କ୍ରିସିଲ୍ ରିପୋର୍ଟରେ ଓଡ଼ିଶା: ସଡ଼କ, ପୋଲ ଖର୍ଚରେ ଏକ ନମ୍ବର

ଉଚ୍ଚ ଅଭିବୃଦ୍ଧି, ଉଚ୍ଚ ବିତ୍ତୀୟ ନିଅଣ୍ଟ, ଖର୍ଚ କରିବା ପାଇଁ ଅଧିକ ଋଣ

ଭୁବନେଶ୍ବର: ସଡ଼କ ଓ ପୋଲ ନିର୍ମାଣ କରିବାରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକୁ ପଛରେ ପକାଇ ଦେଇଛି। ଏହି ଦୁଇ କ୍ଷେତ୍ରରେ ଓଡ଼ିଶା ସବୁଠୁ ଅଧିକ ଖର୍ଚ୍ଚ କରିଛି। ରେଟିଂ ଏଜେନ୍ସି କ୍ରିସିଲ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ‘ଷ୍ଟେଟସ୍‌ ଅଫ୍ ଗ୍ରୋଥ୍‌ ୨.୦’ ରିପୋର୍ଟରେ ଏହି ଚିତ୍ର ପ୍ରଦାନ କରାଯାଇଛି। ସଡ଼କ ଓ ପୋଲ ବାବଦ ଖର୍ଚରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ଥିବା ବେଳେ ଝାଡ଼ଖଣ୍ଡ ଓ ଛତିଶଗଡ଼ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି, ଜଳସେଚନ ବାବଦ ଖର୍ଚରେ ଓଡ଼ିଶା ଶ୍ରେଷ୍ଠ ତିନି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅଧିକ ଖର୍ଚ କରିବା ଉପରେ ଓଡ଼ିଶା ଗୁରୁତ୍ବାରୋପ କରିଛି। ଶିକ୍ଷା କ୍ଷେତ୍ର ପ୍ରତି କିନ୍ତୁ ଆବଶ୍ୟକ ଗୁରୁତ୍ବ ଦିଆଯାଇନାହିଁ ବୋଲି ଏହି ରିପୋର୍ଟରେ କୁହାଯାଇଛି। ମଧ୍ୟମ ଧରଣର ଋଣ ଅନୁପାତ ଥିବା ରାଜ୍ୟଗୁଡ଼ିକ ବର୍ଗରେ ଓଡ଼ିଶାକୁ ସ୍ଥାନ ମିଳିଛି। ଓଡ଼ିଶାର ଋଣ ପରିମାଣ ବିଗତ ପାଞ୍ଚ ବର୍ଷ ଭିତରେ ବଢ଼ିଛି। ୨୦୧୩ରେ ଓଡ଼ିଶାର ଋଣ ଅନୁପାତ ୧୮.୮% ଥିଲା। ୨୦୧୮ରେ ତାହା ୨୦.୪%କୁ ବୃଦ୍ଧି ପାଇଛି। ପୁଞ୍ଜି ଖର୍ଚ ପରିମାଣ ବଢ଼ାଇବା ପାଇଁ ଓଡ଼ିଶା ଅଧିକ ଋଣ କରୁଛି। ସେଥି‌ପାଇଁ ଏହାର ଋଣ ଅନୁପାତ ବଢ଼ିଛି ବୋଲି ରିପୋର୍ଟରେ କୁହାଯାଇଛି।

ଉପଭୋକ୍ତା ମୁଦ୍ରାସ୍ଫୀତି କମାଇବାରେ ସଫଳ

ଏହା ମଧ୍ୟ ଜଣାଇ ଦିଆଯାଇଛି ଯେ, ଓଡ଼ିଶା ହେଉଛି ଉଚ୍ଚ ଅଭିବୃଦ୍ଧି ଏବଂ ଉଚ୍ଚ ବିତ୍ତୀୟ ନିଅଣ୍ଟ ଥିବା ଏକ ରାଜ୍ୟ। ଅର୍ଥନୈତିକ ଅଭିବୃଦ୍ଧିରେ ଓଡ଼ିଶାର ଖରାପ ପ୍ରଦର୍ଶନ କରିଛି। ୨୦୧୬-୧୭ରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୪% ଥିଲା, ଯାହା ୨୦୧୭-୧୮‌ରେ ୭.୧%କୁ ହ୍ରାସ ପାଇଛି। ବିତ୍ତୀୟ ନିଅଣ୍ଟରେ ମଧ୍ୟ ସ୍ଥିତି ଖରାପ ହୋଇଛି। ୨୦୧୬-୧୭ରେ ବିତ୍ତୀୟ ନିଅଣ୍ଟ ପରିମାଣ ୨.୫% ଥିବା ବେଳେ ୨୦୧୭-୧୮ରେ ତାହା ୩.୫%କୁ ବୃଦ୍ଧି ପାଇଛି। ଉପଭୋକ୍ତା ମୁଦ୍ରାସ୍ଫୀତି କମ୍ କରିବାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୧୬-୧ ୭ରେ ଉପଭୋକ୍ତା ମୁଦ୍ରାସ୍ଫୀତି ୫% ଭଳି ଉଚ୍ଚ ସ୍ତରରେ ଥିଲା। ୨୦୧୭-୧୮ରେ ତାହା ୨.୨% ଭଳି ନିମ୍ନ ସ୍ତରକୁ ଖସିଆସିଛି। ଏହାର ଅର୍ଥ ହେଉଛି ଉପଭୋକ୍ତାମା‌ନେ ବ୍ୟବହାର କରୁଥିବା ସାମଗ୍ରୀଗୁଡ଼ିକର ଦର ଓଡ଼ିଶାରେ କମ୍ ହୋଇଛି। ମୁଣ୍ଡପିଛା ଆୟ କ୍ଷେତ୍ରରେ ଜାତୀୟ ହାର ଠାରୁ ଓଡ଼ିଶା ଏବେବି ପଛରେ ରହିଛି। ଜାତୀୟ ମୁଣ୍ଡପିଛା ଆୟ ଏବଂ ରାଜ୍ୟ ମୁଣ୍ଡପିଛା ଆୟ ମଧ୍ୟରେ ଅନ୍ତର ୨୦୦୨-୦୩ ବେଳକୁ ୫୭୫୭ ଟଙ୍କା ଥିଲା। ୨୦୧୭-୧୮ ସୁଦ୍ଧା ସେହି ଅନ୍ତର ବୃଦ୍ଧି ପାଇ ୩୧,୮୪୪ ଟଙ୍କା ହୋଇଯାଇଛି।

ସମ୍ବନ୍ଧିତ ଖବର