କୋଭିଡ୍ ପେମେଣ୍ଟ୍‌ରେ ଟିକସ ଲାଗିବନି

୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ଟିକସମୁକ୍ତ
କୋଭିଡ୍ ଚିକିତ୍ସା ସହାୟତା ରାଶିରେ ବି ଟିକସ ଲାଗିବନି

ନୂଆଦିଲ୍ଲୀ : କ‌ରୋନା ମହାମାରୀ ବି‌ରୋଧ ଲଢ଼େଇକୁ ଦୃଢ଼ କରିବା ଲାଗି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କୋଭିଡ୍ ବାବଦ ପେମେଣ୍ଟ୍ ଉପରେ ଟିକସ ରିହାତି ଘୋଷଣା କରିଛନ୍ତି। କୋଭିଡ୍‌ ଚିକିତ୍ସା ଲାଗି ନିଯୁକ୍ତିଦାତା କର୍ମଚାରୀଙ୍କୁ ଦେଇଥିବା ପେମେଣ୍ଟ୍‌କୁ ଟିକସ ହିସାବ ବେଳେ ବିଚାରକୁ ନିଆଯିବ ନାହିଁ। ସେହିପରି କୌଣସି ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିଲେ ତାଙ୍କ ପରିବାର ସଦସ୍ୟଙ୍କୁ ଯେଉଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯାଉଛି ତାହା ଉପରେ ମଧ୍ୟ ଟିକସ ଲଗାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ପରଠାରୁ କରୋନା ସମ୍ପର୍କିତ ଯେତେ ସବୁ ପେମେଣ୍ଟ୍ ହୋଇଛି ତାହାକୁ ଟିକସ ହିସାବ ବାହାରେ ରଖାଯିବ। କୋଭିଡ୍‌ ଚିକିତ୍ସା କିମ୍ପା କୋଭିଡ୍ ମୃତ୍ୟୁ ସମ୍ପର୍କିତ ଯେଉଁ ସବୁ ପେମେଣ୍ଟ୍ ହୋଇଛି ତାହା ଉପରେ ଟିକସ ରିହାତି ମିଳିବ। ସେ କହିଛନ୍ତି ଯେ ନିଯୁକ୍ତିଦାତାଙ୍କ ତରଫରୁ କର୍ମଚାରୀଙ୍କୁ ହେଉ କିମ୍ବା କୌଣସି ନିର୍ଦିଷ୍ଟ ବ୍ୟକ୍ତିଙ୍କ ତରଫରୁ ଅନ୍ୟ କୌଣସି ବ୍ୟକ୍ତିଙ୍କୁ କୋଭିଡ୍‌ ମୃତ୍ୟୁ ଜନିତ ଅନୁକମ୍ପା ରାଶି ଦିଆଯାଇଥିଲେ ତାହା ଉପରେ ଟିକସ ଆଦାୟ କରାଯିବ ନାହିଁ। ତେବେ ଜଣେ ବ୍ୟକ୍ତିଙ୍କ ଦ୍ବାରା ଅନ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିବା ଅନୁକମ୍ପାମୂଳକ ରାଶି ଯଦି ୧୦ ଲକ୍ଷ ଟଙ୍କା ଭିତରେ ଥିବ ତେବେ ଟିକସମୁକ୍ତ ରହିବ। ତା’ଠାରୁ ଅଧିକ ପେମେଣ୍ଟ୍‌ ହୋଇ‌ଥିଲେ ଟିକସ ହିସାବ ବେଳେ ତାହାକୁ ବିଚାରକୁ ନିୖଆଯିବ। କ‌ରୋନା ଚିକିତ୍ସା ଲାଗି ନିଯୁକ୍ତିଦାତା ନିଜ କର୍ମଚାରୀଙ୍କୁ ଯେଉଁ ଆର୍ଥିକ ସହାୟତା ଦେଉଛନ୍ତି ତାହା ମଧ୍ୟ ଟିକସମୁକ୍ତ ରହିବ।

ସମ୍ବନ୍ଧିତ ଖବର