ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିର୍ଦେଶାନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ସାତଟି ଶିଳ୍ପ ସଂସ୍ଥା କୋଭିଡ୍ କେୟାର ସେଣ୍ଟର୍ ସ୍ଥାପନ କରିଛନ୍ତି। ଟାଟା ପାୱାର ପକ୍ଷରୁ ଯାଜପୁରରେ ୪୦୦ ଶଯ୍ୟା ଓ ଡୁବୁରିରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର କେନ୍ଦ୍ର ସ୍ଥାପନ କରାଯାଇଛି। ଗଞ୍ଜାମରେ ଗ୍ରାସିମ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୨୦ ଶଯ୍ୟା, ରାଉରକେଲାର ସେକ୍ଟର-୬ରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ପକ୍ଷରୁ ୨୫ ଶଯ୍ୟା, ପାରାଦୀପରେ ଇଣ୍ଡିଆନ ଅଏଲ୍ ୧୦୦ ଶଯ୍ୟା, ଝାରସୁଗୁଡ଼ାର ଲଖନପୁରରେ ଏମ୍ସିଏଲ୍ ୧୭୦ ଶଯ୍ୟା ଓ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ପକ୍ଷରୁ ଯାଜପୁରରେ ୩୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର୍ ସ୍ଥାପନ କରାଯାଇଛି। ଆଉ ଆଠଟି ଶିଳ୍ପ ସଂସ୍ଥା କୋଭିଡ୍ ସେଣ୍ଟର୍ ସ୍ଥାପନ କରିବା କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି।
ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ ଝାରସୁଗୁଡ଼ାରେ ୧୫ ଶଯ୍ୟା, ପାରାଦୀପରେ ପାରାଦୀପ ଫସଫେଟ୍ ଲିମିଟେଡ୍ ୨୦ ଶଯ୍ୟା, ଇଫ୍କୋ ୩୫ ଶଯ୍ୟା, ଆଇଓସିଏଲ୍ ନିଜ ପାଇଁ ୪୦ ଶଯ୍ୟା, ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ରେ ୩୦ ଶଯ୍ୟା ଓ ଝାରସୁଗୁଡ଼ାରେ ୫୦ ଶଯ୍ୟା ଏବଂ ଇମ୍ଫା ପକ୍ଷରୁ ଥେରୁବାଲି, ଚୌଦ୍ବାର ଓ ସୁକିନ୍ଦାରେ ୩୦ ଶଯ୍ୟାର, ବୁର୍ଲାରେ ଏମ୍ସିଏଲ୍ ପକ୍ଷରୁ ୫୦ ଶଯ୍ୟା, କଳିଙ୍ଗନଗରରେ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ପକ୍ଷରୁ ୩୦ ଶଯ୍ୟା, ବରଗଡ଼ରେ ଏସିସି ସିମେଣ୍ଟ୍ ୩୦ ଶଯ୍ୟା, କଳିଙ୍ଗନଗରରେ ଟାଟା ଷ୍ଟିଲ୍ ୮୦ ଶଯ୍ୟା ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପୁରୀ ଠାରେ ୩୫ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ସ୍ଥାପନ କରାଯାଉଛି। ଇଡ୍କୋ ପକ୍ଷରୁ ଏମ୍ଏସ୍ଏମ୍ଇ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର କେନ୍ଦ୍ର ସ୍ଥାପନ କରାଯାଉଛି।
ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଶିଳ୍ପ ସଂସ୍ଥା ଦ୍ବାରା କୋଭିଡ୍ କେୟାର ସେଣ୍ଟର୍ ସ୍ଥାପନ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି। ନିର୍ଧାରିତ ସମୟ ଜୁଲାଇ ୨୫ ସୁଦ୍ଧା ଭିତରେ ସମସ୍ତ ସେଣ୍ଟର୍ ସକ୍ରିୟ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ଆଲୋଚନାରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଡ୍କୋ ସିଏମ୍ଡି ସଞ୍ଜୟ କୁମାର ସିଂହ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମିନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।