ନୂଆଦିଲ୍ଲୀ : ୧୩ ବର୍ଷ ତଳେ ସତୋଶି ନାକାମୋତୋ ନାମରେ ଜଣେ କିମ୍ବା ଏକାଧିକ ବ୍ୟକ୍ତି ହ୍ବାଇଟ୍ ପେପର ପ୍ରକାଶ କରିଥିଲେ। ସେଥିରେ ବିଟ୍କଏନ୍ ନାମରେ ନୂଆ ସଫ୍ଟୱେର ସିଷ୍ଟମ୍ ସଂପର୍କରେ ବର୍ଣ୍ଣନା ହୋଇଥିଲା। ବିଶ୍ବର ପୂରା ଆର୍ଥିକ ନେଟୱର୍କକୁ ଆଗାମୀ ଦିନରେ ଏକ ନୂଆ ରୂପ ଦେବ ବୋଲି ଏହାର ସପକ୍ଷବାଦୀମାନେ ଆଶା ରଖିଛନ୍ତି। ବିଟ୍କଏନ୍କୁ ନେଇ ରହସ୍ୟ ରହିଛି। କିନ୍ତୁ ଏହାର ସଷ୍ଟ୍ରା ସତୋଶି ନାକାମୋତୋ କିଏ ତାହାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ସତୋଶି ନାକାମୋତୋ ୨୦୦୮ ଅକ୍ଟୋବର ୩୧ରେ ୯ ପୃଷ୍ଠାର ଏକ କାଗଜ କିଛି କ୍ରିପ୍ଟୋଗ୍ରାଫରଙ୍କ ନିକଟକୁ ପଠାଇଥିଲେ। ସେଥିରେ ସେ ‘ଇଲେକଟ୍ରୋନିକ୍ କ୍ୟାସ୍ର ନୂଆ ରୂପ’ ବିଟ୍କଏନ୍ ସଂପର୍କରେ ଉଲ୍ଲେଖ କରିଥିଲେ। ସେହି ସମୟରେ କେହି ସତୋଶି ନାକାମୋତୋଙ୍କ ପରିଚୟକୁ ନେଇ ଚିନ୍ତିତ ନଥିଲେ। ସେହି ଗୋଷ୍ଠୀରେ ଥିବା ଅଧିକାଂଶ କ୍ରିପ୍ଟୋଗ୍ରାଫର ବିଟ୍କଏନ୍ ଚିନ୍ତାଧାରା ସଂପର୍କରେ ବି ସନ୍ଦିହାନ ଥିଲେ। ତେବେ କ୍ରିପ୍ଟୋଗ୍ରାଫର ଏବଂ ଡେଭଲପର ହାଲ୍ ଫିନି, ନିକ୍ ଏସ୍ଜାବୋ, ଡେଭିଡ୍ ଚାଉମ, ୱି ଡାଇ ଆଦି ପ୍ରମୁଖ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେଲା ମୁଦ୍ରାର ଇଲେକ୍ଟ୍ରୋନିକ୍ସ ଫର୍ମ ବିକାଶ କରିବା କାର୍ଯ୍ୟରେ ଲାଗିଛନ୍ତି। କିନ୍ତୁ ଅନେକ କାରଣରୁ ସେମାନେ ବର୍ତ୍ତମାନ ସୁଦ୍ଧା ସଫଳ ହୋଇନାହାନ୍ତି। ୨୦୦୯ ଜାନୁ୍ଆରି ୯ ତାରିଖରେ ନାକାମୋତୋ ବିଟ୍କଏନ୍ ନେଟୱର୍କ ଆରମ୍ଭ କରିଥିଲେ। ଫିନି ଏଥିପାଇଁ ଆଗ୍ରହ ବା କୌତୂହଳ ପ୍ରକାଶ କରିଥିଲେ। ନେଟୱର୍କ ଚଳାଇବା ପାଇଁ ଉଭୟ କାର୍ଯ୍ୟ କରିଥିଲେ। ପ୍ରଥମ ବିଟକଏନ୍ ନାକାମୋତୋଙ୍କ ଠାରୁ ଫିନିଙ୍କ ପାଖକୁ ଯାଇଥିଲା।
ଦୁଇବର୍ଷ ପର୍ଯ୍ୟନ୍ତ ବିଟ୍କଏନର ଅଗ୍ରଗତି ମନ୍ଥର ରହିଥିଲା। ନାକାମୋତୋ ବ୍ୟକ୍ତିଗତ ଭାବେ ଡେଭଲପରମାନଙ୍କ ସହିତ ଇ-ମେଲ୍ ଦିଆନିଆ କରିଥିଲେ। ୨୦୧୦ ଡିସେମ୍ବରରେ ନାକାମୋତୋ ସାଧାରଣରେ ପୋଷ୍ଟିଂ ବନ୍ଦ କରିଦେଲେ ଏବଂ ୨୦୧୧ରେ ଡେଭଲପରମାନଙ୍କ ସହିତ କଥା ହେବା ବନ୍ଦ କରିଦେଇଥିଲେ। ପ୍ରକଳ୍ପର ନେତୃତ୍ବ ନାକାମୋତୋ ଗାଭିନ ଆଣ୍ଡରସନ ନାମକ ଜଣେ ସଫ୍ଟୱେର ଡେଭଲପରଙ୍କୁ ଦେଇଥିଲେ।
ନାକାମୋତୋଙ୍କୁ ଆମେ ଜାଣୁ କି?
ବସ୍ତୁତଃ ନାକାମୋତୋଙ୍କୁ ଆମେ ଜାଣି ନାହୁଁ। ସାଧାରଣ ବାର୍ତ୍ତା, ଏପରିକି ବ୍ୟକ୍ତିଗତ ବାର୍ତ୍ତାରେ ନାକାମୋତୋ କେବେ ବି ତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ କିଛି କହିନାହାନ୍ତି। ସେ କେବଳ ବିଟ୍କଏନ୍ ଏବଂ ଏହାର କୋଡ୍ ସଂପର୍କରେ କହିଛନ୍ତି। ନାକାମୋତୋ ଦୁଇଟି ଇମେଲ୍ ଠିକଣା ଏବଂ ଗୋଟିଏ ୱେବସାଇଟ୍ ବ୍ୟବହାର କରୁଥିଲେ। ସେସବୁକୁ ଯିଏ ପଞ୍ଜୀକୃତ କରିଥିଲା ତାହାର ପରିଚୟକୁ ବନ୍ଦ କରି ଦିଆଯାଇଥିଲା। ଆଉ ଅଧିକ କିଛି ସାଧାରଣ ସୂଚନା ନାହିଁ। ବର୍ତ୍ତମାନ ଯୁଗରେ ପରିଚୟ ଗୋପନ ରହିବା କଷ୍ଟକର ମନେ ହେଉଥିଲେ ମଧ୍ୟ ନାକାମୋତୋଙ୍କ ପରିଚୟ ମିଳିପାରି ନାହିଁ।
ନାକାମୋତୋ ଧନୀ ନୁହଁନ୍ତି କି?
ପ୍ରଥମ ବର୍ଷ ପ୍ରାୟ ୧ ନିୟୁତ ବିଟ୍କଏନ୍ ମାଇନିଂ କରାଯାଇଥିଲା। କିନ୍ତୁ ତାହାକୁ ଅନ୍ୟତ୍ର ପଠାଯାଇ ନଥିଲା। ଯଦି ସେହି ବିଟକଏନ୍କୁ ନାକାମୋତୋଙ୍କ ପାଖରେ ଥାନ୍ତା ତେବେ ବର୍ତ୍ତମାନ ସମୟରେ ତାହାର ମୂଲ୍ୟ ୫୫୦୦ କୋଟି ଡଲାର ହୋଇଥାଆନ୍ତା। ଏହାବଳରେ ସେ ବିଶ୍ବର ଶ୍ରେଷ୍ଠ ୩୦ ଜଣ ଧନୀଙ୍କ ମଧ୍ୟରେ ସ୍ଥାନ ପାଇଥାନ୍ତେ। ଏହା ଧରିନେବାକୁ ହେବ ଯେ ସେହି ୧ ନିୟୁତ ବିଟ୍କଏନ୍ କେବଳ ନାକାମୋତୋଙ୍କ ନିୟନ୍ତ୍ରଣରେ ଥିବ। ଏହାକୁ ପାଇବାକୁ ହେଲେ ଗୁରୁତ୍ବପୂର୍ଣ୍ଣ ‘ପ୍ରାଇଭେଟ୍ କି’ ଦରକାର। ତାହା ହେଉଛି ଏକ ଲମ୍ବା ଏବଂ ଅକ୍ଷର ଓ ସଂଖ୍ୟାର ଏକ ସ୍ବତନ୍ତ୍ର ମିଶ୍ରଣ। ଯିଏ ସେହି ବିଟକଏନ୍ ଉପରେ ନିୟନ୍ତ୍ରଣ ପାଇବେ ସିଏ ହିଁ ନାକାମୋତୋ ବୋଲି ଧରିନେବାକୁ ହେବ।
କାହିଁକି ସେଗୁଡ଼ିକ ବିକ୍ରି ହୋଇନାହିଁ?
ପ୍ରଥମେ ପ୍ରଥମେ କ୍ରିପ୍ଟୋକରେନ୍ସି କାରବାର କରୁଥିବା ଲୋକମାନେ ବିଶ୍ବାସ କରୁଥିଲେ ଯେ ନାକାମୋତୋ ନିଜକୁ ପ୍ରକାଶ କରୁନାହାନ୍ତି ଏବଂ ବିଟ୍କଏନ୍ରେ ସେ ହାତ ମାରୁନାହାନ୍ତି। ଡରରେ ସେ ଏପରି କରୁଛନ୍ତି ବୋଲି ଅନୁମାନ କରାଯାଉଥିଲା। ବିଟ୍କଏନ୍ର ସ୍ରଷ୍ଟା ଗିରଫ ହେବା ବି ଯୁକ୍ତି ଅସଙ୍ଗତ ନଥିଲା। ଅନେକ ଦେଶ କିନ୍ତୁ ଏବେ ବିଟ୍କଏନ୍କୁ କିଛି ମାତ୍ରାରେ ଗ୍ରହଣ କରିଲେଣି। ନାକାମାତୋଙ୍କ ପତ୍ତା ନମିଳିବା ଗୋଟିଏ ଦଶନ୍ଧି ହୋଇଯାଇଥିବାରୁ ତାଙ୍କର ମୃତ୍ୟୁ ମଧ୍ୟ ହୋଇଯାଇ ଥାଇପାରେ। ସେ କାହାରିକୁ ‘ପ୍ରାଇଭେଟ୍ କି’ ଦେଇ ମଧ୍ୟ ନଥାଇ ପାରନ୍ତି। ଏହା ମଧ୍ୟ ହୋଇଥାଇପାରେ ସେ ବଞ୍ଚିଥାଇ ପାରନ୍ତି। କିନ୍ତୁ ‘ପ୍ରାଇଭେଟ କି’ ହଜେଇ ଦେଇଥିବା କାରଣରୁ ବିଟ୍କଏନ୍ର କାରବାର କରିପାରୁ ନଥାଇ ପାରନ୍ତି।
କେହିଜଣେ ନାକାମୋତୋ ହୋଇଥିବେ
ହଁ, କେହି ଜଣେ ନାକାମୋତୋ ହୋଇଥିବେ ନିଶ୍ଚୟ। ବିଗତ ବର୍ଷ ଗୁଡ଼ିକରେ ବିଟ୍କଏନ୍ ଭଳି ମୁଦ୍ରାରେ ଯେଉଁମାନେ କାମ କରୁଛନ୍ତି ଯଥା ଫିନି, ଯେ କି ୨୦୧୪ରେ ମୃତ୍ୟୁବରଣ କରିଛନ୍ତି ଏବଂ ଆଣ୍ଡରସନଙ୍କୁ ନାକାମୋତୋ ବୋଲି କୁହାଯାଉଛି। କିନ୍ତୁ ସେମାନେ ମନା କରୁଛନ୍ତି। ସେମାନେ ନାକାମୋତୋ ବୋଲି ପ୍ରମାଣ କରିବାର କିଛି ନାହିଁ। ୨୦୧୪ରେ ଇଂଲଣ୍ଡର ବିର୍ମିଙ୍ଗହାମ ସ୍ଥିତ ଆଷ୍ଟନ ବିଶ୍ବବିଦ୍ୟାଳୟର କିଛି ଛାତ୍ର ଏବଂ ଗବେଷକ ଭାଷାଗତ ବିଶ୍ଳେଷଣ କରି ନିଷ୍କର୍ଷରେ ପହଞ୍ଚିଥିଲେ ଯେ ମିଃ ସାବୋ ହିଁ ନାକାମୋତୋ ହେବାର ସମ୍ଭାବନା ସର୍ବାଧିକ ରହିଛି। ଅନ୍ୟମାନେ ମଧ୍ୟ ମିଃ ସାବୋ ନାକାମୋତୋ ବୋଲି ଦାବି କରିଛନ୍ତି। କିନ୍ତୁ ସାବୋ ଏହି ଦାବିକୁ ଗ୍ରହଣ କରିନାହାନ୍ତି।
କ୍ରେଗ୍ ରାଇଟ୍ କିଏ?
