୧୫ ଲକ୍ଷ ଟନ ଗହମ ଯୋଗାଇବାକୁ ଭାରତକୁ ଅନୁରୋଧ କଲେ ବାଂଲାଦେଶ,ଇଜିପ୍ଟ ସମେତ ୬ ଦେଶ

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବରେ ଗହମର ଅଭାବ ଦେଖାଦେଇଛି । ତେବେ ଉତ୍ପାଦନ କମିବା ଯୋଗୁଁ ଏବର୍ଷ ଭାରତ ଗହମ ରପ୍ତାନି ବନ୍ଦ କରିଦେଇଛି । ଏହା ସତ୍ତ୍ବେ ବିଶ୍ବ ବିଭିନ୍ନ ଦେଶ ଭାରତକୁ ଗହମ ଯୋଗାଣ ପାଇଁ ଅନୁରୋଧ କରିଛନ୍ତି ।

ମୋଟ ୧୫ ଲକ୍ଷ ଟନ ଗହମ ରପ୍ତାନି ପାଇଁ ପ୍ରାୟ ୬ଟି ଦେଶ ଭାରତକୁ ଅନୁରୋଧ କରିଛନ୍ତି । ଏସବୁ ଦେଶଙ୍କ ମଧ୍ୟରେ ଅଛନ୍ତି ବାଂଲାଦେଶ, ଇଜିପ୍ଟ,ଜାମାଇକା ଆଦି ଦେଶ । ଭାରତ ମଧ୍ୟ କେତେକ ଗରିବ ଦେଶକୁ ଗହମ ଯୋଗାଣ ପାଇଁ ରାଜି ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

ଭାରତ ସରକାର  ଗତ ମେ ୧୪ରେ ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ । ଦେଶରେ ଗହମର ଦରବୃଦ୍ଧିକୁ ରୋକିବାକୁ ଓ ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ତେବେ ଜି-୭ ଦେଶ ସମେତ ବିଶ୍ବର କେତେକ ପ୍ରମୁଖ ଦେଶ ରପ୍ତାନି କଟକଣା ଉଠାଇବାକୁ ଭାରତକୁ ଅନୁରୋଧ କରିଥିଲେ ।

ଦୁଇଦିନ ତଳେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ ଯେ ଗହମ ରପ୍ତାନି ଉପରେ ସରକାର ଲଗାଇଥିବା କଟକଣା ଉଠାଇବାର କୌଣସି ସମ୍ଭାବନା ନାହିଁ । ତେବେ ବିଭିନ୍ନ ଦେଶର ସରକାରଙ୍କ ସହ ହୋଇଥିବା ଚୁକ୍ତି ଅନୁଯାୟୀ ଗହମ ଯୋଗାଣ ଜାରି ରହିବ ।

ସମ୍ବନ୍ଧିତ ଖବର