ସିଲିଗୁଡ଼ିରେ ଏପ୍ରିଲ୍‌ରେ ଖୋଲିବ ଦେଶର ପ୍ରଥମ ଚା’ ରିସୋର୍ଟ : ଦିଲ୍ଲୀପ ରାୟ

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

ଦେଶର ହୋଟେଲ୍ ଶିଳ୍ପ ଓ ରାଜନୀତି ଜଗତର ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ମେ’ଫେୟାର ଗ୍ରୁପ୍‌ ଅଫ୍‌ ହୋଟେଲସ୍‌ର ପ୍ରତିଷ୍ଠାତା ଦିଲ୍ଲୀପ ରାୟ। ଏକ ସାକ୍ଷାତକାରରେ ସେ କରୋନା ମହାମାରୀର ପ୍ରଭାବ, ସ୍ଥିତିରେ ହେଉଥିବା ସୁଧାର, ଭବିଷ୍ୟତ ଯୋଜନା ଓ ନୂଆ ପ୍ରକଳ୍ପ ବିଷୟରେ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି। ସାକ୍ଷାତକାର: ପ୍ରଭାତ ପଟ୍ଟନାୟକ

କରୋନା ମହାମାରୀ ସମୟରେ ଓଡ଼ିଶାର ହୋଟେଲ୍ ଶିଳ୍ପ କିଭଳି ପ୍ରଭାବିତ ହୋଇଥିଲା?
୨୦୨୦ ଭଳି ଖରାପ ବର୍ଷ ସାରା ବିଶ୍ବ ପୂର୍ବରୁ କେବେ ଦେଖିନଥିଲା। ହୋଟେଲ୍ ଓ ବିମାନ ଚଳାଚଳ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ହୋ‌ଟେଲ୍‌ ଶିଳ୍ପ ଉପରେ ଏହାର ସର୍ବାଧିକ ପ୍ରଭାବ ପଡ଼ିଛି। ବିମାନ ଶିଳ୍ପରେ କିଛିଟା ସୁଧାର ହେଲାଣି। କିନ୍ତୁ ହୋଟେଲ୍ ଶିଳ୍ପରେ ଏପର୍ଯ୍ୟନ୍ତ ସୁଧାର ହୋଇପାରିନାହିଁ।

ଅନ୍‌ଲକ୍‌ ପରେ ସ୍ଥିତିରେ କିଭଳି ସୁଧାର ହୋଇଥିଲା?
ଅନ୍‌ଲକ୍‌ ପ୍ରକ୍ରିୟା ଜୁନ୍‌ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିଲା। କିଛି ଦିନ ସ୍ଥିତି ଖରାପ ରହିବା ପରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରରେ ଲୋକମାନେ ଆସିବା ଆରମ୍ଭ କରିଥିଲେ। ପୂର୍ବରୁ ଏହି ସମୟରେ ଆମର ହୋଟେଲ୍‌ରେ ଅତିଥିଙ୍କ ରହଣୀ ହାର (ଅକୁପାନ୍ସି ରେଟ୍‌) ୭୫-୮୦% ରହୁଥିଲା। କିନ୍ତୁ ଏବର୍ଷର ନୂଆବର୍ଷ, ଖ୍ରୀଷ୍ଟମାସ ଏବଂ ବିବାହ ଋତୁକୁ ଯଦି ବିଚାରକୁ ନିଆଯିବ ତେବେ ଏହି ହାର ଅତିବେଶିରେ ୩୫-୪୦% ପର୍ଯ୍ୟନ୍ତ ପହଞ୍ଚିପାରିଛି।

ରାଜ୍ୟ ହୋଟେଲ୍ ଶିଳ୍ପ କେତେ କ୍ଷତି ସହିଛି?
ପ୍ରକୃତରେ କେତେ କ୍ଷତି ହୋଇଛି କହିବା କଷ୍ଟକର। ସାରା ଦେଶରେ ହୋଟେଲ୍ ଓ ଆତିଥେୟତା ଶିଳ୍ପ ଏକ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛି ବୋଲି ଆକଳନ କରାଯାଉଛି। ଆମ ମେ’ ଫେୟାର ଗ୍ରୁପ୍ ୧୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛି। ଓଡ଼ିଶାରେ ପ୍ରାୟ ୧୬୦୦ ପଞ୍ଜୀକୃତ ‌ହୋଟେଲ୍ ଓ ୧୦୦୦ରୁ ଅଧିକ ଅଣ-ପଞ୍ଜୀକୃତ ହୋ‌ଟେଲ୍‌ ଅଛି। ମୁଁ ଭାବୁଛି ଓଡ଼ିଶା ହୋଟେଲ୍‌ ଶିଳ୍ପ ପାଖାପାଖି ୨୫୦୦ କୋଟି ଟଙ୍କାର କ୍ଷତି ସହିଛି।

