୨୦୧୪ରେ ଶାସନ ଭାର ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତିଖୋରମାନଙ୍କୁ କଡ଼ା ଭାଷାରେ ଚେତାବନୀ ଦେଇ କହିଥିଲେ ‘ନା ଖାଉଗାଁ, ନା ଖାନେ ଦୁଗାଁ (ଖାଇବି ନାହିଁ, କି ଖାଇବାକୁ ଦେବି ନାହିଁ)। ତାଙ୍କ ଶାସନର ଚାରିି ବର୍ଷ ଭିତରେ ସେଭଳି କିଛି ଦୁର୍ନୀତି ଧରାପଡ଼ିନଥିଲା। କିନ୍ତୁ, କିଛି ମାସ ଭିତରେ ରାଫେଲ୍‌ ଦୁର୍ନୀତି, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଠକେଇ ଏବଂ ରୋଟୋମ୍ୟାକ୍‌ କଂପାନିର ଋଣ ଠକେଇ ଭଳି ମାମଲା ସାମ୍ନାକୁ ଆସିବା ପରେ ପୁଣି ଥରେ ଦୁର୍ନୀତିକୁ ନେଇ ଚର୍ଚା ଆରମ୍ଭ ହୋଇଯାଇଛି। ଉପା ସରକାରଙ୍କ ଅମଳରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ପ୍ରଚାର କରି ମୋଦି ନିର୍ବାଚନରେ ବିଜୟ ହାସଲ କରିଥିଲେ। କିନ୍ତୁ ତାଙ୍କ ଅମଳରେ ବିଜୟ ମାଲ୍ୟା, ନିରବ ମୋଦିଙ୍କ ଭଳି ଠକ ଦେଶ ଛାଡ଼ି ଚାଲିଯିବାରେ ସଫଳ ହୋଇଛନ୍ତି। ଉପା ସରକାର ଏବଂ ମୋଦି ସରକାରଙ୍କ ଅମଳରେ ଧରାପଡ଼ିଥିବା କେତେକ ବଡ଼ ଧରଣର ଦୁର୍ନୀତି ବିଷୟରେ ଏହି ଉପସ୍ଥାପନା
୨୦୦୬: ନେଭି ଓ୍ଵାର୍‌ ରୁମ୍‌ ଲିକ୍‌ ଦୁର୍ନୀତି
ପ୍ରତିରକ୍ଷା କ୍ଷେତ୍ରରେ ଏହି ଦୁର୍ନୀତି ହଇଚଇ ସୃଷ୍ଟି କରିଥିଲା। ଏଥିରେ ୧୮,୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ଅସ୍ତ୍ର ବେପାରୀ ଅଭିଷେକ ବର୍ମା ଏବଂ ରବି ଶଙ୍କରନ୍‌ ଏହି ଦୁର୍ନୀତି କରିଥିଲେ। ନୌସେନାର କିଛି ଅଧିକାରୀ ସେମାନଙ୍କୁ ସହାୟତା ଦେଇଥିଲେ। ସ୍କର୍ପେନ୍‌ ବୁଡ଼ାଜାହଜ କିଣାରେ ଏହି ଦୁର୍ନୀତି ହୋଇଥିଲା। ୨୦୦୬ରେ ରବି ଶଙ୍କରନ୍‌ ଲଣ୍ଡନ ଚାଲିଯାଇଥିଲେ। ତାଙ୍କୁ ସରକାର ସ୍ୱଦେଶ ଆଣିବାରେ ବିଫଳ ହୋଇଛନ୍ତି। ଅଭିଷେକ ବର୍ମା ଗିରଫ ହେବା ପରେ ଦିଲ୍ଲୀ ହାଇକୋର୍ଟରୁ ଜାମିନ ପାଇଛନ୍ତି।
୨୦୦୮: ୨ଜି ଦୁର୍ନୀତି
ଏହି ଦୁର୍ନୀତିର ପରିମାଣ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ଥିଲା ବୋଲି ଆକଳନ କରାଯାଇଥିଲା। ଏ ରାଜା ଏବଂ ଏନ୍‌ କାନିମୋଝିଙ୍କୁ ଏହି ମାମଲାରେ ଗିରଫ କରି ୧୫ ମାସରୁ ଅଧିକ ସମୟ ତିହାର ଜେଲ୍‌ରେ ରଖାଯାଇଥିଲା।
୨୦୧୦:ରାଜ୍ୟଗୋଷ୍ଠୀ କ୍ରୀଡ଼ା
