ନୂଆଦିଲ୍ଲୀ: ଆଗ ଧାଡ଼ିର ସ୍ବିସ୍ ବ୍ୟାଙ୍କ ‘କ୍ରେଡିଟ୍‌ ସୁଇସ୍‌’ରେ ବିଶ୍ବର ବହୁ ଅପରାଧୀ, ଦାଗୀ ରାଜନେତା, ଏକଛତ୍ରବାଦୀ ଶାସକ, କୂଟନୀତିଜ୍ଞ ଓ କଟକଣା ଲଗାଯାଇଥିବା ସଂଗଠନ ଖାତା ଖୋଲି ବିପୁଳ ଜମା ରାଶି ରଖିଛନ୍ତି। ବ୍ୟାଙ୍କର ଲିକ୍‌ ହୋଇଥିବା ୧୮,୦୦୦ ଗ୍ରାହକଙ୍କ ତଥ୍ୟକୁ ବିଶ୍ଳେଷଣ କରିବା ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପୁଣି ଥରେ ସ୍ବିଜରଲ୍ୟାଣ୍ଡ୍‌ର ବ୍ୟାଙ୍କଗୁଡ଼ିକର ପରିଚାଳନା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ଟିକସ ଠକେଇ, କଳାଧନ ମହଜୁଦ ଏବଂ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକମାନଙ୍କ ପାଣ୍ଠିକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରୁଥିବାର ଅପବାଦ ସ୍ବିସ୍‌ ବ୍ୟାଙ୍କଗୁଡ଼ିକ ବିରୋଧରେ ରହିଛି। ସଦ୍ୟତମ ଲିକ୍ ସେହି ସହେନ୍ଦକୁ ଆହୁରି ଦୃଢ଼ୀଭୂତ କରିଛି।

Advertisment

କ୍ରେଡିଟ୍‌ ସୁଇସ୍‌ ଗ୍ରାହକ ତାଲିକାରେ ଆଲ୍‌ଜେରିଆର ଜଣେ ଜେନେରାଲ୍‌ଙ୍କ ନାମ ରହିଛି ଯାହାଙ୍କ ବିରୋଧରେ ଶିଶୁ ନିର୍ଯ୍ୟାତନା ଭଳି ଜଘନ୍ୟ ଅଭିଯୋଗ ରହିଛି। ଆତଙ୍କବାଦୀ ସନ୍ଦେହରେ ଲୋକଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଥିବା ଇଜିପ୍ଟର ଜଣେ କୂଟନୀତିଜ୍ଞଙ୍କ ନାମ ମଧ୍ୟ ତାଲିକାରେ ରହିଛି। କୁଖ୍ୟାତ ‘ନାଘ୍ରେଟା’ ଅପରାଧିକ ଦଳକୁ ପାଣ୍ଠି ଯୋଗାଉଥିବା ଇଟାଲିର ଜଣେ ବ୍ୟକ୍ତି, ଟେଲିକମ୍ ଚୁକ୍ତି ଲାଗି ନାଇଜେରିଆର ସରକାରୀ ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିବା ଜର୍ମାନିର ଜଣେ ଏକ୍‌ଜିକ୍ୟୁଟିଭ୍, ଜେନେଜୁଏଲାର ତୈଳ ମାଫିଆ ଏବଂ ଜୋର୍ଡାନର କିଙ୍ଗ୍‌ ଅବ୍‌ଦୁଲା ଦ୍ବିତୀୟଙ୍କ ନାମ ମଧ୍ୟ ଗ୍ରାହକ ତାଲିକାରେ ରହିଛି। ବିଭିନ୍ନ କାରଣରୁ ସନ୍ଦେହ ଘେରରେ ଥିବା ଲୋକମାନେ ବ୍ୟାଙ୍କରେ ୮୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ଜମା