ସ୍ଥିତିରେ ସୁଧାର ଆଣିବା ଲାଗି ହୋଟେଲ୍ ଶିଳ୍ପ ସରକାରଙ୍କ ଠାରୁ କିଭଳି ସହାୟତା ଚାହୁଛି?
ଆମେ ଚାହୁଥିଲୁ ଋଣକୁ ପୁନର୍ଗଠିତ କରାଯାଉ। କେନ୍ଦ୍ର ସରକାର ଏଦିଗରେ ପଦକ୍ଷେପ ନେଇଛନ୍ତି। କିନ୍ତୁ ଆମେ ‌ଯେତିକି ସୁବିଧା ଚାହୁଥିଲୁ ତାହା ଏର୍ଯ୍ୟନ୍ତ ମିଳିନାହିଁ। ସୁଧରେ କିଛିଟା ରିହାତି ମିଳିଲେ ଭଲ ହୁଅନ୍ତା। କାରଣ ଯିଏ ବି ହୋଟେଲ୍‌ କରିଛନ୍ତି ସମସ୍ତେ ଋଣ ନେଇ କରିଛନ୍ତି। ଭବିଷ୍ୟନିଧି ପାଣ୍ଠି ଓ ଇଏସ୍‌ଆଇ ରେଇମ୍ବର୍ସମେଂଟ୍‌ ସୁବିଧା ଦେଲେ ଆମ ପାଇଁ ତାହା ବେଶ ସହାୟକ ହୋଇପାରନ୍ତା। ବାର୍‌ ଲାଇସେନ୍ସ, ହୋଲ୍‌ଡିଂ ଟିକସ ଆଦି ଏହି ସମୟରେ ଛାଡ଼ କଲେ ଭଲ ହୁଅନ୍ତା।

ରାଜ୍ୟର ହୋଟେଲ୍ ଶିଳ୍ପ ପାଇଁ ବହୁତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା‌ ରହିଛି ବୋଲି ଆପଣ ଭାବୁନାହାନ୍ତି କି?
କରୋନା ପରେ ଲୋକମାନେ ଏବେ ଆଉ ବିଦେଶ ଯିବାକୁ ଚାହୁନାହାନ୍ତି। ଓଡ଼ିଶା ସରକାର ପର୍ଯ୍ୟଟନର ବହୁତ ଭଲ ପ୍ରଚାର କରୁଛନ୍ତି। ଆନ୍ତର୍ଜାତିକ ପତ୍ରିକା ଠାରୁ ଆରମ୍ଭ କରି ବିଭିନ୍ନ ବିଜ୍ଞାପନ ଜରିଆରେ ପ୍ରଚାର କରାଯାଉଛି ଯାହା ଅନ୍ୟ କୌଣସି ରାଜ୍ୟ କରୁନାହାନ୍ତି। ଏହା ବହୁତ ଭଲ। କିନ୍ତୁ ଓଡ଼ିଶା‌ରେ ପର୍ଯ୍ୟଟନ କହିଲେ ଭୁବନେଶ୍ବର, ପୁରୀ, କୋଣାର୍କକୁ ବୁଝାଉଛି। ବାସ୍‌, ସେଇଠି ସବୁ ଶେଷ ହୋଇଯାଉଛି। ଆମକୁ ନୂଆ ପର୍ଯ୍ୟଟନ ସ୍ଥଳୀ ବିକଶିତ କରିବାକୁ ପଡ଼ିବ।

