ମୁମ୍ବାଇରେ ରିଲାଏନ୍ସ ସହାୟତାରେ ଖୋଲିଲା ଭାରତର ପ୍ରଥମ ସ୍ୱତନ୍ତ୍ର ‘କୋଭିଡ୍-୧୯’ ହସ୍ପିଟାଲ୍

ମୁମ୍ବାଇ: କରୋନା ଭାଇରସ ବିରୁଦ୍ଧରେ ଭାରତର ଲଢେଇ ପାଇଁ ସହଯୋଗର ହାତ ବଢାଇଛି କର୍ପୋରେଟ ଜଗତ । ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସ୍ଥାପନ କରାଯାଇଛି । ମାତ୍ର ଦୁଇ ସପ୍ତାହର ସ୍ୱଳ୍ପ ସମୟ ମଧ୍ୟରେ ସାର ଏଚ୍. ଏନ୍. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ବ୍ରିହନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ସହ ମିଳିତ ଭାବେ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ କୋଭିଡ୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ରୋଗୀଙ୍କ ପାଇଁ ଏକ ଶହେ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କେନ୍ଦ୍ର ସ୍ଥାପନା କରାଯାଇଛି । ସମ୍ପୂର୍ଣ୍ଣ ଭାବେ ରିଲାଏନ୍ସ ଫାଉଣ୍ଡେସନ ଅର୍ଥରେ ନିର୍ମିତ ଏହି ଅଭିନବ ତଥା ଭାରତର ପ୍ରଥମ ଏହି ଭଳି କେନ୍ଦ୍ରରେ ଏକ ନେଗେଟିଭ୍ ପ୍ରେସର ରୁମ ରହିଛି ଯାହା ଆନ୍ତଃ ସଂକ୍ରମଣକୁ ରୋକିଥାଏ । ଏଠାରେ ସମସ୍ତ ଶଯ୍ୟା  ଆବଶ୍ୟକ ଭିତ୍ତିଭୂମି ଓ ବାୟୋ ମେଡିକାଲ ଉପକରଣ ଯେପରିକି ଭେଣ୍ଟିଲେଟର, ପେସ୍ ମେକର, ଡାଏଲିସିସ୍ ମେସିନ ଏବଂ ରୋଗୀ ନୀରିକ୍ଷଣ ଉପକରଣ ସହ ରହିଛି ।

ଆହୁରି ମଧ୍ୟ ମୁମ୍ବାଇରେ ଥିବା ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ସାର ଏଚ୍. ଏନ୍. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ପକ୍ଷରୁ  ସରକାରଙ୍କ ଦ୍ୱାରା ସୂଚିତ ଦେଶରୁ ଆସିଥିବା ବ୍ୟକ୍ତିବିଶେଷ ତଥା ସେମାନଙ୍କ ସମ୍ପର୍କରେ ଆସିଥିବା ସନ୍ଦିଗ୍ଦଙ୍କୁ କ୍ୱାରେଣ୍ଟାଇନ ପାଇଁ ସ୍ୱତନ୍ତ୍ର ମେଡିକାଲ ବ୍ୟବସ୍ଥା  ଉପଲବ୍ଧ କରାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ସଂକ୍ରମିତ ରୋଗୀଙ୍କ ଆଇସୋଲେସନ ଓ ଚିକିତ୍ସା ପାଇଁ ଅତିରିକ୍ତ ବ୍ୟବସ୍ଥା ସୃଷ୍ଟି ହୋଇପାରିବ । ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦେଶର ବିଭିନ୍ନ ସହରରେ ଏନଜିଓମାନଙ୍କ ସହ ସହଭାଗିତାରେ ବର୍ତ୍ତମାନର ସଙ୍କଟ ସମୟରେ ଜରୁରୀଥିବା ଲୋକମାନଙ୍କ ଜୀବନଧାରଣ ସହଜ କରିବା ପାଇଁ  ଆବଶ୍ୟକ ଭୋଜନ ବ୍ୟବସ୍ଥା କରାଯିବ ।

ସମ୍ବନ୍ଧିତ ଖବର