ସୁରେଶ କାଲମାଡ଼ିଙ୍କ ଦ୍ୱାରା କରାଯାଇଥିବା ଏହି ଦୁର୍ନୀତିର ପରିମାଣ ୭୦ ହଜାର କୋଟି ଟଙ୍କା ଥିଲା ବୋଲି ଆକଳନ କରାଯାଇଛି। କେନ୍ଦ୍ରୀୟ ଭିଜିଲାନ୍ସ କମିସନ ଏହି ମାମଲାର ତଦନ୍ତ କରିଥିଲେ। ଏଥିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତଙ୍କୁ ମଧ୍ୟ ଅନେକ ହିନସ୍ତା ହେବାକୁ ପଡ଼ିଥିଲା।
୨୦୧୦: ଲଲିତ ମୋଦି ଦୁର୍ନୀତି
କ୍ରିକେଟ୍‌ରେ ବଡ଼ ଧରଣର ଦୁର୍ନତି କରିଥିବା ଲଲିତ ମୋଦି ଦେଶ ଛାଡ଼ି ଏବେ ଲଣ୍ଡନରେ ରହୁଛନ୍ତି। ଆଇପିଏଲ୍‌ରେ ସେ ବିପୁଳ ପରିମାଣର ଦୁର୍ନୀତି ଅଭିଯୋଗ ହୋଇଥିଲା। ଲଲିତଙ୍କ ପାସପୋର୍ଟକୁ ସରକାର ରଦ୍ଦ କରିଥିଲେ।
୨୦୧୨: କୋଇଲା ଦୁର୍ନୀତି
ବିନା ନିଲାମରେ କୋଇଲା ବ୍ଲକ୍‌ଗୁଡ଼ିକୁ ଆବଣ୍ଟନ କରାଯାଇଥିଲା। ଏଥିରେ ୧ ଲକ୍ଷ ୮୫ ହଜାର ୫୯୧ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ଏହି ଦୁର୍ନୀତି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୧୯୯୩ ପରଠାରୁ ଆବଣ୍ଟନ ହୋଇଥିବା ୨୧୪ କୋଇଲା ବ୍ଲକ୍‌ର ଆବଣ୍ଟନକୁ ରଦ୍ଦ କରିଥିଲେ ଏବଂ ସେଗୁଡ଼ିକୁ ପୁଣି ନିଲାମ କରିବାକୁ ନିର୍ଦେଶ ଦେଇଥିଲେ।
୨୦୧୬: ବିଜୟ ମାଲ୍ୟାଙ୍କ ଦୁର୍ନୀତି
କିଙ୍ଗଫିସର ଏୟାରଲାଇନ୍ସ ପାଇଁ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୪୦୦ କୋଟିରୁ ଅଧିକ ଟଙ୍କାର ଋଣ ନେଇଥିବା ବିଜୟ ମାଲ୍ୟା ତାହାକୁ ପରିଶୋଧ କରିନଥିଲେ। ଏହି ଦୁର୍ନୀତି ବିଷୟରେ ଜଣାପଡ଼ିବାର କିିଛି ଦିନ ପୂର୍ବରୁ ୨୦୧୬ ମାର୍ଚ ୨ରେ ସେ ଦେଶ ଛାଡ଼ି ବ୍ରିଟେନ୍‌ ଚାଲିଯାଇଥିଲେ। ତାଙ୍କୁ ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି।
୨୦୧୭: ରାଫେଲ ଦୁର୍ନୀତି
୨୦୧୭ ନଭେମ୍ବରରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ରାଫେଲ ଜେଟ୍‌ କିଣାରେ ବିପୁଳ ପରିମାଣର ଦୁର୍ନୀତି ହୋଇଛି। ଉପା ସରକାରଙ୍କ ଅମଳରେ ବିମାନ ପିଛା ୫୨୬ କୋଟି ଟଙ୍କା ଦେବାକୁ ଆଲୋଚନା ହୋଇଥିଲା। ସେହି ବିମାନକୁ ୧୫୭୦ କୋଟି ଟଙ୍କାରେ କିଣିବା ପାଇଁ ଏନ୍‌ଡିଏ ସରକାର ବୁଝାମଣା କରିଥିବା କଂଗ୍ରେସ ଅଭିଯୋଗ କରିଥିଲା।
୨୦୧୮: ପିଏନ୍‌ବି, ରୋଟୋମ୍ୟାକ୍‌ ଦୁର୍ନୀତି
ଚଳିତ ବର୍ଷ ଆରମ୍ଭ ହେଉ ହେଉ ୧୧ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଦୁର୍ନୀତି ଏବଂ ୩୬୯୫ କୋଟି ଟଙ୍କାର ରୋଟୋମ୍ୟାକ୍‌ ଦୁର୍ନୀତି ଧରାପଡ଼ିଛି।