ନୂଆଦିଲ୍ଲୀ: ସାରା ଦୁନିଆରେ ଥିବା ସମ୍ପତ୍ତି କିଭଳି ଅସମାନ ଭାବେ ବାଣ୍ଟି ହୋଇରହିଛି ତାହାର ଏକ ସ୍ପଷ୍ଟ ଚିତ୍ର ଏକ ନୂଆ ରିପୋର୍ଟରୁ ମିଳିଛି। ଏକ ପ୍ରତିଶତ ଧନୀ ଲୋକଙ୍କ କବ୍ଜାରେ ଦୁନିଆର ଅଧା ସମ୍ପତ୍ତି ରହିଛି। ଏହି ଧନୀ ଲୋକମାନଙ୍କ ପାଖରେ ୧୦୬ ଲକ୍ଷ କୋଟି ଡଲାର ରହିଛି ଯାହା ଆମେରିକା ଅର୍ଥନୀତିର ଆଠ ଗୁଣରୁ ଅଧିକ।
ଆଶ୍ଚର୍ଯ୍ୟ ବିଷୟ ହେଉଛି ଯେ, ୨୦୦୮ ଆର୍ଥିକ ମାନ୍ଦାବସ୍ଥା ପରେ ଏହି ଧନୀ ଲୋକମାନଙ୍କ ସମ୍ପତ୍ତି ଅଧିକ ବଢ଼ିଛି। ମାନ୍ଦାବସ୍ଥା ଆରମ୍ଭ ହେବା ବେଳକୁ ସେମାନଙ୍କ ସମ୍ପତ୍ତି ପରିମାଣ ୪୨.୫% ହାରରେ ବଢ଼ୁଥିଲା। ସେହି ବୃଦ୍ଧିର ହାର ଏବେ ୫୦.୧%ରେ ପହଞ୍ଚିଗଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
କ୍ରେଡିଟ୍ ସୁଇସ୍ ଗ୍ଲୋବାଲ୍ େଓ୍ଵଲଥ ରିପୋର୍ଟରେ ଏହି ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି । ୧୦% ଧନୀ ଲୋକଙ୍କ ପାଖରେ ଦୁନିଆର ୮୭.୮% ସମ୍ପତ୍ତି ରହିଛି।
୨୦୦୦ ମସିହା ବେଳକୁ ଧନୀ ଲୋକଙ୍କ ସମ୍ପତ୍ତି ବୃଦ୍ଧି ହାରରେ ହ୍ରାସର ଧାରା ଆରମ୍ଭ ହୋଇଥିଲା। ୨୦୦୮ ପର୍ଯ୍ୟନ୍ତ ତାହା ଜାରି ରହିଲା। ଏହା ପରେ ସେମାନଙ୍କ ସମ୍ପତ୍ତି ୨୦୧୩ ପର୍ଯ୍ୟନ୍ତ ଉଣା ଅଧିକ ବଢ଼ିଥିଲା। ୨୦୧୩ ପରଠାରୁ ପ୍ରତିବର୍ଷ ସେମାନଙ୍କ ସମ୍ପତ୍ତି ପରିମାଣର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଛି। ୨୦୦୦ ମସିହା ପରଠାରୁ ମିଲିଓନେୟାର ଏବଂ ଅତି ଧନୀ ଲୋକଙ୍କ ସଂଖ୍ୟା ୧୭୦%ର ବୃଦ୍ଧି ହାସଲ କରିଛି। ମିଲିଓନେୟାରମାନଙ୍କ ସଂଖ୍ୟା ଏବେ ୩୬ ନିୟୁତରେ ପହଞ୍ଚିଯାଇଛି। ଯେଉଁମାନଙ୍କ ପାଖରେ ୩୦ ନିୟୁତ ଡଲାରରୁ ଅଧିକ ସମ୍ପତ୍ତି ରହିଛି ସେମାନଙ୍କୁ ମିଲିଓନେୟାର ଭାବେ ବିଚାର କରାଯାଉଛି। ଏହି ସମୟ ଭିତରେ ଅତି ଧନୀ ଲୋକଙ୍କ ସଂଖ୍ୟା ମଧ୍ୟ ୫ ଗୁଣ ବଢ଼ିଛି। ଦୁନିଆର ଅଧା ଗରିବଙ୍କ ପାଖରେ ଦୁନିଆର ମାତ୍ର ୨.