ଋଣ ଠକେଇ:ସଙ୍କଟରେ ଚନ୍ଦାଙ୍କ ସିଇଓ ପଦବି

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ପଦବିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କୁ ନେଇ ବ୍ୟାଙ୍କ ବୋର୍ଡ ଦୁଇ ଭାଗ ହୋଇଯାଇଛି। ଗୋଟିଏ ଗୋଷ୍ଠୀ ଚନ୍ଦାଙ୍କ ସପକ୍ଷରେ ଥିବା ବେଳେ ଅନ୍ୟ କିଛି ନିର୍ଦେଶକ ତାଙ୍କୁ ବିରୋଧ କରୁଛନ୍ତି। ତେଣୁ ତାଙ୍କ ସିଇଓ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଭିଡିଓକନ୍‌କୁ ଦିଆଯାଇଥିବା ୩୨୫୦ କୋଟି ଟଙ୍କା ଋଣ ମାମଲାରେ ଚନ୍ଦା ବିବାଦୀୟ ହୋଇପଡ଼ିଛନ୍ତିି। ଏଥିରେ ତାଙ୍କ ସ୍ୱାମୀ ଦୀପକ କୋଚ୍ଚର ସିଧାସଳଖ ଭାବେ ଜଡ଼ିତ ଥିବାରୁ ଚନ୍ଦାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡର କିଛି ନିର୍ଦେଶକ ଚାହୁଛନ୍ତି ଚନ୍ଦା ସିଇଓ ପଦବିରୁ ଇସ୍ତଫା ପ୍ରଦାନ କରନ୍ତୁ।
ବ୍ୟାଙ୍କରେ ଚନ୍ଦାଙ୍କ ସିଇଓ ଭାବେ କାର୍ଯ୍ୟକାଳ ୨୦୧୯ ମାର୍ଚ ୩୧ରେ ଶେଷ ହେବ। ଏହା ପରେ ତାଙ୍କୁ ଆଉ ଥରେ ସୁଯୋଗ ପ୍ରଦାନ କରାଯିବ ନା ନାହିଁ ତାହା ଜଣାପଡ଼ିନାହିଁ। ବ୍ୟାଙ୍କ ବୋର୍ଡରେ ଥିବା ବାହ୍ୟ ନିର୍ଦେଶକମାନେ ଚନ୍ଦାଙ୍କୁ ବିରୋଧ କରୁଛନ୍ତି। ସେମାନେ ଅନ୍ୟ ଜଣଙ୍କୁ ନୂଆ ସିିଇଓ ଭାବେ ନିଯୁକ୍ତ କରିବାକୁ ଚାହୁଛନ୍ତି।
ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ସେଥିରେ କୌଣସି ସତ୍ୟତା ନାହିଁ।
ଆଇସିଆଇସିଆଇ ବୋର୍ଡରେ ୧୨ ଜଣ ସଦସ୍ୟ ରହିଛନ୍ତି। ବୋର୍ଡରେ ୬ ଜଣ ସ୍ୱାଧୀନ ନିର୍ଦେଶକ, ବ୍ୟାଙ୍କର ୫ ଜଣ ନିର୍ଦେଶକ ଓ ଜଣେ ସରକାରଙ୍କ ଦ୍ୱାରା ନିଯୁକ୍ତ ନିର୍ଦେଶକ ରହିଛନ୍ତି। ବ୍ୟାଙ୍କର ବୋର୍ଡ ଅଧ୍ୟକ୍ଷ ଏମ୍‌ କେ ଶର୍ମାଙ୍କ ନେତୃତ୍ୱରେ ପରିଚାଳିତ ହେଉଛି।
ଭିଡିଓକନ୍‌ ଋଣ ମାମଲା ସାମ୍ନାକୁ ଆସିବା ପରେ ବୋର୍ଡ ପକ୍ଷରୁ ବ୍ୟାଙ୍କର ଋଣ ମଞ୍ଜୁର ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ଏହି ଘଟଣା ବିଷୟରେ ମତ ରଖି ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ଶର୍ମା କହିଥିଲେ ଯେ ଆମ ବ୍ୟବସ୍ଥା ବହୁତ ସୁଦୃଢ଼ ଅଛି। ଆମର ସିଇଓଙ୍କ ଉପରେ ଗଭୀର ବିଶ୍ୱାସ ରହିଛି। ଦ୍ୱୈତ ସ୍ୱାର୍ଥକୁ ନେଇ କୌଣସି ପ୍ରଶ୍ନ ହିଁ ଉଠୁନାହିଁ ବୋଲି ସେ କହିଥିଲେ। ଚନ୍ଦାଙ୍କ ଉପରେ ଆମର ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ସେ କହିଥିଲେ।
ଭିଡିଓକନ୍‌ ଋଣ ମାମଲା ସାମ୍ନାକୁ ଆସିବା ପରେ ସିବିଆଇ ପକ୍ଷରୁ ପ୍ରାଥମିକ ତଦନ୍ତ କରାଯାଉଛି। ଭିଡିଓକନ୍‌ ଓ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟରେ ହୋଇଥିବା ଋଣ କାରବାରରେ କିଛି ଭୁଲ କାମ ହୋଇଛି ନା ନାହିଁ ତାହା ଜାଣିବାକୁ ସିବିଆଇ ଉଦ୍ୟମ କରୁଛି। ଏ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଏତଲା ଦାୟର କରାଯାଇନାହିଁ। ସିବିଆଇ ପକ୍ଷରୁ ଚନ୍ଦାଙ୍କ ଦିଅର ରାଜୀବ କୋଚ୍ଚରଙ୍କୁ ଅଟକ ରଖି ଜେରା କରାଯାଉଛି। ଏହି ମାମଲା ସହିତ ଜଡ଼ିତ ଥିବା ଅନ୍ୟମାନଙ୍କୁ ମଧ୍ୟ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଛି।
ଆଇସିଆଇସିଆଇ ବ୍ୟାଙ୍କର ଭିଡିଓକନ୍‌ ଋଣ କାରବାରରେ କୌଣସି ଭୁଲ କାମ ହୋଇଥିବାର ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ।

ସମ୍ବନ୍ଧିତ ଖବର