ଆରୋଗ୍ୟଙ୍କ ସଂଖ୍ୟା ବଢ଼ୁଛି, ଭେଣ୍ଟିଲେଟର ଚାହିଦା କମୁଛି

ନୂଆଦିଲ୍ଲୀ : ଭାରତରେ ଦୈନିକ କରୋନା ସଂକ୍ରମିତକଙ୍କ ସଂଖ୍ୟା ହ୍ରାସ ପାଇବା ‌ବେଳେ ଆରାଗ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ କମୁଛି। ଏଥି‌ଯୋଗୁ ଦେଶରେ ଭେଣ୍ଟିଲେଟର, ଆଇସିୟୁ ଏବଂ ଅକ୍ସିଜେନର ଆବଶ୍ୟକତା ବି ହ୍ରାସ ପାଉଛି। ଫଳରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଚାପ କିଛିଟା ହାଲକା ହେବାରେ ଲାଗିଛି। ସେପ୍ଟେମ୍ବର ମାସର ଶେଷ ଭାଗରୁ ଦେଶରେ ଭେଣ୍ଟିଲେଟର ଓ ଆଇସିୟୁର ଚାହିଦା କମିବା‌ରେ ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୫ ବେଳକୁ ଦେଶରେ ଭେଣ୍ଟିଲେଟର ବା ଆଇସିୟୁ ଆବଶ୍ୟକ କରୁଥିବା ରୋଗୀଙ୍କ ସଂଖ୍ୟା ୭୫ ହଜାରରୁ ଅଧିକ ରହୁଥିଲା। କିନ୍ତୁ ଅକ୍ଟୋବର ୧୯ ବେଳକୁ ଏହି ସଂଖ୍ୟା ୫୭ ହଜାର ତଳକୁ ଖସିଆସିଛି। ଭାରତରେ କରୋନା ସଂକ୍ରମଣ ଗତ ସେପ୍ଟେମ୍ବରରେ ଶୀର୍ଷ ଛୁଇଁ ସାରିଛି ବୋଲି ମଧ୍ୟ କୁହାଯାଉଛି। କରୋନା ସଂକ୍ରମଣ ତଥ୍ୟ ମଧ୍ୟ ସରକାରଙ୍କ ଏହି ଆକଳନକୁ ସମର୍ଥନ କରୁଛି। ସେପ୍ଟେମ୍ବର ମଧ୍ୟଭାଗ ବେଳକୁ ଦେଶରେ ଦୈନିକ ନୂଆ କରୋନା ସଂକ୍ରମଣ ସଂଖ୍ୟା ୯୭ ହଜାରରୁ ଅଧିକ ରହୁଥିବାବେଳେ ଅକ୍ଟୋବର ‌୨୦ ବେଳକୁ ୪୭ ହଜାରରୁ କମ୍ ରହିଛି। ତେବେ ଆଇସିଏମଆର ପକ୍ଷରୁ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତି ପୁନର୍ବାର ସଂକ୍ରମିତ ହେବା ଆଶଙ୍କା ସଂପର୍କରେ ଅନୁଧ୍ୟାନ କରାଯାଉଛି।

ସମ୍ବନ୍ଧିତ ଖବର