ପିଏନ୍‌ବି ଠକେଇ ନିରବ ମୋଦି ଖଳନାୟକ

ମୁମ୍ବାଇ/ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ରେ ଯେଉଁ ୧୧ ହଜାର କୋଟି ଟଙ୍କାର ଠକେଇ ହୋଇଛି ସେଥିରେ ହୀରା ବ୍ୟବସାୟୀ ନିରବ ମୋଦିଙ୍କର ହାତ ରହିଛି। ଏ ନେଇ ପିଏନ୍‌ବି ପକ୍ଷରୁ ନିରବ ମୋଦିଙ୍କ ନାମରେ ସିବିଆଇରେ ମାମଲା ଦାୟର କରାଯାଇଛି। ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ମନି ଲଣ୍ଡରିଂ ମାମଲା ମଧ୍ୟ ଦାୟର କରାଯାଇଛି। କିଛି ଦିନ ତଳେ ଆୟକର ବିଭାଗ ତରଫରୁ ନିରବ ମୋଦି ଏବଂ ତାଙ୍କ ସହ ଜଡ଼ିତ ଥିବା ସବୁ ସଂସ୍ଥା ଏବଂ ତାଙ୍କର କିଛି ସମ୍ପର୍କୀୟଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଯେତିକି କୋଟି ଟଙ୍କାର ଠକେଇ ହୋଇଛି ତାହା ପିଏନ୍‌ବିର ୩୫,୩୬୫ କୋଟି ଟଙ୍କାର ବଜାର ପୁଞ୍ଜିର ଏକ ତୃତୀୟାଂଶ ସହ ସମାନ। ବ୍ୟାଙ୍କ ଦେଇଥିବା ମୋଟ ଋଣର ତାହା ୨.୫୫%। ଏସବୁ ଦୃଷ୍ଟିରୁ ବ୍ୟାଙ୍କ ପାଇଁ ଏହି ଠକେଇ ବେଶ ଗମ୍ଭୀର ବୋଲି ବିଚାର କରାଯାଉଛି। ଏନ୍‌ପିଏ ସମସ୍ୟା ଦେଇ ଗତି କରୁଥିବା ପିଏନ୍‌ବିକୁ ଏହି ଠକେଇ ଆହୁରି ଅଡ଼ୁଆରେ ପକାଇବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେବେ କେନ୍ଦ୍ର ସରକାର ପିଏନ୍‌ବିର ଏହି ଠକେଇକୁ ଏତେ ଗମ୍ଭୀରତାର ସହ ନେଇ ନାହାନ୍ତି। ବ୍ୟାଙ୍କିଙ୍ଗ ବ୍ୟାପାର ଯୁଗ୍ମ ସଚିବ ଲୋକ ରଞ୍ଜନ କହିଛନ୍ତି ଯେ, ଏହି ସମସ୍ୟା ନିୟନ୍ତ୍ରଣ ବାହାରକୁ ଯାଇନାହିଁ। ଏହି ଠକେଇରେ ଅନ୍ୟ କିଛି ବ୍ୟାଙ୍କ ପ୍ରଭାବିତ ହେବାର ଆଶଙ୍କା କରାଯାଉଥିବାରୁ, ଚଳିତ ସପ୍ତାହ ଶେଷ ସୁଦ୍ଧା ଏହି ଠକେଇ ସମ୍ପର୍କିତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଆର୍ଥିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି।  ବ୍ୟାଙ୍କ ତରଫରୁ ଡିସ୍‌କ୍ଲୋଜର୍‌ ନିୟମ ଠିକ୍‌ ଭାବେ ପାଳନ କରାଯାଇଛି ନା ନାହିଁ ତାହାର ତଦନ୍ତ ସେବି କରିପାରେ ବୋଲି ଆଲୋଚନା ହେଉଛି।

 

