ସିପିଜିଏ ପକ୍ଷରୁ ଆଲୋଚନା କାର୍ଯ୍ୟକ୍ରମ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନୀତି ବଦଳାଇବାକୁ ଆହ୍ବାନ

ଭୁବନେଶ୍ବର: ସମାଜରୁ ଦାରିଦ୍ର୍ୟ ଦୂର କରିବାର ଶକ୍ତି ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଖରେ ରହିଛି। ବର୍ତ୍ତମାନ ଏହାକୁ ନେଇ ଯେଉଁ ନୀତି ରହିଛି ତାହାର ପ୍ରଭାବ ଅନୁଭୂତ ‌ହେଉନାହିଁ। ଏଥିରେ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ବିଶେଷଜ୍ଞ ଓ ଅର୍ଥନୀତିଜ୍ଞମାନେ ଆହ୍ବାନ ଦେଇଛନ୍ତି। ଆଜି ସିୱାଇଏସ୍‌ଡି କନ୍‌ଭେନ୍‌ସନ୍ ସେଣ୍ଟର୍‌ ପରିସରରେ ‘ସେଣ୍ଟର୍‌ ଫର୍‌ ପଲିସି, ଗଭର୍ଣ୍ଣାସ୍‌ ଆଣ୍ଡ୍‌ ଆଡ୍‌ଭୋକେସି (ସିପିଜିଏ) ପକ୍ଷରୁ ଆୟୋଜନ କରାଯାଇଥିବା ଏକ ଆଲୋଚନା କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଏହି ଆହ୍ବାନ ଦେଇଛନ୍ତି।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ କହିଛନ୍ତି, ଆର୍ଥିକ ସାକ୍ଷରତା ସମସ୍ତଙ୍କ ପାଖରେ ପହଞ୍ଚିପାରୁନାହିଁ। ଉପେକ୍ଷିତ ବର୍ଗର ଲୋକମାନେ ଆର୍ଥିକ ସହାୟତା ଠାରୁ ଦୂରରେ ରହିଛନ୍ତି। ଏହି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ହେଲେ ଉପେକ୍ଷିତ ବର୍ଗର ଲୋକଙ୍କ ପ୍ରତି ନୀତି ନିର୍ଧାରକ, ପ୍ରଶାସକ, ବ୍ୟାଙ୍କ ଏବଂ ସାଧାରଣ ଲୋକଙ୍କୁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସଫଳ କରିବା ଲାଗି ଉତ୍ପାଦ, ଅନୁଷ୍ଠାନ ଓ ବ୍ୟବସ୍ଥ‌ାରେ ଅଭିନବ ଚିନ୍ତାଧାରା ବ୍ୟବହାର କରିବା ସମ୍ମାନିତ ଅତିଥି ଡକ୍ଟର ଯୁଗଳ କିଶୋର ମହାପାତ୍ର ଆହ୍ବାନ ଦେଇଛନ୍ତି। ତ୍ରିପୁରା ସରକାରଙ୍କ ପୂର୍ବତନ ମୁଖ୍ୟ ସଚିବ ଡକ୍ଟର ସଞ୍ଜୟ କୁମାର ପଣ୍ଡା ପ୍ରଯୁକ୍ତିର ଅଧିକ ବ୍ୟବହାର କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ବରିଷ୍ଠ ସାମ୍ବାଦିକ ନାଗେଶ୍ବର ପଟ୍ଟନାୟକ, କାନାରା ବ୍ୟାଙ୍କର ପୂର୍ବତନ ମହାପ୍ରବନ୍ଧକ ରାଜେନ୍ଦ୍ର କୁମାର ସ୍ବାଇଁ ଓ ନାବାର୍ଡର ମହାପ୍ରବନ୍ଧକ ଏ ପି ଦାସ ମଧ୍ୟ ଆର୍ଥିକ ଅନ୍ତଭୁର୍କ୍ତୀକରଣର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ। ସିୱାଇଏସ୍‌ଡିର ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି ଯେ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଦ୍ବାରା ଲୋକମାନଙ୍କୁ ଠକାମିର ଶିକାର ହେବାରୁ ଅଟକାଇ ହେବ। ସିପିଜିଏର ଅଧ୍ୟକ୍ଷ ତେ‌ଜେଶ୍ବର ପରିଡ଼ା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସତ୍ୟ ସାଇ କଲେଜର ଡକ୍ଟର ମୃଣ୍ମୟୀ ରଥ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, କିଟ୍ ସ୍କୁଲ୍‌ ଅଫ୍‌ ରୁରାଲ୍‌ ମ୍ୟାନେଜମେଣ୍ଟ୍‌, ଜାଭିୟର୍‌ ସ୍କୁଲ୍‌ ଅଫ୍‌ ରୁରାଲ୍‌ ମ୍ୟାନେଜମେଣ୍ଟ୍ ଓ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଫାକଲ୍‌ଟି ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର