ପ୍ରଯୁକ୍ତି କ୍ଷେତ୍ର କର୍ମଚାରୀଙ୍କ ଉପରେ ଚଡ଼କ: ଦିନକୁ ୨୫୦୦ ଛଟେଇ
ଜାନୁଆରିରେ ସର୍ବାଧିକ ଲକ୍ଷେ ୮ ହଜାର, ଆସେଞ୍ଚର ୧୯ ହଜାର କର୍ମଚାରୀ କାଢ଼ିବ
ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଗତ କିଛିମାସ ହେଲା ବ୍ୟାପକ ମାତ୍ରାରେ ଛଟେଇ ଚାଲିଛି। ପୂର୍ବରୁ ଆମାଜନ, ମେଟା, ଆଲଫାବେଟ, ମାଇକ୍ରୋସଫ୍ଟ, ଟ୍ବିଟର ଭଳି ବୃହତ୍ କମ୍ପାନି ଛଟେଇ ଘୋଷଣା କରିଥିବାବେଳେ ଏହି ତାଲିକାରେ ଆଜି ଆସେଞ୍ଚର ସାମିଲ ହୋଇଛି। ଉକ୍ତ ଆଇଟି କମ୍ପାନି ୧୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ବିଶ୍ବ ଅର୍ଥନୀତିର ସ୍ଥିତି ଖରାପ ହେଉଥିବାବେଳେ ପୂର୍ବରୁ ଆବଶ୍ୟକତା ତୁଳନାରେ ଅଧିକ କର୍ମଚାରୀ ନିଯୁକ୍ତ କରିଥିବାରୁ ଆସେଞ୍ଚର ଏହି ଛଟେଇ ଘୋଷଣା କରିଛି। କମ୍ପାନିର ମୋଟ କର୍ମଚାରୀ ସଂଖ୍ୟାକୁ ଦେଖିଲେ ପ୍ରାୟ ୨.୫ ପ୍ରତିଶତ କର୍ମଚାରୀ ବିଦାହେବେ। ତେବେ ସାମାନ୍ୟ ଆଶ୍ବସ୍ତିର ବିଷୟ ହେଲା ଯେ ଆସେଞ୍ଚର ହଠାତ୍ ଏହି ଛଟେଇ ନକରି ପର୍ଯ୍ୟାୟକ୍ରମେ ଆସନ୍ତା ୧୮ ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବ। ଛଟେଇ ପ୍ରକ୍ରିୟା ଶେଷ ହେବା ପରେ ଆସେଞ୍ଚର ନୂଆ ନିଯୁକ୍ତି ଦେବ। ଏହି ଛଟେଇରେ ନନ୍ ବିଲେବଲ୍ କର୍ପୋରେଟ୍ କାର୍ଯ୍ୟରେ ନିୟୋଜିତ ର୍କମଚାରୀଙ୍କ ସଂଖ୍ୟା ଅଧାରୁ ଅଧିକ ରହିବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଏବଂ ଭବିଷ୍ୟତର ବ୍ୟବସାୟିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆସେଞ୍ଚର କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଥିଲା। ୨୦୨୨ ଫେବ୍ରୁଆରିରେ ଆସେଞ୍ଚରର ମୋଟ କର୍ମଚାରୀ ସଂଖ୍ୟା ୬,୯୯,୦୦୦ ଥିବାବେଳେ ୨୦୨୩ ଫେବ୍ରୁଆରିରେ ତାହା ୭,୩୮,୦୦୦କୁ ବୃଦ୍ଧି ପାଇଥିଲା।
ପ୍ରମୁଖ କମ୍ପାନିଙ୍କ ଛଟେଇ
