ଭୁବନେଶ୍ବର: ଅର୍ଥନୈତିକ ପ୍ରଗତି ସହିତ ପରିବେଶ ସୁରକ୍ଷାର ମଧ୍ୟ ଆବଶ୍ୟକତା ରହିଛି। ପରିବେଶକୁ ବାଦ୍ ଦେଇ ଅର୍ଥନୈତିକ ଅଗ୍ରଗତି ହେଲେ ଆଗାମୀ ଦିନରେ ତାହା ମାନବ ସମାଜ ପାଇଁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିବ। ଏହାକୁ ଦୃଷ୍ଟିରେ ରଖି କଳ କାରଖାାନାରୁ ବା ଅର୍ଥନୈତିକ ଉତ୍ପାଦନ ପ୍ରକ୍ରିୟାରେ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁକୁ କିଭଳି ପୁନର୍ବାର ଉତ୍ପାଦନ ପ୍ରକ୍ରିୟାରେ ଉପଯୋଗ କରାଯିବ ତାହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ଏକ ସୂଚନା ଅନୁଯାୟୀ ଭାରତରେ ବର୍ଷକୁ ପ୍ରାୟ ୬୨ ନିୟୁତ ଟନ୍ ବର୍ଜ୍ୟବସ୍ତୁ ବାହାରୁଛି। କିନ୍ତୁ ସେଥିରୁ ମାତ୍ରାଧିକ ଅବ୍ୟବହୃତ ହୋଇ ପଡ଼ି ରହୁଛି। ତେଣୁ ସେଗୁଡ଼ିକ କିଭଳି ନଷ୍ଟ ନହୋଇ ବ୍ୟବହାର କରାଯାଇ ପାରିବ ତାହା ଉପରେ ଭୁବନେଶ୍ବରଠାରେ ଆଜି କର୍ପୋରେଟ୍, ରିସାଇକ୍ଲ ର୍ସ, ଶିକ୍ଷାବିତ୍, ଷ୍ଟାର୍ଟଅପ୍, ଗବେଷକ ଓ ସ୍ବେଚ୍ଛାସେବୀ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇ ମାନସମନ୍ଥନ କରିଛନ୍ତି।
ମାନବ ସଂସାଧନ ବିକାଶ ସଂସ୍ଥାନ (ଏମ୍ଏସ୍ଭିଏସ୍) ପକ୍ଷରୁ ଆୟୋଜିତ ଏହି ଆଲୋଚନାରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଭାରତରେ ବର୍ଜ୍ୟବସ୍ତୁର ପୁନଃଚକ୍ରଣ ଏବଂ ପୁନଃବ୍ୟବହାର କ୍ଷେତ୍ର ବହୁ ପଛରେ ପଡ଼ିଛି। ଏ କ୍ଷେତ୍ରରେ ଆଗକୁ ବଢ଼ିବାକୁ ହେଲେ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ। ଉତ୍ପାଦନ ପ୍ରକ୍ରିୟାରେ ବାହାରୁଥିବା କୌଣସି ବି ସାମଗ୍ରୀକୁ ନଷ୍ଟ ହେବାକୁ ଦିଆଯିବା ଉଚିତ ନୁହେଁ। ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ହେବ। କର୍ପୋରେଟ୍ ଏବଂ ରିସାଇକ୍ଲର୍ସମାନଙ୍କ ମଧ୍ୟରେ ସଂପର୍କ ସ୍ଥାପନ କରିବାକୁ ପଡ଼ିବ। ବିଶେଷଜ୍ଞମାନେ ମତ ଦେଇଥିଲେ ଯେ, ବର୍ଜ୍ୟ ସାମଗ୍ରୀର ପୁନଃବ୍ୟବହାର କ୍ଷେତ୍ରରେ ୟୁରୋପୀୟ ଦେଶଗୁଡ଼ିକ ଆଗରେ ରହିଛନ୍ତି। ସେମାନେ ଉନ୍ନତମାନର ପଦ୍ଧତି ଆପଣାଇଛନ୍ତି।
