ଠକେଇ ୧୩ ହଜାର କୋଟି ଟପିଲା

ମୁମ୍ବାଇ:ଦିନକୁ ଦିନ ହୀରା ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ବ୍ୟାଙ୍କ ଠକେଇ ପରିମାଣ ବଢ଼ିବାରେ ଲାଗିଛି। ଏବେ ଏହି ମାମଲାରେ ଆଉ ୯୪୨ କୋଟି ଟଙ୍କାର ଠକେଇ ପଦାକୁ ଆସିଛି। ଫଳରେ ପିଏନ୍‌ବିରୁ ନିରବଙ୍କ ଠକେଇ ପରିମାଣ ୧୩ ହଜାର କୋଟି ଟଙ୍କା ଅତିକ୍ରମ କରିଛି।
ଆଉ ୯୪୨ କୋଟି ଟଙ୍କାର ଠକେଇ ପଦାକୁ ଆସିଥିବା ବିଷୟ ପିଏନ୍‌ବି ଜାଣିବାକୁ ପାଇ ପୁଲିସକୁ ଜଣାଇଛି। ପୁଲିସ ଏ ସଂପର୍କରେ ଅଦାଲତକୁ ଅବଗତ କରାଇଥିବା କୁହାଯାଉଛି। ପିଏନ୍‌ବିର ଏହି ଠକେଇକୁ ଦେଶର ସର୍ବବୃହତ୍‌ ବ୍ୟାଙ୍କ ଠକେଇ ଭାବେ ଅଭିହିତ କରାଯାଉଛି।
ଅଦାଲତକୁ ପୁଲିସ ଦର୍ଶାଇଛି ଯେ ମେହୁଲ ଚୋକ୍‌ସିଙ୍କ କଂପାନି ଗୀତାଞ୍ଜଳି ଗ୍ରୁପ୍‌ର ପିଏନ୍‌ବି ଠକେଇ ପରିମାଣ ୭୦୮୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ପିଏନ୍‌ବିରୁ ଗୀତାଞ୍ଜଳି ଗ୍ରୁପ୍‌ କଂପାନିର ଠକେଇ ପରିମାଣ ୬୧୩୮ କୋଟି ଟଙ୍କା ଥିବା ଦର୍ଶାଯାଇଥିଲା। ଫଳରେ ପିଏନ୍‌ବିକୁ ଗୀତାଞ୍ଜଳି ଗ୍ରୁପ୍‌ର ଠକେଇ ପରିମାଣ ୯୪୨ କୋଟି ଟଙ୍କା ବଢ଼ିଯାଇଛି। ଅନ୍ୟପକ୍ଷରେ ମେହୁଲ ଚୋକ୍‌ସିଙ୍କ ଓକିଲ ଏହି ନୂଆ ଠକେଇ ବିଷୟରେ ଜାଣି ନଥିବାରୁ ଏହା ଉପରେ ମତାମତ ଦେବାକୁ ମନା କରିଦେଇଛନ୍ତି। ସେହିଭଳି ଏହି ଘଟଣା ସଂପର୍କରେ ପିଏନ୍‌ବିର ମତାମତ ମଧ୍ୟ ତୁରନ୍ତ ହସ୍ତଗତ ହୋଇପାରି ନାହିଁ।

ପୁଣି ଏକ ୬୦୦୦ କୋଟିର ଠକେଇ

ସିମ୍‌ଲା: ହିମାଚଳ ପ୍ରଦେଶର ଏକ କଂପାନି ରାଜ୍ୟ ସରକାର ଓ ବ୍ୟାଙ୍କ ଗୁଡ଼ିକୁ ପ୍ରାୟ ୬୦୦୦ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ସୁନା, ପାଲାଡିୟମ ଏବଂ ରୁପାକୁ ମିଶାଇ ମୂଲ୍ୟବାନ ଧାତବ ମିଶ୍ରଣ ପ୍ରସ୍ତୁତ କରୁଥିବା ଇଣ୍ଡିଆନ୍‌ ଟେକ୍ନୋମ୍ୟାକ୍‌ ନାମକ କଂପାନି ୨୦୦୯ରୁ ୨୦୧୪ ମଧ୍ୟରେ ସରକାରଙ୍କୁ ଭାଟ୍‌ ବାବଦରେ ୨୧୭୫.୫୧ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ୨୦୧୪ରେ ଏହି କଂପାନି ବନ୍ଦ ହୋଇଯାଇଥିଲା। ଏ ନେଇ ଏକ ଅଭିଯୋଗ ପୁଲିସରେ ହୋଇଛି। ସିପିଏମ୍‌ ବିଧାୟକ ରାକେଶ ସିଂହ ମଧ୍ୟ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି। ଏତଦ୍‌ବ୍ୟତୀତ ବ୍ୟାଙ୍କ ଗୁଡ଼ିକୁ ଏହାର ଦେୟ ବାବଦରେ ୩୫୦୦ କୋଟି ଏବଂ ଆୟକର ବିଭାଗକୁ ୭୮୦ କୋଟି ଟଙ୍କା ପ୍ରଦାନ କରିବାକୁ ଅଛି।

ସମ୍ବନ୍ଧିତ ଖବର