କ୍ରେଗ ରାଇଟ୍ ହେଉଛନ୍ତି ଜଣେ ଅଷ୍ଟ୍ରେଲୀୟ ପ୍ରୋଗ୍ରାମର। ଲଣ୍ଡନରେ ରହୁଥିବା କ୍ରେଗ ୨୦୧୬ରେ ନିଜକୁ ନାକାମୋତୋ ବୋଲି ଦାବି କରିଥିଲେ। କିନ୍ତୁ ତାଙ୍କର ଦାବିକୁ ତୁରନ୍ତ ବିଟ୍କଏନ୍ ଗୋଷ୍ଠୀର ଲୋକେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ପ୍ରଥମେ ଆରମ୍ଭ ହୋଇଥିବା କିଛି ବିଟ୍କଏନ୍ର କାରବାର କରି ନିଜକୁ ନାକାମୋତୋ ବୋଲି ପ୍ରମାଣ କରିବାର ଶପଥ ନେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ସେ କରିପାରି ନାହାନ୍ତି। ନିକଟରେ କ୍ରେଗ ତାଙ୍କ ଦାବିକୁ ମାମଲାରେ ଛନ୍ଦିଛନ୍ତି। ବିଟ୍କଏନ୍ ଯଦିଓ ଏକ ଓପନ ସୋର୍ସ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିଲା ତଥାପି ଏହି ସଫ୍ଟୱେର ଉପରେ ସେ ପେଟେଣ୍ଟ୍ ଆବେଦନ କରିଛନ୍ତି। ତାଙ୍କୁ ପରିହାସ କରିଥିବା ଜଣେ ପଡକାଷ୍ଟ ସଂଚାଳକଙ୍କ ବିରୋଧରେ ସେ ମାମଲା ରୁଜୁ କରିଛନ୍ତି।
ଫ୍ଲୋରିଡା ଅଦାଲତ ନାକାମୋତୋଙ୍କ ପରିଚୟ ପ୍ରକାଶ କରିବ କି?
କ୍ରେଗ ରାଇଟ୍ଙ୍କ ନାମରେ ମଧ୍ୟ ତାଙ୍କର ଜଣେ ମୃତ ସହକର୍ମୀ ଡେଭ୍ କ୍ଲିମ୍ୟାନଙ୍କ ପରିବାର ମାମଲା ରୁଜୁ କରିଛନ୍ତି। ଉକ୍ତ ମାମଲାରେ ଦର୍ଶାଯାଇଛି ମେସର୍ସ ରାଇଟ୍ ଏବଂ କ୍ଲେମ୍ୟାନ ମିଶିକରି ବିଟ୍କଏନ୍ ବିକାଶ କରିଥିଲେ। ବ୍ୟବସାୟ ସହଯୋଗିତା ଭିତ୍ତିରେ ଏହା ହୋଇଥିଲା ଏବଂ କ୍ଲେମ୍ୟାନ ପରିବାରକୁ ମିଃ ରାଇଟ୍ ସେହି ୧ ନିୟୁତ ବିଟ୍କଏନ୍ର ଅଧା ଦେବାକୁ ହେବ। ଯଦି ବିଚାରପତି ନିର୍ଣ୍ଣୟ ନିଅନ୍ତି ଯେ ଏମାନେ ମିଶିକରି ବିଟ୍କଏନ୍ ବିକାଶ କରିଥିଲେ ତାହେଲେ ମିଃ ରାଇଟ୍ ଆଇନଗତ ଭାବେ କିଛି ବିଟ୍କଏନ୍ ବିକ୍ରି କରିବାକୁ ବାଧ୍ୟ ହୋଇପାରନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ସେ ଏହା କରିନାହାନ୍ତି ବିଟ୍କଏନ୍ ଦୁନିଆର ଅନେକ ବ୍ୟକ୍ତି ତାଙ୍କର ଦାବିକୁ ଗ୍ରହଣ କରିବେ ନାହିଁ। ସେହି ବିଟ୍କଏନ୍କୁ କେହି କାରବାର ନକରିବା ପର୍ଯ୍ୟନ୍ତ ବିଟ୍କଏନ୍ର ପ୍ରକୃତ ସ୍ରଷ୍ଟା ଭାବେ କାହାରିକୁ ଗ୍ରହଣ କରାଯିବ ନାହିଁ।