ଦେଶରେ ପ୍ରଡକ୍ଟ ପାସ୍ପୋର୍ଟ ଆବଶ୍ୟକ
ବର୍ଜ୍ୟ ସାମଗ୍ରୀକୁ ଶିଳ୍ପର ମାନ୍ୟତା ଦିଆଯାଉ
ଉତ୍ପାଦନକାରୀ-ରିସାଇକ୍ଲର୍ସ ସମନ୍ବୟ ବଢ଼ିବା ଆବଶ୍ୟକ
ନାଗରିକଙ୍କ ଭଳି ପ୍ରଡକ୍ଟଗୁଡ଼ିକର ପାସପୋର୍ଟ ମଧ୍ୟ ରହିଛି। ଫଳରେ ଉତ୍ପାଦଗୁଡ଼ିକର ପରିଚୟ ଜାଣି ହେଉଛି ଏବଂ ସେଗୁଡ଼ିକ କେଉଁଠି ଉପଲବ୍ଧ ହେଉଛି ତାହାର ତଥ୍ୟ ମଧ୍ୟ ମିଳିପାରୁଛି। ଏହା ଫଳରେ ଆବଶ୍ୟକ ଉତ୍ପାଦକୁ ଖୋଜି ପାଇବା ଏବଂ ବ୍ୟବହାର କରିବା ସହଜ ହୋଇପାରିଛି। ଭାରତରେ ସେଭଳି ବ୍ୟବସ୍ଥା ବିକାଶ କରିବାର ଆବଶ୍ୟକତା ରହିଛି। ସେହିଭଳି ରିସାଇକ୍ଲର୍ସ ବା ପୁନଃଚକ୍ରଣ କାର୍ଯ୍ୟରେ ନିୟୋଜିତ ସଂସ୍ଥାଗୁଡ଼ିକୁ କିଭଳି ସବୁ ବର୍ଗର ଶିଳ୍ପ ସହିତ ଯୋଡ଼ାଯାଇ ପାରିବ ତାହା ଉପରେ ଗୁରୁତ୍ବ ଦେବାକୁ ହେବ। ରିସାଇକ୍ଲର୍ସ କାର୍ଯ୍ୟରେ ନିୟୋଜିତ ସଂସ୍ଥା ଏବଂ ସେମାନଙ୍କ ନିକଟରେ ଉପଲବ୍ଧ ଉତ୍ପାଦଗୁଡ଼ିକର ଡାଟାବେସ୍ ପ୍ରସ୍ତୁତ କରିବାକୁ ପଡ଼ିବ। ସେହିଭଳି ବର୍ଜ୍ୟ ସାମଗ୍ରୀ କ୍ଷେତ୍ରକୁ ମଧ୍ୟ ଶିଳ୍ପର ମାନ୍ୟତା ଦେବାକୁ ହେବ। ଲୋକମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାକୁ ଯେଭଳି ଗର୍ବ ଅନୁଭବ କରିବେ ସେ ନେଇ ବ୍ୟବସ୍ଥା କରିବାକୁ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
କନ୍କ୍ଲେଭ୍ରେ ଏନ୍ଆଇଏନ୍ଏଲ୍ର ଏମ୍ଡି ତଥା ସିଇଓ ସୁଧୀର କୁମାର ମେହଟା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ରିସଷ୍ଟେନେବିଲିଟି ଲିମିଟେଡର ଏମ୍ଡି ଟି କ୍ରିଷ୍ଣା ରାଓ, ହିଣ୍ଡାଲକୋର ସଭାପତି ତଥା ମୁଖ୍ୟ (ନିୟାମକ ବ୍ୟାପାର) ବିନୋଦ କୁମାର ବର୍ମା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏଏମ୍ଏନ୍ଏସ୍ର ଚିଫ୍ ସଷ୍ଟେନେବିଲିଟି ଅଫିସର ଡ. ଅରବିନ୍ଦ ବୋଧଙ୍କର, ପ୍ରଫେସର ରଣଜିତ ପ୍ରସାଦ, ଡ. ଏସ୍ ରଙ୍ଗନାଥନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଦୁଇଟି ବୈଷୟିକ ଅଧିବେଶନରେ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।