ଇକୋ-ରିଟ୍ରିଟ୍ ରାଜ୍ୟ ହୋଟେଲ୍ ଶିଳ୍ପ ପାଇଁ କିଭଳି ସହାୟକ ହେବ?
ଇକୋ-ରିଟ୍ରିଟ୍‌ର ବହୁତ ଭଲ ପ୍ରଭାବ ପଡ଼ିବ। ଯେଉଁମାନେ ଇକୋ-ରିଟ୍ରିଟ୍ ପାଇଁ ଆସୁଛନ୍ତି ସେମାନେ ହୋଟେଲ୍‌ରେ ରହି ସେହି ସ୍ଥାନକୁ ଯାଉଛନ୍ତି। ପୁଣି ସେଠାରୁ ଫେରି ହୋଟେଲ୍‌ରେ ରହୁଛନ୍ତି। ଏହା ନିଶ୍ଚିତ ରୂପେ ସକାରାତ୍ମକ ପ୍ରଭାବ ପକାଇବ।

ପର୍ଯ୍ୟଟକଙ୍କ ଆମଗନକୁ ନେଇ ଆପଣଙ୍କ ମତ କ’ଣ?
ଏହି ସମୟରେ ହୋଟେଲ୍‌ କୋଠରିଗୁଡ଼ିକ ଅତିଥିମାନଙ୍କ ଦ୍ବାରା ସମ୍ପୂର୍ଣ୍ଣ ଭରି ରହିବା କଥା। ଅର୍ଥାତ ୧୦୦% ଅକୁପାନ୍ସି । କିନ୍ତୁ ଆମେ ୩୫-୪୦% ସ୍ତରରେ ରହିଛୁ। ଆମର ଯେଉଁ ପ୍ରିଣ୍ଟେଡ୍‌ ଟାରିଫ୍ ରହିଛି ତା’ଠାରୁ ଆମେ ୬୦% କମ୍‌ରେ ବିକ୍ରି କରୁଛୁ।

ସମ୍ପ୍ରସାରଣ ପାଇଁ କ’ଣ ଯୋଜନା ରହିଛି?
କରୋନା ମହାମାରୀ ପୂର୍ବରୁ ଆମେ ରାୟପୁର ପ୍ରକଳ୍ପ ଆରମ୍ଭ କରିଥିଲୁ। ଦେଶର ପ୍ରଥମ ଚା’ ରିସୋର୍ଟକୁ ସିଲିଗୁଡ଼ିରେ ଆମେ ପ୍ରସ୍ତୁତ କରିସାରିଛୁ। ଏହାକୁ ଏପ୍ରିଲ୍‌ରେ ଉଦଘାଟନ କରିବାର ‌ଯୋଜନା ରହିଛି। ଏହା ହେଉଛି ଦେଶର ପ୍ରଥମ ପ୍ରପର୍ଟି ରିସୋର୍ଟ ଯେଉଁଠାରେ ପ୍ରତି କୋଠରିରୁ ଅତିଥିମାନେ ଚା’ ବଗିଚାକୁ ଉପଭୋଗ କରିପାରିବେ। କୋଲକାତା ପ୍ରକଳ୍ପରେ ମଧ୍ୟ କାର୍ଯ୍ୟ ଚାଲିଛି। ଆମେ ତାହାକୁ ୨୦୨୨ରେ ଖୋଲିବାକୁ ଯୋଜନା ରଖିଛୁ।

ଓଡ଼ିଶାରେ ନୂଆ ହୋଟେଲ୍ ପାଇଁ କ’ଣ ଯୋଜନା ରହିଛି?
ପୁରୀର ସାତଶଙ୍ଖରେ ଆମର ୭ ଏକର ଜମି ଅଛି। ବିଚ୍‌ କନ୍‌ଭେନ୍‌ସନ୍ ସ୍ଥାପନ କରିବା ଲାଗି ସରକାର ଆମ ସହିତ ଆଲୋଚନା କରୁଛନ୍ତି। ଓଡ଼ିଶା ପାଇଁ ଏହି ଦୁଇଟି ଯୋଜନା ରହିଛି। ସାତଶଙ୍ଖରେ ଏକ ୱେଲ୍‌ନେସ୍‌ ରିସୋର୍ଟ ସ୍ଥାପନ କରିବୁ। ଘର ତିଆରି ଲାଗି ଅନୁମତି ମିଳିଲେ କାମ ଆରମ୍ଭ ହୋଇଯିବ। ଏହା ହେବ ଓଡ଼ିଶାର ପ୍ରଥମ ୱେଲନେସ୍ ରିସୋର୍ଟ। କେରଳରେ ୱେଲ୍‌ନେସ୍‌ ଶିଳ୍ପ ବେଶ ଲୋକପ୍ରିୟ। ସେହି ଢାଞ୍ଚାରେ ଏହାକୁ ତିଆରି କରାଯିବ।

