାରୀ ରାଷ୍ଟ୍ର ଗୁଡ଼ିକ ରପ୍ତାନିକାରୀ ଦେଶଗୁଡ଼ିକୁ ପ୍ରାୟ ୨୮୦ ବିଲିଅନ ଡଲାର (୨୦.୮୪ ଲକ୍ଷ କୋଟି ଟଙ୍କା) ସ୍ଥାନାନ୍ତର କରିଥିଲେ। ତେଣୁ ଏଥିରେ ଚଳିତବର୍ଷ ପାଖାପାଖି ୧୦୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିବ।

publive-image

ୟୁଏଇ ମାଲାମାଲ
୪୫ଟି ଦେଶକୁ ନେଇ ହୋଇଥିବା ବ୍ଲୁମବର୍ଗ ଇକୋନୋମିକ୍ସ ସର୍ଭେ ମୁତାବିକ ବିଭିନ୍ନ ସାମଗ୍ରୀ ମହଙ୍ଗା ହେବା ଯୋଗୁ ସଂଯୁକ୍ତ ଆରବ ଏମିରେଟ୍ସ ସର୍ବାଧିକ ଲାଭ ପାଇଛି। ଅନ୍ୟପକ୍ଷରେ ଭାରତ, ଜାପାନ ଏବଂ ପଶ୍ଚିମ ୟୁରୋପୀୟ ଦେଶଗୁଡ଼ିକର ସମସ୍ୟା ବଢ଼ିଯାଇଛି। କାରଣ ଏମାନେ ସାମଗ୍ରୀ ଆମଦାନି ବାବଦରେ ଅଧିକ ଅର୍ଥ ଖର୍ଚ୍ଚ କରିଥାନ୍ତି। ସବୁଠୁ ଅଧିକ କ୍ଷତିର ସମ୍ମୁଖୀନ ହୋଇଥିବା ୫ଟି ଦେଶ ଏସିଆର। ସେହି ଦେଶଗୁଡ଼ିକ ମଧ୍ୟରେ ବାଂଲାଦେଶ ସବା ଉପରେ ରହିଛି। ପ୍ରତ୍ୟେକ ଦେଶ ଚଳିତବର୍ଷ ସେମାନଙ୍କ ମୋଟ ଘରୋଇ ଉତ୍ପାଦ (ଜିଡିପି)ର କେତେ ଲାଭ ଏବଂ କେତେ କ୍ଷତି ସହିବେ ତାହାର ତଥ୍ୟ ଏଠାରେ ଦିଆଯାଇଛି।