ବିଜ୍ଞାପନ ଖର୍ଚ୍ଚ ବଢ଼ାଇଲେ କର୍ପୋରେଟ୍ ସଂସ୍ଥା, ଗ୍ରାହକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଚାହୁଛନ୍ତି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ମଲ୍ ଓ ସପିଙ୍ଗ୍‌ କମ୍ପ୍ଲେକ୍ସଗୁଡ଼ିକୁ ଖୋଲିବା ଅନୁମତି ଦିଆଯାଇଥିବାରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି କଂପାନିଗୁଡ଼ିକ ବିଜ୍ଞାପନ ବାବଦ ଖର୍ଚ୍ଚ ବଢ଼ାଇଛନ୍ତି। ବିଜ୍ଞାପନ ବ୍ୟବସାୟର ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ମତରୁ ଏହା ଜଣାପଡ଼ିଛି। ମେଡିଆକମ୍‌ର ସିଇଓ ନବୀନ ଖେମ୍‌କା କହିଛନ୍ତି, ମଲ୍ ଓ ସପିଙ୍ଗ୍‌ କମ୍ପ୍ଲେକ୍ସ ଖୋଲିବା ପରେ ସ୍ଥିତିରେ ଉନ୍ନତି ହୋଇଛି। ଅଧିକ ଲୋକ ଘରୁ ବାହାରିବେ ବୋଲି ଆଶା କରାଯାଉଛି। ସେହିପରି, ଡେନ୍‌ସୁ ଏଜିସ୍‌ ନେଟ୍‌ୱର୍କର ସିଇଓ ଆଶିଷ ଭାସିନ୍ କହିଛନ୍ତି, ବିଭିନ୍ନ କ୍ଷେତ୍ର ଧୀରେ ଧୀରେ ଖୋଲୁଥିବାରୁ ଚାହିଦା ବଢ଼ିବାରେ ଲାଗିଛି। ସେଥିପାଇଁ ଅଧିକ ବିଜ୍ଞାପନ ଦିଆଯାଉଛି।

ଦୀର୍ଘ ତିନି ମାସ ପର୍ଯ୍ୟନ୍ତ ଗ୍ରାହକଙ୍କ ଠାରୁ ଦୂରେଇ ରହିବା ପରେ କଂପାନିଗୁଡ଼ିକ ଚିନ୍ତିତ ହୋଇପଡ଼ିଥିଲେ। ଖୁବ୍‌ଶୀଘ୍ର ଗ୍ରାହକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ସେମାନେ ବ୍ୟଗ୍ର ହୋଇପଡ଼ିଛନ୍ତି। ସେଥିପାଇଁ ବିଜ୍ଞାପନ ବାବଦ ଖର୍ଚ୍ଚ ବଢ଼ାଇଛନ୍ତି। ଆସନ୍ତା ମାସେ କିମ୍ବା ଦୁଇ ମାସ ଭିତରେ ଅନେକ କଂପାନି ନିଜର ବ୍ରାଣ୍ଡ୍‌କୁ ପ୍ରଚାର କରିବା ଲାଗି ବିଜ୍ଞାପନ ବାବଦ‌ ଖର୍ଚ୍ଚ ବଢ଼ାଇବେ ବୋଲି ମାଡିସନ୍ ୱାର୍ଲଡ୍‌ର ସିଏମ୍‌ଡି ସାମ୍‌ ବଲ୍‌ସାରା କହିଛନ୍ତି। ସମ୍ବାଦପତ୍ର ଓ ଟେଲିଭିଜନରେ ବିଜ୍ଞାପନ ମାତ୍ରା ବଢ଼ିଥିବା ବେଳେ ଆଉଟ୍‌ଡୋର୍‌ରେ ‌କରାଯାଉଥିବା ପ୍ରଚାର ପ୍ରତି ମଧ୍ୟ କଂପାନିଗୁଡ଼ିକ ଧ୍ୟାନ ଦେବା ଆରମ୍ଭ କରିଛନ୍ତି। ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଏହି ଧାରା ବଢ଼ିବାରେ ଲାଗିଛି ବୋଲି ଲକ୍ଷ୍ୟ ମେଡିଆ ଗ୍ରୁପ୍‌ର ସିଓଓ ଅତୁଲ ଶ୍ରୀବାସ୍ତବ କହିଛନ୍ତି।

ସମ୍ବନ୍ଧିତ ଖବର