ଭୁବନେଶ୍ବର: ଉପଭୋକ୍ତାଙ୍କୁ ତୈଳ ଓ ଗ୍ୟାସ୍ ଭଳି ଅତ୍ୟାବଶ୍ୟକ ସେବା ପ୍ରଦାନ କରୁଥିବା କୋଭିଡ୍ ଯୋଦ୍ଧା ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଟିକାକରଣ ଲାଗି ଆଜି ଭୁବନେଶ୍ବର ଠାରେ ଇଣ୍ଡିଆନ ଅଏଲ୍ ଓ ଆପୋଲୋ ହସ୍ପିଟାଲ୍ ସହଯୋଗରେ ୭ ଦିନିଆ କୋଭିଡ୍-୧୯ ଟିକାକରଣ ଶିବିରକୁ ଇଣ୍ଡିଆନ ଅଏଲ୍ର ଚନ୍ଦ୍ରଶେଖରପୁର ସ୍ଥିତ କାର୍ଯ୍ୟାଳୟରେ ଆରମ୍ଭ କରାଯାଇଛି। ଏହି ଶିବିରକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଇଣ୍ଡିଆନ ଅଏଲ ଠାରେ ଟିକାକରଣର ବ୍ୟବସ୍ଥା କରାଯାଇଥିବା ବେଳେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ସମନ୍ବୟରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲ୍କୁ ଏଥିପାଇଁ ଚୟନ କରାଯାଇଛି। କଂପାନିର ପେଟ୍ରୋଲ୍ ପମ୍ପ୍ ଗ୍ରାହକ ଆଟେଣ୍ଡାଣ୍ଟ୍, ଏଲ୍ପିଜି ଓ ପେଟ୍ରୋଲ୍ ବିତରକ, ତୈଳ ଟ୍ୟାଙ୍କର ପରିବହନ କରୁଥିବା ଚାଳକ, ଅନ୍ୟାନ୍ୟ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଟିକା ଦିଆଯିବ। ଏହି ଶିବିର ଜୁନ୍ ୨ରୁ ୮ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ୨୦୦ ଡୋଜ୍ ଟିକା ଦେବାର ଯୋଜନା ରହିଛି।
ଇଣ୍ଡିଆନ ଅଏଲ୍ ନିଜସ୍ବ ଖର୍ଚ୍ଚରେ ଟିକାକରଣର ସୁବିଧା କରିଥିବା ବେଳେ ସହଯୋଗ ପାଇଁ ସିଆଇଆଇ ଓ ଆପୋଲୋ ହସ୍ପିଟାଲ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି। କରୋନା ମହମାରୀର ଦ୍ବିତୀୟ ଲହରରେ ତୈଳ ଓ ଗ୍ୟାସ୍ କଂପାନିଗୁଡ଼ିକର କୋଭିଡ୍ ଯୋଦ୍ଧାମାନେ ଗ୍ରାହକମାନଙ୍କୁ ସେବା ଯୋଗାଣ ଜାରି ରଖିଥିବାରୁ ସେ ସେମାନଙ୍କୁ ପ୍ରଶଂସା କରିଛନ୍ତି। ଖୁବ୍ଶୀଘ୍ର ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ତରଫରୁ ସେମାନଙ୍କ କର୍ମଚାରୀ ଓ ପରିବାର ସଦସ୍ୟଙ୍କୁ ଟିକା ଦିଆଯିବ। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ମାଗଣାରେ ୫୦% ଟିକା ଯୋଗାଉଥିବା ବେଳେ ରାଜ୍ୟମାନଙ୍କୁ ୨୫% ଓ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ୨୫% ଟିକା କିଣିବାର ଅନୁମତି ଦିଆଯାଇଛି। ରାଜ୍ୟରେ ତିିନି ରାଷ୍ଟ୍ରାୟତ୍ତ ତୈଳ କଂପାନି, ସେଲ୍, ଏମ୍ସିଏଲ୍, ନାଲ୍କୋ, ଏନ୍ଟିପିସି, ରେଳବାଇ, ପିପିଟି, ବିଏସ୍ଏନ୍ଏଲ୍ ଭଳି ସରକାରୀ ସଂସ୍ଥା ଓ ଟାଟା, ଜିନ୍ଦଲ, ଆର୍ସେଲର ମିତ୍ତଲ ଭଳି ଅଗ୍ରଣୀ କଂପାନି ରହିଛନ୍ତି। ଏହି ସଂସ୍ଥାଗୁଡ଼ିକ ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଟିକାକରଣ ଲାଗି ବ୍ୟବସ୍ଥା କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/56f456h4sf56hhhhhhhhhhhhhhhhhh.jpg)