ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)କୁ ବଜେଟ୍ରେ ବିକାଶର ଦ୍ବିତୀୟ ଇଞ୍ଜିନ ଭାବେ ଅଭିହିତ କରାଯାଇଛି। ଏଭଳି ଉଦ୍ୟୋଗମାନଙ୍କ ଲାଗି ନିବେଶ ଓ କାରବାର ସୀମାକୁ ଯଥାକ୍ରମେ ୨.୫ ଓ ୨ ଗୁଣା ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ ଋଣ ଗ୍ୟାରେଣ୍ଟିକୁ ୫ କୋଟିରୁ ବଢ଼ାଇ ୧୦ କୋଟି ଟଙ୍କା କରାଯାଇଛି। ଏହା ଦ୍ବାରା ଆସନ୍ତା ୫ ବର୍ଷରେ ସେମାନଙ୍କୁ ଅତିରିକ୍ତ ୧.୫ ଲକ୍ଷ କୋଟିର ଋଣ ମିଳିବ। ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ଋଣ ଗ୍ୟାରେଣ୍ଟିକୁ ୧୦ କୋଟିରୁ ବଢ଼ାଇ ୨୦ କୋଟି ଟଙ୍କା କରାଯାଇଛି।
ପ୍ରଥମ ଥର ଉଦ୍ୟୋଗୀଙ୍କ ପାଇଁ ନୂଆ ଯୋଜନା
ଜୋତା, ଚମଡ଼ା ଶିଳ୍ପ ପାଇଁ ଫୋକସ୍ଡ ସ୍କିମ୍
ଜାତୀୟ ବିନିର୍ମାଣ ମିସନ୍ ଗଠନ ହେବ
ରପ୍ତାନି ଏମ୍ଏସ୍ଏମ୍ଇକୁ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ମିଆଦୀ ଋଣର ବ୍ୟବସ୍ଥା କରାଯାଇଛି। ଉଦ୍ୟମ ପୋର୍ଟାଲ୍ରେ ପଞ୍ଜୀକୃତ ଲଘୁ ଉଦ୍ୟୋଗ ପାଇଁ ୫ ଲକ୍ଷ ଟଙ୍କା ସୀମାର କ୍ରେଡିଟ୍ କାର୍ଡ ପ୍ରଚଳନ କରାଯିବ ବୋଲି ଘୋଷଣା କରାଯାଇଛି। ସେଭଳି ୧୦ ଲକ୍ଷ କ୍ରେଡିଟ୍ କାର୍ଡ ଜାରି କରାଯିବ। ଷ୍ଟାର୍ଟଅପ୍ ଲାଗି କେନ୍ଦ୍ର ସରକାର ୧୦,୦୦୦ କୋଟି ଟଙ୍କାର ଫଣ୍ଡ୍ ଅଫ୍ ଫଣ୍ଡ୍ସ କାର୍ଯ୍ୟକାରୀ କରାଯାଇଛି। ପ୍ରଥମ ଥର ଉଦ୍ୟୋଗୀ ହୋଇଥିବା ୫ ଲକ୍ଷ ମହିଳା, ଏସ୍ସି ଓ ଏସ୍ଟି ଉଦ୍ୟୋଗୀଙ୍କ ପାଇଁ ଏକ ନୂଆ ସ୍କିମ୍ ଘୋଷଣା କରାଯାଇଛି। ସେଥିରେ ସେମାନଙ୍କୁ ଆସନ୍ତା ୫ ବର୍ଷରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ମିଆଦୀ ଋଣ ଦିଆଯିବ। ଜୋତା ଓ ଚମଡ଼ା କ୍ଷେତ୍ର ପାଇଁ ଏକ ଫୋକସ୍ ଉତ୍ପାଦ ସ୍କିମ୍ ଘୋଷଣା ହୋଇଛି ଯାହା ୨୨ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି, ୪ ଲକ୍ଷ କୋଟି କାରବାର ଓ ୧.୧ ଲକ୍ଷ କୋଟି ରପ୍ତାନି ସୁଯୋଗ ସୃଷ୍ଟି କରିବ। ଖେଳନା ଊତ୍ପାଦନ କ୍ଷେତ୍ର ଲାଗି ଏକ ନୂଆ ସ୍କିମ୍ ଆସିବ। ମେଡ୍ ଇନ୍ ଇଣ୍ଡିଆ ବ୍ରାଣ୍ଡ୍କୁ ଉପସ୍ଥାପନ କରାଯିବ। କେନ୍ଦ୍ର ସରକାର ଏକ ଜାତୀୟ ମାନୁଫାକ୍ରିଂ ମିସନ ଗଠନ କରିବେ। ଏହି ମିସନ ସ୍ବଚ୍ଛ ପ୍ରଯୁକ୍ତି ଉତ୍ପାଦନକୁ ମଧ୍ୟ ପ୍ରୋତ୍ସାହିତ କରିବ।