ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ପ୍ରଭାବରେ ଦେଶରୁ ଚିଙ୍ଗୁଡ଼ି ରପ୍ତାନି ଚଳିତ ବର୍ଷ ୧୫-୧୮ ପ୍ରତିଶତ କମ୍ ହେବ ବୋଲି ରେଟିଂ ଏଜେନ୍ସି କ୍ରିସିଲ୍ ରେଟିଂସ୍ ଆକଳନ କରିଛି। ଚଳିତ ମାସ ୨୭ରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହୋଇଛି। ଏବେ ଚିଙ୍ଗୁଡ଼ି ଉପରେ ପ୍ରଭାବୀ ଶୁଳ୍କ ୫୮.୨୬ ପ୍ରତିଶତକୁ ବୃଦ୍ଧି ପାଇଛି।
ଚିଙ୍ଗୁଡ଼ି ରପ୍ତାନିକାରୀମାନେ ନିଜ ଉତ୍ପାଦ ପୋର୍ଟଫୋଲିଓକୁ ବଢ଼ାଇବା ଏବଂ ନୂତନ ବଜାରରେ ପ୍ରବେଶ କରିବା ବିଷୟରେ ବିଚାର କରୁଛନ୍ତି। ଶୁଳ୍କ ବଢ଼ିବ ବୋଲି ପୂର୍ବାନୁମାନ କରିଥିବା ରପ୍ତାନିକାରୀମାନେ ଆଗୁଆ ବୁକିଂ କରିଛନ୍ତି। ତଥାପି ସେମାନଙ୍କ ରାଜସ୍ବରେ ୧୮-୨୦ ପ୍ରତିଶତ ହ୍ରାସ ଘଟିବା ଆଶା କରାଯାଉଛି। ୨୦୨୪-୨୫ରେ ଭାରତରୁ ପ୍ରାୟ ୪୪ ହଜାର କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି କରାଯାଇଥିଲା। ସେଥିରୁ ୪୦ ପ୍ରତିଶତ ଚିଙ୍ଗୁଡ଼ି କେବଳ ଆମେରିକାକୁ ପଠାଯାଇଥିଲା। ଓଡ଼ିଶାରୁ ଗତ ଆର୍ଥିକ ବର୍ଷରେ ୪୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି କରାଯାଇଛି। ତାହାର ଏକ ତୃତୀୟାଂଶ ଆମେରିକାକୁ ଯାଇଛି।
କ୍ରିସିଲ୍ ପକ୍ଷରୁ ୬୩ ରପ୍ତାନିକାରୀଙ୍କୁ ନେଇ କରାଯାଇଥିବା ଅନୁଶୀଳନରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସେହି ରପ୍ତାନିକାରୀମାନଙ୍କ ପାଖରେ ଶିଳ୍ପର ୫୫ ପ୍ରତିଶତ ରାଜସ୍ବ ରହିଛି। ଆୟ କମ୍ ହେଲେ ଚିଙ୍ଗୁଡ଼ି ରପ୍ତାନିକାରୀମାନଙ୍କ କ୍ରେଡିଟ୍ ପ୍ରୋଫାଇଲ୍ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି କ୍ରିସିଲ୍ ଜଣାଇଛି। ପୂର୍ବରୁ ଆମେରିକା ୧୦ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ ଭାରତୀୟ ଚିଙ୍ଗୁଡ଼ି ରପ୍ତାନି ବିଶେଷ ପ୍ରଭାବିତ ହୋଇନଥିଲା। କାରଣ ସେହି ଦରବୃଦ୍ଧିକୁ ଆମେରିକା ଗ୍ରାହକ ସହ୍ୟ କରିନେଇଥିଲେ।