ଉତ୍କଟ ଦାରିଦ୍ର୍ୟ କବଳରେ ପଡ଼ିବେ ୫ କୋଟି

କ୍ଷୁଧାର୍ତ ଲୋକଙ୍କ ସଂଖ୍ୟା ବଢ଼ିବ, ପିଲାଙ୍କ ଭିତରେ ଅପପୁଷ୍ଟି ସମସ୍ୟା ଦେଖାଦେବ

ନୂଆଦିଲ୍ଲୀ : କରୋନା ସଙ୍କଟ ପ୍ରଭାବରେ ସାରା ବିଶ୍ବରେ ‌ଦରିଦ୍ର ଓ କ୍ଷୁଧାର୍ତ ଲୋକଙ୍କ ସଂଖ୍ୟା ବଢ଼ିବ। ଜାତିସଂଘର ମହାସଚିବ ଆଣ୍ଟିନିଓ ଗୁଟେରସ୍‌ ଏଭଳି ଆକଳନ କରିଛନ୍ତି। ଏକ ଭିଡିଓ ବାର୍ତାରେ ସେ କହିଛନ୍ତି, ସାରା ବିଶ୍ବରେ ଥିବା ୭୮୦ କୋଟି ଲୋକଙ୍କ ପାଇଁ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ଖାଦ୍ୟ ଅଛି। ଏହା ସତ୍ତ୍ବେ ଏବେବି ୮୨ କୋଟି ଲୋକ କ୍ଷୁଧାର୍ତ ଅଛନ୍ତି। ପ୍ରାୟ ୧୪.୪ କୋଟି ଶିଶୁ ଠିକ୍ ଭାବେ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ଆମର ଖାଦ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି। କରୋନା ସଙ୍କଟ ପରେ ସ୍ଥିତି ଆହୁରି ଖରାପ ହୋଇଛି। ଏହି ସମସ୍ୟାର ତୁରନ୍ତ ସମାଧାନ ଲାଗି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଅନ୍ୟଥା ସାରା ବିଶ୍ବରେ ଖାଦ୍ୟକୁ ନେଇ ଜରୁରୀକାଳୀନ ସ୍ଥିତି ଦେଖାଦେବ। ଲକ୍ଷ ଲକ୍ଷ ଶିଶୁ ଓ ପ୍ରାପ୍ତବୟସ୍କଙ୍କ ଉପରେ ଏହାର ପ୍ରଭାବ ଦୀଘଦିନ ପର୍ଯ୍ୟନ୍ତ ରହିବ। ଚଳିତ ବର୍ଷ ୪.୯ କୋଟିରୁ ଅଧିକ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲିହୋଇଯିବେ ବୋଲି ସେ କହିଛନ୍ତି।

ବିଶ୍ବ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ପ୍ରତି ପଏଣ୍ଟ୍‌ ପ୍ରତିଶତ ହ୍ରାସର ଅର୍ଥ ହେଉଛି ଅପପୁଷ୍ଟିର ଶିକାର ଥିବା ଶିଶୁଙ୍କ ସଂଖ୍ୟାରେ ଆଉ ୭୦ ଲକ୍ଷ ବୃଦ୍ଧି ଘଟିବା। ଦେଶରେ ବିପୁଳ ପରିମାଣର ଖାଦ୍ୟ ରହିଥିଲେ ମଧ୍ୟ ଖାଦ୍ୟ ଯୋଗାଣ ଶୃଙ୍ଖଳରେ ବିଭ୍ରାଟ ରହୁଛି ବୋଲି ଶ୍ରୀ ଗୁଟେରେସ୍ କହିଛନ୍ତି। ଉଭୟ ଜୀବନ ଓ ଜୀବିକା ବଞ୍ଚାଇବା ଉପରେ ଗୁରୁତ୍ବ ଦେବା ଲାଗି ସେ ପରାମର୍ଶ ଦେବା ସହ କହିଛନ୍ତି, ଅତି ସମ୍ବେଦନଶୀଳ ବର୍ଗର ଲୋକଙ୍କ ପାଖରେ ଖାଦ୍ୟ, ଜୀବିକା ଓ ପୁଷ୍ଟି ସହାୟତା ପହଞ୍ଚାଇବା ଲାଗି ଉଦ୍ୟମ ହେବା ଦରକାର। ଖାଦ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ସୁରକ୍ଷା ଦେବାକୁ ପଡ଼ିବ। ଖାଦ୍ୟ ପ୍ରକ୍ରିୟାକରଣ, ପରିବହନ ଓ ସ୍ଥାନୀୟ ଖାଦ୍ୟ ବଜାରକୁ ଦେଶଗୁଡ଼ିକ ସହାୟତା ଦେବା ଉଚିତ। ଖାଦ୍ୟ ବ୍ୟବସ୍ଥାରେ ଯେଭଳି କୌଣସି ବିଭ୍ରାଟ ନହୁଏ ତାହାକୁ ନିଶ୍ଚିତ ରଖିବା ଲାଗି ବାଣିଜ୍ୟ ସୀମାଗୁଡ଼ିକୁ ଉନ୍ମୁକ୍ତ ରଖିବାକୁ ସେ ଆହ୍ବାନ ଦେଇଛନ୍ତି। ଦେଶଗୁଡ଼ିକ ଯେଉଁ ପ୍ରୋତ୍ସାହନ ବା ରିଲିଫ୍ ପ୍ୟାକେଜ୍ ଘୋଷଣା କରୁଛନ୍ତି ତାହାର ଲାଭ ସମାଜର ଅତ୍ୟନ୍ତ ଦୁର୍ବଳ ବର୍ଗ ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡ଼ିବ। ଏଥିସହିତ କ୍ଷୁଦ୍ର ଖାଦ୍ୟ ଉତ୍ପାଦନକାରୀ ଓ ଗ୍ରାମାଞ୍ଚଳରେ ରହି କାରବାର କରୁଥିବା ବ୍ୟବସାୟୀମାନଙ୍କୁ ନଗଦ ରାଶି ଦେବାକୁ ହେବ। ପୁଷ୍ଟିସାଧନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସେ କହିଛନ୍ତି, ଦେଶଗୁଡ଼ିକ ଯୁବପିଢ଼ି, ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରୁଥିବା ମହିଳା ଓ ବୟସ୍କ ଲୋକଙ୍କ ପାଇଁ ସୁରକ୍ଷିତ ଓ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ଦରକାର। ଯେଉଁ ପିଲାମାନଙ୍କୁ ସ୍କୁଲ୍ ଖାଦ୍ୟ ମିଳୁନାହିଁ ସେମାନଙ୍କ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ସେ କହିଛନ୍ତି। ସୁସ୍ଥକର ଓ ପୁଷ୍ଟିକର ଖାଦ୍ୟ ମିଳିଲେ କ୍ଷୁଧା ଆପେ ଦୂର ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର