ଅବକାରୀ ଦୁର୍ନୀତି ଅର୍ଥକୁ ଆପ୍‌ ଗୋଆ ନିର୍ବାଚନରେ ଖର୍ଚ୍ଚ କରିଛି: ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିଛି। ଇଡି ଚାର୍ଜସିଟ୍‌ ଅନୁଯାୟୀ ଅବକାରୀ ଦୁର୍ନୀତି ଟଙ୍କାକୁ ଆପ୍‌ ଗୋଆ ନିର୍ବାଚନ ପ୍ରଚାର ଖର୍ଚ୍ଚ ପାଇଁ ବ୍ୟବହାର କରିଛି। ଉଲ୍ଲେଖଯୋଗ୍ୟ, ୨୦୨୨ରେ ଗୋଆ ବିଧାନସଭା ନିର୍ବାଚନ ହୋଇଥିଲା। ଗୋଆରେ ଆପ୍‌ ୨ଟି ଆସନରୁ ଜିତିଥିଲା। ଇଡି ଅନୁଯାୟୀ ଆପ୍‌ ସର୍ଭେ ଟିମ୍‌ରେ ଥିବା ଭଲ୍ୟୁଣ୍ଟିୟରଙ୍କୁ ମୋଟ୍‌ ୭୦ ଲକ୍ଷ ନଗଦ ଟଙ୍କା ଦିଆଯାଇଛି। ଆପ୍‌ର କମ୍ୟୁନିକେସନ ଇନଚାର୍ଜ ବିଜୟ ନେୟାର ପ୍ରଚାର କାର୍ଯ୍ୟରେ ସାମିଲ ଥିବା କିଛି ବ୍ୟକ୍ତିଙ୍କୁ ନଗଦ ଟଙ୍କା ନେବାପାଇଁ କହିଥିବା ତଦନ୍ତରୁ ଜଣାପଡ଼ିଛି। ବିଜୟ ନେୟାର ମଧ୍ୟ ଆପ୍‌ ପକ୍ଷରୁ ୱାଇଏସ୍‌ଆରସିପି ସାଂସଦ ମଗୁନତା ଶ୍ରୀନିବାସୁଲୁ ରେଡ୍ଡି ଏବଂ ତାଙ୍କ ପୁଅ ରାଘବ ମଗୁନତା, ଅରବିନ୍ଦ ଫାର୍ମା ଡାଇରେକ୍ଟର ପି ସାରଥ ଚନ୍ଦ୍ର ରେଡ୍ଡି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖରଙ୍କ ଝିଅ କେ କବିତାଙ୍କଠାରୁ ୧୦୦ କୋଟି ଲାଞ୍ଚ ନେଇଥିବା ଇଡି ଚ‌ାର୍ଜସିଟ୍‌ରେ ଦାବି ହୋଇଛି।

ଇଡି ପ୍ରସ୍ତୁତ କରିଥିବା ଅତିରିକ୍ତ ଚାର୍ଜସିଟ୍‌କୁ ଆଜି ଦିଲ୍ଲୀର ରୋଜ୍‌ ଆଭେନ୍ୟୁ କୋର୍ଟରେ ଦାଖଲ କରିଛି। ଆପ୍‌ର ବିଜୟ ‌ନେୟାର, ବ୍ୟବସାୟୀ ସାରଥ ରେଡ୍ଡି, ବିନୟ ବାବୁ, ଅଭିଷେକ ‌ବୋଇନାପାଲି ଏବଂ ଅମିତ ଆରୋରାଙ୍କ ନାମ ଏହି ଚାର୍ଜସିଟ୍‌ରେ ରହିଛି। ତେବେ ଚାର୍ଜସିଟ୍‌ରେ ଉପମୁଖ୍ୟମନ୍ତ୍ରୀ ମନୀଷ ସି‌ସୋଦିଆଙ୍କ ନାମ ନାହିଁ। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ଇଡି ପକ୍ଷରୁ କୋର୍ଟରେ କୁହାଯାଇଛ। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ଚାର୍ଜସିଟ୍‌କୁ ସମାଲୋଚନା କରିଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ କାଳ୍ପନିକ ବୋଲି କେଜ୍ରିୱାଲ କହିଛନ୍ତି। କେନ୍ଦ୍ର ସରକାର ତାଙ୍କ ସରକାର ଭାଙ୍ଗିବାପାଇଁ ଇଡିକୁ ବ୍ୟବହାର କରୁଛନ୍ତି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର