ଧନୀଙ୍କ ଚିନ୍ତା ବଢ଼ାଇଲା କ୍ରେଡିଟ୍ ସ୍ବିସ୍: ଭାରତରେ ତିଷ୍ଠି ପାରୁନାହାନ୍ତି ବିଦେଶୀ ବ୍ୟାଙ୍କ
ନୂଆଦିଲ୍ଲୀ: ସ୍ବିଜରଲ୍ୟାଣ୍ଡ୍ର ଦ୍ବିତୀୟ ବଡ଼ ବ୍ୟାଙ୍କ କ୍ରେଡିଟ୍ ସୁଇସ୍ ବୁଡ଼ିଯିବା ପରେ ବହୁ ଭାରତୀୟ ଧନୀ ଚିନ୍ତିତ ହୋଇପଡ଼ିଛନ୍ତି। ଏହି ସ୍ବିସ୍ ବ୍ୟାଙ୍କ ସହ ସେମାନେ ବହୁ ବର୍ଷ ଧରି କାରବାର କରୁଥିଲେ। ସେମାନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ବ୍ୟାଙ୍କରେ ରହିଛି। ଗତକାଲି ସର୍ବବୃହତ ସ୍ବିସ୍ ବ୍ୟାଙ୍କ ୟୁବିଏସ୍ ୩୨୫ କୋଟି ଡଲାରରେ କ୍ରେଡିଟ୍ ସ୍ବିସ୍କୁ କିଣିଥିଲା। କ୍ରେଡିଟ୍ ସ୍ବିସ୍ ବୁଡ଼ିବା ପରେ ସେମାନଙ୍କ ପାଣ୍ଠି ବୁଡ଼ିଯିବ ବୋଲି ସେମାନେ ଚିନ୍ତିତ ନାହାନ୍ତି। ଧନୀଙ୍କ ବଡ଼ ଚିନ୍ତା ହେଉଛି କେଉଁ ବ୍ୟାଙ୍କ ସହ ଯୋଡ଼ି ହୋଇରହିବେ। କାରଣ ଅତୀତରେ ଯେତେ ସବୁ ବିଶ୍ବସ୍ତରୀୟ ବ୍ୟାଙ୍କ ଭାରତ ଆସିଥିଲେ ସେଥିରୁ କିଛି ହତଗଣତି ବ୍ୟାଙ୍କ ଏଠାରେ ତିଷ୍ଠି ରହିଛନ୍ତି। ବହୁ ଲୋକପ୍ରିୟ ବ୍ୟାଙ୍କ କାରବାର ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି।
ଭାରତୀୟ ଧନାଢ଼୍ୟ ବର୍ଗର ସବୁଠୁ ବଡ଼ ଚିନ୍ତା ହେଉଛି କେଉଁ ବିଦେଶୀ ବ୍ୟାଙ୍କକୁ ସେମାନେ ଭରସା କରିବେ ଜାଣିପାରୁନାହାନ୍ତି। ଚଳିତ ବର୍ଷ ସିଟି ଗ୍ରୁପ୍ ଏହାର ରିଟେଲ୍ କାରବାରକୁ ବନ୍ଦ କରିବା ସହ ଆକ୍ସିସ୍ ବ୍ୟାଙ୍କକୁ ବିକ୍ରି କରିଥିଲା। ଏହା ପୂର୍ବରୁ କ୍ରେଡିଟ୍ ସ୍ବିସ୍କୁ କିଣିଥିବା ବ୍ୟାଙ୍କ ୟୁବିଏସ୍ ମଧ୍ୟ ଭାରତରେ କିଛି ବର୍ଷ କାରବାର କରିବା ପରେ ବିଦାୟ ନେଇଥିଲେ। ମର୍ଗାନ୍ ଷ୍ଟାନ୍ଲି ଓ ମାକ୍ବାରି ଗ୍ରୁପ୍ ମଧ୍ୟ ସମାନ ଢଙ୍ଗରେ ଭାରତ ଛାଡ଼ିଥିଲେ। ଭାରତରେ ରହି କାରବାର କରିବା ବିଦେଶୀ ବ୍ୟାଙ୍କଗୁଡ଼ିକ ଲାଗି ସହଜ ହେଉନାହିଁ। ଭାରତୀୟ ବ୍ୟାଙ୍କଗୁଡ଼ିକ ସହ ସେମାନେ ପ୍ରତିଦ୍ବନ୍ଦ୍ବିତା କରିପାରୁନାହାନ୍ତି। କେବଳ ମୁଦ୍ରା ବିନିମୟ ଭିତରେ ସେମାନଙ୍କ କାରବାର ସୀମିତ ରହିଯାଉଛି।
କିନ୍ତୁ ଏବେବି କିଛି ବିଦେଶୀ ବ୍ୟାଙ୍କ ରହିଛନ୍ତି ଯେଉଁମାନଙ୍କ ଭାରତୀୟ ବଜାର ଉପରେ ବିଶ୍ବାସ ରହିଛି। ସେଥିପାଇଁ ସେମାନେ ଭାରତ ଆସି ଏଠାରେ କାରବାରକୁ ବଢ଼ାଇବାକୁ ଚାହୁଛନ୍ତି। ଏଚ୍ଏସ୍ବିସି ହୋଲ୍ଡିଂସ୍ ଓ ଜୁଲିଅସ୍ ବାଏର ଗ୍ରୁପ୍ ଭାରତ ଆସିବାକୁ ଯୋଜନା ରଖିଛନ୍ତି। ଭାରତର ସମ୍ପତ୍ତି ପରିଚାଳନା ବଜାର ୬୦,୦୦୦ କୋଟି ଡଲାରରୁ ଅଧିକ ହୋଇଥିବା ବେଳେ ବାର୍ଷିକ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଅର୍ଥାତ ୧୦%ରୁ ଅଧିକ ହାରରେ ବୃଦ୍ଧି ପାଉଛି। ଅର୍ଥନୀତି ବଡ଼ ହେଉଥିବାରୁ ବହୁ ସଂଖ୍ୟାରେ ମିଲିଓନେୟାର ଓ ବିଲିଓନେୟାର ସୃଷ୍ଟି ହେଉଛନ୍ତି। ସେମାନଙ୍କୁ ସେବା ପ୍ରଦାନ କରିବା ଲାଗି ବିଦେଶୀ ବ୍ୟାଙ୍କଗୁଡ଼ିକ ତତ୍ପର ରହିଛନ୍ତି।