କିଭଳି ହୋଇଥିଲା ଠକେଇ

ଲେଟର୍ସ ଅଫ୍‌ ଅଣ୍ଡରଷ୍ଟାଣ୍ଡିଂ (ଏଲ୍‌ଓୟୁ)। ଏହାକୁ ବ୍ୟବହାର କରି ନିରବ ମୋଦିଙ୍କ ସଂସ୍ଥା  ଏହି ଠକେଇ କରିଛି। ୨୦୧୧ରୁ ଏହି କାରବାର ଚାଲିଥିଲା। କିନ୍ତୁ ଗତ ମାସରେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏହି ଠକେଇ କରିବାରେ ନିରବଙ୍କ ସଂସ୍ଥାକୁ ପିଏନ୍‌ବିର କିଛି କର୍ମଚାରୀ ସାହାଯ୍ୟ କରୁଥିଲେ। ସେମାନେ କଂପାନି ନାମରେ ଏଲ୍‌ଓୟୁ ଜାରି କରୁଥିଲେ, କିନ୍ତୁ ତାହାକୁ ବ୍ୟାଙ୍କ ଖାତାରେ ଏଣ୍ଟ୍ରି କରୁନଥିଲେ। କଂପାନି ଉକ୍ତ ଏଲ୍‌ୟୁସିକୁ ନେଇ ହଂକଂରେ ଥିବା ଅନ୍ୟ ବ୍ୟାଙ୍କରୁ ଋଣ ଉଠାଉଥିଲା।  ଗତ ମାସରେ ମଧ୍ୟ ନିରବଙ୍କ ସଂସ୍ଥା ନାମରେ ଏଲ୍‌ଓୟୁ ଜାରି କରାଯାଇଥିଲା। ତାହାକୁ ନେଇ ନିରବଙ୍କ କଂପାନିର ଜଣେ ଅଧିକାରୀ ଋଣ ଉଠାଇବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ପିଏନ୍‌ବିର ଯେଉଁ କର୍ମଚାରୀ ଜଣକ କଂପାନିକୁ ଠକେଇ କରିବାରେ ସାହାଯ୍ୟ କରୁଥିଲେ ସେ ଅବସର ଗ୍ରହଣ ସାରିଥିଲେ ଏବଂ ତାଙ୍କ ସ୍ଥାନରେ ନୂତନ ଅଧିକାରୀଙ୍କୁ ଦାୟିତ୍ୱ ମିଳିଥିଲା। ନୂଆ ଅଧିକାରୀ ଜଣକ ଏଲ୍‌ଓୟକୁ ଦେଖିବା ପରେ  କଂପାନି ପାଖରେ ଏହି ସୁବିଧା ହାସଲ କରିବା ପାଇଁ କ’ଣ ଗ୍ୟାରେଣ୍ଟି ଅଛି ତାହା ଜାଣିବାକୁ ଚାହିଁଥିଲେ। ଏହା ଶୁଣି କଂପାନି ଅଧିକାରୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ପୂର୍ବରୁ ତ  ଆମେ ଏହାକୁ ଦେଖାଇ ଅନେକ ଥର ଋଣ ନେଇଛୁ କିନ୍ତୁ କେହି କେବେ ବି ଏଭଳି ପ୍ରଶ୍ନ କରିନଥିଲେ ବୋଲି ଜଣାଇଥିଲେ।  ଏହା ଜାଣିବା ପରେ ବ୍ୟାଙ୍କର ଅଧିକାରୀ ଜଣକ ତୁରନ୍ତ ବ୍ୟାଙ୍କରେ ଥିବା ରେକର୍ଡକୁ ଯାଞ୍ଚ କରିଥିଲେ। କିନ୍ତୁ ନିରବଙ୍କ ସଂସ୍ଥା ନାମରେ ପୂର୍ବରୁ ଜାରି କରାଯାଇଥିବା କୌଣସି ଏଲ୍‌ଓୟୁର ରେକର୍ଡ ହିଁ ନଥିବା ଜାଣିବାକୁ ପାଇଥିଲେ।  ନିରବଙ୍କ ସଂସ୍ଥା ଏଲ୍‌ଓୟୁ ଜରିଆରେ ଇତି ମଧ୍ୟରେ ୧୧ ହଜାର କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରୁ ନେଇସାରିଥିଲା। ନିରବଙ୍କ ସଂସ୍ଥାକୁ ଋଣ ନେଉଥିବା ବିଭିନ୍ନ ବ୍ୟାଙ୍କ ପିଏନ୍‌ବିଠାରୁ ଋଣ ବାବଦ ଅର୍ଥ ଆଦାୟ କରୁଥିଲେ। ଉଲ୍ଲେଖଯୋଗ୍ୟ, ଗୋଟିଏ ବ୍ୟାଙ୍କ ଏଲ୍‌ଓୟୁ ଜାରି କଲେ ଅନ୍ୟ ବ୍ୟାଙ୍କ ତାହାକୁ ବିଶ୍ୱାସକୁ ନିଅନ୍ତି ଏବଂ ଋଣ ଦେଇଥାନ୍ତି।

ନିରବ କିଏ?