ରଖିଛନ୍ତି। ସଂଗଠିତ ଅପରାଧ ଓ ଦୁର୍ନୀତି ରିପୋର୍ଟିଂ ପ୍ରକଳ୍ପ (ଓସିସିଆର୍‌ପି) ପକ୍ଷରୁ କ୍ରେଡିଟ୍‌ ସୁଇସ୍‌ ଲିକ୍‌ ରିପୋର୍ଟ ଜାରି କରାଯାଇଛି। କ୍ରେଡିଟ୍ ସୁଇସ୍ ହେଉଛି ସ୍ବିଜରଲ୍ୟାଣ୍ଡ୍‌ର ଏକ ୧୬୬ ବର୍ଷ ପୁରୁଣା ବ୍ୟାଙ୍କ। ଏହାର ପରିଚାଳନା‌ ଅଧୀନରେ ୧.୫ ଲକ୍ଷ ସ୍ବିସ୍ ଫ୍ରା‌ଙ୍କ୍‌ ସମ୍ପତ୍ତି ରହିଛି। ଏହି ବ୍ୟାଙ୍କ ପାଇଁ ସାରା ବିଶ୍ବରେ ୫୦ ହଜାର ପାଖାପାଖି କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ପାକିସ୍ତାନ ଜେନେରାଲ୍‌ଙ୍କ ମୋଟା ଅଙ୍କର ଜମା
ଇସଲାମାବାଦ: ସୁଇସ୍‌ ବ୍ୟାଙ୍କ ‘କ୍ରେଡିଟ୍‌ ସୁଇସ୍‌’ର ଲିକ୍‌ ତଥ୍ୟରୁ ପାକିସ୍ତାନର ଜଣେ ଜେନେରାଲ୍‌ଙ୍କୁ ନେଇ ଚାଞ୍ଜଲ୍ୟକର ତଥ୍ୟ ମିଳିଛି। ସେ ସୁଇସ୍ ବ୍ୟାଙ୍କରେ କୋଟି କୋଟି ଡଲାର ମୂଲ୍ୟର ସମ୍ପତ୍ତି ଜମା ରଖିଛନ୍ତି। ଏହି ଲିକ୍‌ରେ ୧୪୦୦ ପାକିସ୍ତାନ ନାଗରିକଙ୍କ ୬୦୦ ଖାତାକୁ ନେଇ ତଥ୍ୟ ରହିଛି। ଗ୍ରାହକ ତାଲିକାରେ ପାକିସ୍ତାନର କିଛି ପ୍ରମୁଖ ରାଜନେତା ଓ ପୂର୍ବତନ ଆଇଏସ୍‌ଆଇ ମୁଖ୍ୟ ଜେନେରାଲ୍ ଅଖତର ଅବଦୁର ରହମାନ ଖାନଙ୍କ ନାମ ରହିଛି। ଆମେରିକା ଓ ଅନ୍ୟ ଦେଶରୁ ପାକିସ୍ତାନଙ୍କୁ ଯେଉଁ ସହାୟତା ଆସୁଥିଲା ସେଥିରୁ କୋଟି କୋଟି ଡଲାରକୁ ଖାନଙ୍କ ସହାୟତା ବାହାରକୁ ପଠାଯାଉଥିଲା। ସେହି ପାଣ୍ଠି ଆଫଗାନିସ୍ତାନରେ ଲଢ଼େଇ କରୁଥିବା ମୁଜାହିଦ୍ଦିନଙ୍କୁ ମିଳୁଥିଲା ଯାହାକୁ ସେମାନେ ସୋଭିଏତ ୟୁନିୟନ ବିରୋଧ ଲଢ଼େଇରେ ବ୍ୟବହାର କରୁଥିଲେ। ଆଫଗାନିସ୍ତାନରେ ରୁଷିଆର ଉପସ୍ଥିତିକୁ ନେଇ ଲଢ଼େଇ କରୁଥିବା ମୁଜାହିଦ୍ଦିନ ଯୋଦ୍ଧାଙ୍କ ପାଇଁ ସାଉଦି ଆରବ ଓ ଆମେରିକାରୁ ଆସୁଥିବା ପାଣ୍ଠି ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ସ୍ବିସ୍‌ ବ୍ୟାଙ୍କ ଖାତାରେ ଜମା ହେଉଥିଲା। ଶେଷରେ ପାକିସ୍ତାନର ଆଇଏସ୍‌ଆଇ ଗ୍ରୁପ୍ ଲାଭବାନ ହେଉଥିଲା ଯାହାର ମୁଖ୍ୟ ହେଉଛନ୍ତି ଅଖତର।