ନୂଆଦିଲ୍ଲୀ: କର୍ପୋରେଟ୍ କ୍ଷେତ୍ର ପୂର୍ବଭଳି ନିଯୁକ୍ତି ସୃଷ୍ଟି କରିପାରୁନାହିଁ। ବ୍ୟାଙ୍କ ଅଫ୍ ବରୋଦା ଜାରି କରିଥିବା ରିପୋର୍ଟକୁ ଦେଖିଲେ ସେଭଳି କିଛି ସଙ୍କେତ ମିଳୁଛି। ବ୍ୟାଙ୍କ ଏହାର ରିପୋର୍ଟରେ ଜଣାଇଛି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ କର୍ପୋରେଟ୍ ଜଗତରେ ୩,୩୩,୦୦୦ ନିଯୁକ୍ତି ସୃଷ୍ଟି ହୋଇଥିଲା। ୨୦୨୩-୨୪ରେ କିନ୍ତୁ ମାତ୍ର ୯୦,୮୪୦ ନିଯୁକ୍ତି ସୃଷ୍ଟି ହୋଇଛି।
ରିପୋର୍ଟରେ କୁହାଯାଇଛି ଯେ କରୋନା ମହାମାରୀର ପରବର୍ତ୍ତୀ ବର୍ଷ ହୋଇଥିବାରୁ ୨୦୨୨-୨୩ରେ ବିପୁଳ ନିଯୁକ୍ତି ସୃଷ୍ଟି ହୋଇଥିଲା। କିନ୍ତୁ ପରବର୍ତ୍ତୀ ବର୍ଷଗୁଡ଼ିକରେ ସେହି ଅଭିବୃଦ୍ଧି ବଜାୟ ରହିନଥିଲା। କର୍ପୋରେଟ୍ ଜଗତରେ ସୃଷ୍ଟି ହୋଇଥିବା ନିଯୁକ୍ତିରୁ ୧୯.୪ ପ୍ରତିଶତ ରିଟେଲ୍ରେ, ୧୬.୨ ଟ୍ରେଡିଂ, ୧୫.୮ ପ୍ରତିଶତ ଭିତ୍ତିଭୂମି, ୧୩.୬ ପ୍ରତିଶତ ରିଅଲ ଇଷ୍ଟେଟ୍ ଓ ୧୨.୧ ପ୍ରତିଶତ ନିଯୁକ୍ତି ଲୁହା ଓ ଇସ୍ପାତ କ୍ଷେତ୍ରରେ ସୃଷ୍ଟି ହୋଇଥିଲା। ସେହି ସମୟରେ ଆତିଥେୟତା କ୍ଷେତ୍ରରେ ନିଯୁକ୍ତି ୧୧.୯ ପ୍ରତିଶତ କମ୍ ହୋଇଥିବା ବେଳେ ଲଜିଷ୍ଟିକ୍ସରେ ୧୧.୮ ପ୍ରତିଶତ, ବ୍ୟବସାୟ ସେବାରେ ୬.୩ ପ୍ରତିଶତ ଓ ବୟନରେ ନିଯୁକ୍ତି ୫ ପ୍ରତିଶତ ହ୍ରାସ ପାଇଛି।
ତେବେ ରିପୋର୍ଟରୁ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ଆତିଥେୟତା, ବ୍ୟବସାୟ ସେବା ଓ ଇଲେକ୍ଟ୍ରିକାଲ୍ କ୍ଷେତ୍ରରେ ବିକ୍ରି ବଢ଼ିବା ସତ୍ତ୍ବେ ନିଯୁକ୍ତି ହ୍ରାସ ପାଇଛି। ସେହିପରି ଟ୍ରେଡିଂ ଓ ପ୍ଲାଷ୍ଟିକ୍ ଉତ୍ପାଦ କ୍ଷେତ୍ରରେ ବିକ୍ରି କମିଥିବା ବେଳେ କର୍ମଚାରୀଙ୍କ ସଂଖ୍ୟା ବଢ଼ିଛି। ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୧୧୯୬ଟି କମ୍ପାନିର ତଥ୍ୟ ଆଧାରରେ ଏହି ରିପୋର୍ଟ ତିଆରି କରାଯାଇଛି।