ନିରବ ମୋଦି ହେଉଛନ୍ତି ଜଣେ ସେଲିବ୍ରିଟି ହୀରା ଡିଜାଇନର୍‌ ଏବଂ ହୀରା ବ୍ୟବସାୟୀ। ବିଶ୍ୱର ହୀରା ରାଜଧାନୀ କୁହାଯାଉଥିବା ବେଲଜିୟମ୍‌ର ଅନ୍ତରୀପଠାରେ ସେ ବଢ଼ିଥିଲେ। ୟୁରୋପର ବିଭିନ୍ନ ମ୍ୟୁଜିୟମ ପରିଦର୍ଶନ କରିବା ପରେ ପିଲାଟି ଦିନରୁ ତାଙ୍କର କଳା ଏବଂ ଡିଜାଇନ୍‌ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ସଙ୍ଗୀତ ପ୍ରତି ମଧ୍ୟ ତାଙ୍କର ଗଭୀର ରୁଚି ରହିଥିଲା। ଥରେ, ତାଙ୍କର ଜଣେ ବନ୍ଧୁ ତାଙ୍କୁ ଇୟର ରିଙ୍ଗ୍‌ (କାନ ପାଇଁ ରିଙ୍ଗ୍‌) ଡିଜାଇନ କରିବାକୁ କହିଥିଲେ। ଭଲ ହୀରା ସନ୍ଧାନରେ ବାହାରି ସେ ରୁଷିଆରେ ପହଞ୍ଚିଥିଲେ। ସେଠାରୁ ଆଣିଥିବା ଉନ୍ନତ ମାନର ହୀରାକୁ ବ୍ୟବହାର କରି ସେ ଯେଉଁ ଇୟର ରିଙ୍ଗ୍‌ ଡିଜାଇନ୍‌ କରିଥିଲେ ତାହା ତାଙ୍କ ବନ୍ଧୁଙ୍କୁ ବହୁତ ପସନ୍ଦ ଆସିଥିଲେ। ଏହା ପରେ ସେ ଜାଣିପାରିଥିଲେ ଯେ ଡିଜାଇନର୍‌ ହୀରାକୁ ନେଇ ଲୋକମାନଙ୍କ ମନରେ ବହୁତ ଉତ୍ସାହ ରହିଛି। ତେଣୁ ସେ ଏକ୍ଷେତ୍ରରେ ବ୍ୟବସାୟୀ ଭାବେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ।  ଭାରତ ଫେରି ସେ ନିଜ ସମ୍ପର୍କୀୟଙ୍କଠାରୁ ହୀରା କାରବାର ବିଷୟରେ ବହୁତ କିଛି ଶିଖିଥିଲେ। ଯେହେତୁ ତାଙ୍କ ସମ୍ପର୍କୀୟମାନେ ଗହଣା କାରବାର ସହିତ ଜଡ଼ିତ ଥିଲେ, ତେଣୁ ହୀରା କାରବାରରେ ପ୍ରବେଶ କରିବା ତାଙ୍କ ପାଇଁ ବେଶି କଷ୍ଟକର ହୋଇନଥିଲା। ୧୯୯୯ରେ ଫାୟାର ଷ୍ଟାର୍‌ ନାମକ ସଂସ୍ଥା ଆରମ୍ଭ କରିଥିଲେ। ତାଙ୍କୁ ଭାରତର ହୀରା ସମ୍ରାଟ କୁହାଯାଏ। ମୋଦିଙ୍କ ସମ୍ପତ୍ତି ପରିମାଣ ହେଉଛି ୧୭୮ କୋଟି ଡଲାର। ଫୋର୍ବସ୍‌ ଧନୀ ତାଲିକାରେ ତାଙ୍କୁ ୮୪ତମ ସ୍ଥାନ ମିଳିଛି। ସେ ‘ନୀରବ ମୋଦି’ ବ୍ରାଣ୍ଡ୍‌ ନାମରେ ନିଜର ଷ୍ଟୋର୍‌ ବିଶ୍ୱର ବିଭିନ୍ନ ସହରରେ ଖୋଲିଛନ୍ତି। ତାଙ୍କ ଷ୍ଟୋର ନୂଆଦିଲ୍ଲୀ, ମୁମ୍ବାଇ, ନ୍ୟୁୟର୍କ, ହଂକଂ, ଲଣ୍ଡନ ଏବଂ ମକାଉ ଭଳି ସ୍ଥାନରେ ରହିିଛି।ନିରବ ଡିଜାଇନ୍‌ କରୁଥିବା ଗହଣାଗୁଡ଼ିକ ସେଲିବ୍ରିଟିଙ୍କ ମଧ୍ୟ ବେଶ ଲୋକପ୍ରିୟ। ୨୦୧୬ ଓସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ହଲିଉଡ୍‌ର ଅଭିନେତ୍ରୀ କେଟ୍‌ ଓ୍ଵିନ୍‌ସଲେଟ୍‌ ନିରବଙ୍କ ଗହଣା ପରିଧାନ କରିଥିଲେ। ନିକଟରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନିରବ ତାଙ୍କ କଂପାନିର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତି ଦେଇଥିଲେ।

ସମ୍ବନ୍ଧିତ ଖବର