ନୂଆ ପ୍ରକଳ୍ପ କେତେ କୋଟିର ପୁଞ୍ଜିନିବେଶ ହେବ?
ରାୟପୁର ଓ ସିଲିଗୁଡ଼ିରେ ପ୍ରାୟ ୪୫୦-୫୦୦ କୋଟି ଟଙ୍କାର ନିବେଶ କରାଯାଇଛି। କୋଲକାତା ପ୍ରକଳ୍ପରେ ପ୍ରାୟ ୫୦୦ କୋଟି ଟଙ୍କା ନିବେଶ ହେବ।

‌ଅନ୍ୟ କିଛି ହୋଟେଲ୍‌ ଅଧିଗ୍ରହଣ କରିବା ଯୋଜନା ଅଛି କି?
ନାଁ। ଏବେ ସେଭଳି କିଛି ଯୋଜନା ନାହିଁ। ଦେଶ ବାହାରେ ମଧ୍ୟ ହୋଟେଲ୍‌ ଖୋଲିବା ଯୋଜନା ନାହିଁ।

ଷ୍ଟକ ବଜାରରେ ପ୍ରବେଶ କରିବା ଯୋଜନା ରହିଛି କି?
ଆମେ ପୂର୍ବରୁ ଥରେ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଆଣିବା ପ୍ରୟାସ କରିଥିଲୁ। ‌ହୋଟେଲ୍ ଶିଳ୍ପରେ ପୁଞ୍ଜିନିବେଶ ଅନୁସାରେ ରିଟର୍ଣ୍ଣ ସେଭଳି ମିଳେ ନାହିଁ। ତେଣୁ ପ୍ରାଇଭେଟ୍‌ ଇକ୍ବିଟି (ପିଇ) ମୂଲ୍ୟ କମ୍ ‌ରହୁଛି। ସେଥିପାଇଁ ଆମେ ଆମ ଯୋଜନାକୁ ଅଧାରୁ ବାତିଲ କରିଥିଲୁ। ଆଇପିଓ ଆଣିବାର ଏବେ କୌଣସି ଯୋଜନା ନାହିଁ।

ସମ୍ବାଦର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଏଭଳି ଏକ କାର୍ଯ୍ୟକ୍ରମ ବିଷୟରେ ଭାବିଥିବାରୁ ମୁଁ ସମ୍ବାଦକୁ ଧନ୍ୟବାଦ ଦେବାକୁ ଚାହୁଛି। ଓଡ଼ିଶାରୁ ଏଭଳି ଅନେକ ସଂସ୍ଥା ବାହାରିଲେଣି ଯେଉଁମାନେ ସାରା ଦେଶର ଲୋକମାନଙ୍କ ଦ୍ବାରା ଗ୍ରହଣୀୟ ହୋଇଛନ୍ତି। ସମ୍ବାଦ ସେମାନଙ୍କୁ ସ୍ବୀକୃତି ଦେଇ ସେମାନଙ୍କୁ ଉତ୍ସାହିତ କରୁଥିବାରୁ ମୁଁ ଧନ୍ୟବାଦ ଦେବାକୁ ଚାହୁଛି।

ଆପଣଙ୍କ ହୋଟେଲ୍‌ରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ସ୍ଥାନିତ କରିବାକୁ ପ୍ରୟାସ କରିଛନ୍ତି କି?
ଆମର ଏଭଳି କୌଣସି ହୋଟେଲ୍ ନାହିଁ ଯାହାର ଅଭ୍ୟର୍ଥନା କକ୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ନାହିଁ। ଆମ ହୋଟେଲ୍‌କୁ ଲୋକମାନେ ଛୋଟ ଓଡ଼ିଶା ବୋଲି କୁହନ୍ତି। ଆମ ହୋଟେଲ୍‌ ଓଡ଼ିଆଙ୍କ ଦ୍ବାରା ପରିଚାଳିତ ହେଉଛି।

ସମ୍ବନ୍ଧିତ ଖବର