୭% ସମ୍ପତ୍ତି ରହିଛି। ଧନୀ ଲୋକ ଏବଂ ବହୁଦେଶୀୟ କଂପାନିଗୁଡ଼ିକ ଦ୍ୱାରା ଟିକସ ଠକେଇ କରାଯାଉଥିବାରୁ ଗରିବ ଲୋକମାନଙ୍କ ଜୀବନ ପ୍ରଭାବିତ ହେଉଛି ବୋଲି ଅକ୍ସଫାମ୍ ନାମକ ସଂସ୍ଥା ପକ୍ଷରୁ କୁହାଯାଇଛି। ସବୁ ରାଷ୍ଟ୍ରର ସରକାର ଏହି ସମସ୍ୟା ସମାଧାନ କରିବା ଦିଗରେ କାମ କରିବା ଉଚିତ ବୋଲି ଏହା ପରାମର୍ଶ ଦେଇଛି। ଟିକସ ଠକେଇ କରାଯାଉଥିବାରୁ ସମାଜ ଭାଗ ଭାଗ ହୋଇଯାଇଛି। ଗରିବ ଲୋକମାନେ ନିଜ ଜୀବନକୁ ସୁଧାରିବାରେ ଏବେ ସବୁଠାରୁ କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। କ୍ରେଡିଟ୍ ସ୍ୱିସ୍ ନିର୍ଦେଶକ ବୋର୍ଡର ଅଧ୍ୟକ୍ଷ ୟୁ ରୋହନର କହିଛନ୍ତି ଯେ ଯୁବବର୍ଗଙ୍କ ପାଖରେ ସବୁଠୁ କମ୍ ପରିମାଣର ସମ୍ପତ୍ତି ରହିଛି। ଅନ୍ୟ ବୟସ ବର୍ଗର ଲୋକମାନଙ୍କ ପାଖରେ ଥିବା ସମ୍ପତ୍ତି ଚଳନୀୟ ସ୍ତରରେ ରହିଛି। ଧନୀ ଏବଂ ଗରିବ ଲୋକମାନଙ୍କ ମଧ୍ୟରେ ରହିଥିବା ସାମଞ୍ଜସ୍ୟ ବହୁତ ବଡ଼ ସମସ୍ୟା ବୋଲି ଆନ୍ତର୍ଜାତିକ ସ୍ତରରେ ନାଗରିକ ଅଧିକାର ସୁରକ୍ଷା କ୍ଷେତ୍ରରେ କାମ କରୁଥିବା ସଂସ୍ଥାଗୁଡ଼ିକ କହୁଛନ୍ତି।
କ’ଣ ସମସ୍ୟା ରହିଛି?
ବିପୁଳ ପରିମାଣର ବେରୋଜଗାର, କଠୋର ବନ୍ଧକ ନିୟମ, ବର୍ଦ୍ଧିତ ଗୃହ ମୂଲ୍ୟ, ବର୍ଦ୍ଧିତ ଆୟ ଅସମାନତା, ପେନ୍ସନ୍ ହାସଲ କରିବା କଷ୍ଟକର ଏବଂ ଆୟର ପ୍ରବାହ ଠିକ ନରହିବା ଯୁବ କର୍ମଚାରୀ ଏବଂ ସଞ୍ଚୟକାରୀମାନଙ୍କୁ ଶକ୍ତ ଝଟ୍କା ଦେଇଛି। ଅନେକ ରାଷ୍ଟ୍ରରେ ଏହି ସବୁ କାରଣ ଯୋଗୁଁ ଯୁବ କର୍ମଚାରୀମାନେ ଯେତିକି ପରିମାଣର ସମ୍ପତ୍ତି ସୃଷ୍ଟି କରିବା କଥା ତାହା କରିପାରୁନାହାନ୍ତି। ସମାନ ବୟସ ସମୟରେ ଅଭିଭାବକମାନେ ଆୟ, ଘର ମାଲିକାନା ଏବଂ ଅନ୍ୟାନ୍ୟ ବିଷୟକୁ ନେଇ ଯେଉଁଭଳି ଭଲ ସ୍ଥିତିରେ ଥିଲେ ଆଜିର ଯୁବପିଢ଼ି ସେତିକି ମଧ୍ୟ ପାଉନାହାନ୍ତି।