ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଦେବ କ୍ରେଡାଇ, ଉପକୃତ ‌ହେବେ ୩୦ ହଜାର ଶ୍ରମିକ

ଆବଶ୍ୟକ ପ୍ରଶିକ୍ଷଣ ମଧ୍ୟ ଦିଆଯିବ

ଭୁବନେଶ୍ବର: କରୋନା ସଙ୍କଟ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ରାଜ୍ୟକୁ ଫେରିଆସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ କାମଧନ୍ଦା ଦେବା ଲାଗି ରିଅଲ ଇଷ୍ଟେଟ୍‌ ଶିଳ୍ପ ସଂଘ କ୍ରେଡାଇ ଭୁବନେଶ୍ବର ଆଗେଇ ଆସିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଥିବା ପ୍ରକଳ୍ପଗୁଡ଼ିକରେ ସେମାନଙ୍କୁ ନିୟୋଜିତ କରିବା ଲାଗି କ୍ରେଡାଇ ଭୁବନେଶ୍ବର ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସେମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବାକୁ ମଧ୍ୟ କ୍ରେଡାଇ ଯୋଜନା ରଖିଛି। ପ୍ରାୟ ୩୦ ହଜାର ପ୍ରବାସୀ ଶ୍ରମିକଙ୍କ କାମଧନ୍ଦା ଯୋଗାଇବା ଲାଗି କ୍ରେଡାଇ ଯୋଜନା ପ୍ରସ୍ତୁତ କରିଛି। ଯୋଜନା ଅନୁସାରେ, ରାଜ୍ୟ ସରକାରଙ୍କ ସହ ମିଶି କ୍ରେଡାଇ ଭୁବନେଶ୍ବର ପକ୍ଷରୁ ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପରେ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବ। ସେଠାରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ଓ ପରବର୍ତୀ ସମୟରେ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କରାଯିବ।

ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଏହା ଦ୍ବାରା ହଜାର ହଜାର ଶ୍ରମିକ ନିଯୁକ୍ତି ପାଇପାରିବେ ବୋଲି କ୍ରେଡାଇ ଭୁବନେଶ୍ବର ପକ୍ଷରୁ କୁହାଯାଇଛି। କ୍ରେଡାଇ ଭୁବନେଶ୍ବରର ସଭାପତି କାନ୍ତିଲାଲ ପଟେଲ କହିଛନ୍ତି, ଲକ୍‌ଡାଉନ୍ ପ୍ରଭାବରେ ଅନେକ କୁଶଳୀ ଓ ଅଣକୁଶଳୀ ଶ୍ରମିକ ଜୀବିକା ହରାଇ ରାଜ୍ୟକୁ ଫେରିଆସିଛନ୍ତି। ଭୁବନେଶ୍ବରରେ ନିର୍ମାଣାଧୀନ ଥିବା ବିଭିନ୍ନ ପ୍ରକଳ୍ପରେ ୩୦ ହଜାର ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବା ଲାଗି ଆମେ ଏକ ଯୋଜନା ପ୍ରସ୍ତୁତ କରିଛୁ। ତାହାକୁ ଆମେ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛୁ। ଏହି ‌ଯୋଜନାକୁ ସରକାରଙ୍କ ମଞ୍ଜୁରି ମିଳିଲେ ପ୍ରବାସୀ ଶ୍ରମିକ, ରିଅଲ ଇଷ୍ଟେଟ୍‌ ଶିଳ୍ପ ଓ ଘର କିଣୁଥିବା ଗ୍ରାହକମାନେ ଉପକୃତ ହେବେ ବୋଲି ସେ କହିଛନ୍ତି। ଭୁବନେଶ୍ବରରେ ଏବେ ପ୍ରାୟ ୨୦୦ ନିର୍ମାଣାଧୀନ ପ୍ରକଳ୍ପ ରହିଛି।

ସମ୍ବନ୍ଧିତ ଖବର