ଆୟରଲ୍ୟାଣ୍ଡର ସାଉଥ୍‌ଇଷ୍ଟ ବୈଷୟିକ ବିଶ୍ବବିଦ୍ୟାଳୟ ଦେଶରେ ପ୍ରଥମ ଥର ପାଇଁ ‘କଣ୍ଟେଣ୍ଟ୍‌ କ୍ରିଏସନ୍‌ ଆଣ୍ଡ୍‌ ସୋସିଆଲ୍‌ ମିଡିଆ’ ନାମରେ ଏକ ତିନିବର୍ଷିଆ ସ୍ନାତକ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏହି ପାଠ୍ୟକ୍ରମ ଛାତ୍ରଙ୍କୁ ସାମାଜିକ ଗଣମାଧ୍ୟମରେ ‘ଇନ୍‌ଫ୍ଲୁଏନ୍‌ସର୍’ କରିବା ଲାଗି ଉଦ୍ଦିଷ୍ଟ। ଆସନ୍ତା ବର୍ଷରୁ ଏହି ପାଠ୍ୟକ୍ରମ ଆରମ୍ଭ ହେବ ଏବଂ ଏଥିପାଇଁ ଚଳିତ ବର୍ଷ ନଭେମ୍ବର ମାସରୁ ଆବେଦନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହି ପାଠ୍ୟକ୍ରମରେ ବ୍ୟବସାୟ କୌଶଳ, ଭିଡିଓ ଓ ଅଡିଓ ସମ୍ପାଦନା, ସୃଜନଶୀଳ ରଚନା, ସାଂସ୍କୃତିକ ଦକ୍ଷତା ଆଦି ବିଷୟ ଅନ୍ତର୍ଭୁକ୍ତ।

Advertisment

୨୦୧୯ ପରଠାରୁ ସାମାଜିକ ଗଣମାଧ୍ୟମରେ ‘ଇନ୍‌ଫ୍ଲୁଏନ୍‌ସର୍’ମାନଙ୍କ ପାଇଁ ବ୍ୟାପକ ବ୍ୟାବସାୟିକ କ୍ଷେତ୍ର ସୃଷ୍ଟି ହୋଇଛି ଯାହାର ଆନୁମାନିକ ମୂଲ୍ୟ ୧୪୦୦ କୋଟି ୟୁରୋରୁ ୧୬୦୦ କୋଟି ୟୁରୋ ହେବ। ଏହା ବର୍ତ୍ତମାନର ଗଣମାଧ୍ୟମ, ଲୋକସମ୍ପର୍କ ଓ ବ୍ୟବସାୟ ଦକ୍ଷତା ପରି ପାଠ୍ୟକ୍ରମ ଉପରେ ଆଧାରିତ, କିନ୍ତୁ ଏହା ଏକ ସ୍ବତନ୍ତ୍ର କ୍ଷେତ୍ର। ଏହି ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେବା ପରେ ସ୍ନାତକମାନେ ସ୍ବାଧୀନ ବିଷୟବସ୍ତୁ ସୃଷ୍ଟିକାରୀ (କଣ୍ଟେଣ୍ଟ୍‌ କ୍ରିଏଟର) ଭାବେ କାମ କରିପାରିବେ, ବିଭିନ୍ନ ବ୍ରାଣ୍ଡ୍‌ ସହ ଏକତ୍ର କାମ କରିପାରିବେ ଏବଂ ବିଭିନ୍ନ କମ୍ପାନି ଭିତରେ ନିଯୁକ୍ତି ଖୋଜିବାର ଦକ୍ଷତା ହାସଲ କରିବେ ବୋଲି ବିଶ୍ବବିଦ୍ୟାଳୟ ତରଫରୁ କୁହାଯାଇଛି।