ଦୁଇଟି କାରଣ ପାଇଁ ପ୍ରଯୁକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରର କମ୍ପାନି କର୍ମଚାରୀ ଛଟେଇ କରୁଛନ୍ତି। ଗୋଟିଏ କାରଣ ହେଲା ଖର୍ଚ୍ଚକାଟ। ଅନ୍ୟ କାରଣଟି ହେଲା ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧିର ସ୍ଥିତି ଖରାପ ରହିବା। ଆସେଞ୍ଚର ପୂର୍ବରୁ ଚଳିତବର୍ଷ ଆମାଜନ ଦୁଇଟି ପର୍ଯ୍ୟାୟରେ ୨୭ ହଜାର କର୍ମଚାରୀଙ୍କୁ ଛଟେଇ ଘୋଷଣା କରିସାରିଛି। ପ୍ରଥମ ପର୍ଯ୍ୟାୟରେ ୧୮ ହଜାର ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୯ ହଜାର କର୍ମଚାରୀଙ୍କୁ ଆମାଜନ ବିଦା କରିଛି। ମେଟା ଗତ ନଭେମ୍ବରରେ ୧୧ ହଜାର କର୍ମଚାରୀ ଛଟେଇ କରିଥିବାବେଳେ ଚଳିତବର୍ଷ ଆଉ ୧୦ ହଜାର ବିଦା କରିଛି। ତେଣୁ ମେଟା ୨୧ ହଜାର କର୍ମଚାରୀଙ୍କୁ ବିଦା କରିଛି। ସେହିଭଳି ମାଇକ୍ରୋସଫ୍ଟ ୧୩ ହଜାର, ଆଲ୍ଫାବେଟ୍ ୧୨ ହଜାର, ଟ୍ବିଟର ୩୭୦୦ ଏବଂ ଜୁମ୍ ୧୩୦୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। କେବଳ ଆଇଟି କମ୍ପାନି ନୁହନ୍ତି ଫୋର୍ଡ ଏବଂ ଟେସଲା ଭଳି ଅଟୋମୋବାଇଲ ଏବଂ ଇ-କମର୍ସ କମ୍ପାନି ମଧ୍ୟ କର୍ମଚାରୀ ଛଟେଇ କରିଛନ୍ତି।
୨୦୨୨-୨୩ର କେଉଁ ମାସରେ କେତେ ବିଦା
ଆଇଟି କ୍ଷେତ୍ରରେ ଗତ ଦୁଇମାସରେ ପାଖାପାଖି ୧୫୭,୨୬୩ ଜଣ କର୍ମଚାରୀ ଚାକିରି ହରାଇଛନ୍ତି। ଦିନକୁ ହାରାହାରି ପ୍ରାୟ ୨୫୩୭ଜଣଙ୍କ ଚାକିରି ଯାଇଛି।
୨୦୨୨-୨୩ ଆର୍ଥିକ ବର୍ଷର ଛଟେଇ ଉପରେ ନଜର ପକାଇଲେ ଜଣାପଡ଼େ ଯେ ୨୦୨୩ ଜାନୁଆରିରେ ସର୍ବାଧିକ ୧,୦୮,୧୧୮ ଜଣ କର୍ମଚାରୀ ଚାକିରି ହରାଇଛନ୍ତି। ଏହା ପୂର୍ବରୁ ୨୦୨୨ ନଭେମ୍ବରରେ ୫୧୧୬୦ ଜଣ ଚାକିରି ହରାଇଥିବାବେଳେ ୨୦୨୩ ଫେବ୍ରୁଆରିରେ ୪୮୧୬୦ ଜଣ ଏବଂ ମାର୍ଚ୍ଚ ମାସରେ ବର୍ତ୍ତମାନ ସୁଦ୍ଧା ୩୪,୪୫୧ ଜଣ ଚାକିରି ହରାଇଛନ୍ତି। ଟ୍ରୁଅପ୍ ଡଟ୍ ଆଇଓର ତଥ୍ୟ ଉପରେ ନଜର ପକାଇଲେ ଜଣାପଡ଼େ ଯେ ୨୦୨୩ ଆରମ୍ଭରୁ ବର୍ତ୍ତମାନ ମଧ୍ୟରେ ପାଖାପାଖି ୧୯୦୭୨୯ ଜଣ ଛଟେଇ ହେଲେଣି। ଅର୍ଥାତ୍ ଦିନକୁ ୨୩୨୬ ଜଣଙ୍କର ଚାକିରି ଯାଇଛି। ୬୮୬ଟି ପ୍ରଯୁକ୍ତି କମ୍ପାନିଙ୍କ ଦ୍ବାରା ଏହି ଛଟେଇ କରାଯାଇଛି। ତେବେ ୨୦୨୨ରେ ୧୫୩୫ଟି ପ୍ରଯୁକ୍ତି କମ୍ପାନି ୨୪୧୧୭୬ ଜଣ କର୍ମଚାରୀଙ୍କୁ ବିଦା କରିଥିଲେ।